ନୂଆଦିଲ୍ଲୀ: ଭାରତୀୟ ଜାଭେଲିନ୍‌ ତାରକା ନୀରଜ ଚୋପ୍ରାଙ୍କୁ ବଡ଼ ଝଟକା ଲାଗିଛି। ଅଭ୍ୟାସ ବେଳେ ଗୋଡ଼ ଗଣ୍ଠିରେ ଲିଗାମେଣ୍ଟ ଛିଣ୍ଡିଯିବାରୁ ଏସିଆନ ଗେମ୍ସର ଚଳିତ ୨୦୨୬ ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରୁ ସେ ବାଦ୍‌ ପଡ଼ିଛନ୍ତି। ଫଳରେ ଆସନ୍ତା ଏସିଆନ୍‌ ଗେମ୍ସ ଏବଂ ଡାଏମଣ୍ଡ ଲିଗ୍‌ ଫାଇନାଲ୍‌ରେ ସେ ଭାଗ ନେଇପାରିବେ ନାହିଁ। ଦୁଇଥରର ଅଲିମ୍ପିକ୍‌ ପଦକ ବିଜେତା ନୀରଜ ଚୋପ୍ରାଙ୍କ ପାଇଁ ଏହା ଏକ ଶକ୍ତ ଝଟ୍‌କା।

ଅଗଷ୍ଟ ୨୯ରେ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ କରି ନୀରଜ ନିଜେ ଏହି ସୂଚନା ଦେଇଛନ୍ତି। ଟ୍ରେନିଂ ସମୟରେ ତାଙ୍କ ଗୋଡ଼ ଗଣ୍ଠିରେ ଲିଗାମେଣ୍ଟ ଟିଅର୍‌ ହୋଇଥିବା ସେ କହିଛନ୍ତି। ଡାକ୍ତର ଏବଂ ନିଜ ଟିମ୍‌ ସହ ଆଲୋଚନା ପରେ ଚଳିତ ସିଜନ୍‌ର ବାକି ସମୟ ପ୍ରତିଯୋଗିତାରୁ ଦୂରେଇ ରହିବାକୁ ସେ ନିଷ୍ପତ୍ତି ନେଇଥିବା ନୀରଜ ପୋଷ୍ଟରେ ଲେଖିଛନ୍ତି।

ଭଲ ଫର୍ମକୁ ଫେରୁଥିବା ବେଳେ ଲାଗିଲା ଆଘାତ

ଦୀର୍ଘ ସମୟର ଆଘାତ ପରେ ନୀରଜ ଚୋପ୍ରା ଚଳିତ ବର୍ଷ ଜୁନ୍‌ରେ ଦୋହା ଡାଏମଣ୍ଡ ଲିଗ୍‌ରୁ ପ୍ରତିଯୋଗିତାକୁ ଫେରିଥିଲେ। ସେଠାରେ ୮୫.୬୯ ମିଟର ଥ୍ରୋ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଏହାପରେ ଗ୍ଲାସଗୋରେ ୮୫.୮୩ ମିଟର ଥ୍ରୋ କରି ରୌପ୍ୟ ପଦକ ଜିତିଥିଲେ। ପରେ ଲାଉସାନ୍‌ ଡାଏମଣ୍ଡ ଲିଗ୍‌ରେ ନୀରଜ ଚଳିତ ସିଜନ୍‌ର ସର୍ବଶ୍ରେଷ୍ଠ ଥ୍ରୋ କରିଥିଲେ। ଏହା ତାଙ୍କର ବର୍ଷର ତୃତୀୟ ପ୍ରତିଯୋଗିତା ଥିଲା ଏବଂ ତାଙ୍କ ଫର୍ମ ଧୀରେ ଧୀରେ ଫେରୁଥିବା କୁହାଯାଉଥିଲା। ହେଲେ ଗୋଡ଼ ଗଣ୍ଠିରେ ଲିଗାମେଣ୍ଟ ଛିଡ଼ିବା ତାଙ୍କ ଏସିଆନ ଗେମ୍ସ ଯାତ୍ରାକୁ ଅଧାରୁ ଶେଷ କରିଛି।

‘ଫର୍ମ ଫେରିବାର ନିକଟରେ ଥିଲି’

ନିଜ ଆଘାତକୁ ନେଇ ନୀରଜ କହିଛନ୍ତି ଯେ ମୁଁ ଧୀରେ ଧୀରେ ଟ୍ରାକକୁ ଫେରୁଥିବା ବେଳେ ଏହି ଆଘାତ ମୋ ପାଇଁ ସବୁଠାରୁ ନିରାଶାଜନକ। ତେବେ ଜୀବନ ଯାତ୍ରାରେ ଏଭଳି ବାଧା ଆସିଥାଏ ବୋଲି ସେ ଲେଖିଛନ୍ତି। ନୀରଜଙ୍କ ଆଘାତ ଭାରତର ଏସିଆନ୍‌ ଗେମ୍ସ ପ୍ରସ୍ତୁତିକୁ ମଧ୍ୟ ବଡ଼ ଝଟକା ଦେଇଛି। ଜାପାନର ଆଇଚି-ନାଗୋୟାରେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏସିଆନ୍‌ ଗେମ୍ସ ଅନୁଷ୍ଠିତ ହେବାକୁ ଥିବା ବେଳେ ନୀରଜ ନିରାଶ କରିଛନ୍ତି।

Also Read- ୩୩ଟି ଛକା, ୪୪ଟି ଚୌକା ଓ ୪୯୩ ରନ୍... DPLରେ ପପୁ ଯାଦବଙ୍କ ପୁଅଙ୍କ ବିସ୍ଫୋରକ ବ୍ୟାଟିଂ

ରୋହିତ ଯାଦବଙ୍କ ଉପରେ ବଢ଼ିଲା ଦାୟିତ୍ୱ

ନୀରଜ ଚୋପ୍ରା ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିବା ପରେ ଭାରତୀୟ ଜାଭେଲିନ୍‌ ଦଳର ଦାୟିତ୍ୱ ଏବେ ରୋହିତ ଯାଦବଙ୍କ ଉପରେ ଅଧିକ ରହିବ। ନିକଟରେ ଭୁବନେଶ୍ୱରରେ ଆୟୋଜିତ ୱାର୍ଲ୍ଡ ଆଥଲେଟିକ୍ସ ସିଲଭର ଲେଭଲ୍‌ କଣ୍ଟିନେଣ୍ଟାଲ୍‌ ଟୁର୍‌ ପ୍ରତିଯୋଗିତାରେ ରୋହିତ ୮୭.୬୮ ମିଟର ଥ୍ରୋ କରି ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ପ୍ରଦର୍ଶନ ପରେ ନୀରଜଙ୍କ ପଛକୁ ରୋହିତ ଯାଦବଙ୍କୁ ଭାରତର ପ୍ରମୁଖ ଜାଭେଲିନ୍‌ ପଦକ ଦାବିଦାର ଭାବେ ଦେଖାଯାଉଛି।