ନୂଆଦିଲ୍ଲୀ: ଏୟାର ଚିଫ୍ ମାର୍ଶଲ ଆଶୁତୋଷ ଦୀକ୍ଷିତ ଶନିବାର ଭାରତୀୟ ବାୟୁସେନା (ଆଇଏଏଫ)ର ୨୯ତମ ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ୨୦ରୁ ଅଧିକ ପ୍ରକାର ବିମାନ ଉଡାଣରେ ଦୀକ୍ଷିତଙ୍କ ୩,୫୦୦ ଘଣ୍ଟାରୁ ଅଧିକ ଅନୁଭବ ଥିବା ବେଳେ ସେ ଜଣେ କୁଶଳ ଫାଇଟର ଜେଟ୍ ପାଇଲଟ। ଦୀକ୍ଷିତ ଏପରି ସମୟରେ ଆଇଏଏଫର ଦାୟିତ୍ୱଗ୍ରହଣ କରିଛନ୍ତି ଯେତେବେଳେ ଜଟିଳ ସୁରକ୍ଷା ପରିବେଶ ମଧ୍ୟରେ ଭାରତ ନିଜର ସାମରିକ କ୍ଷମତା ବୃଦ୍ଧି ପାଇଁ ସକ୍ରିୟ ଭାବେ କାମ କରୁଛି।

ଦିକ୍ଷୀତ ଏୟାର ଚିଫ୍ ମାର୍ଶଲ ଏ.ପି. ସିଂହଙ୍କ ସ୍ଥାନ ଗ୍ରହଣ କରିଛନ୍ତି, ଯିଏ ୪୩ ବର୍ଷର ଉଲ୍ଲେଖନୀୟ କ୍ୟାରିୟର ପରେ ଅବସର ଗ୍ରହଣ କରିଛନ୍ତି। ଦିକ୍ଷୀତଙ୍କୁ କାର୍ଯ୍ୟଭାର ଅର୍ପଣ କରିବା ପୂର୍ବରୁ ଏୟାର ଚିଫ୍ ମାର୍ଶଲ ସିଂହଙ୍କୁ ରେସ୍ କୋର୍ସ ବାୟୁସେନା ଷ୍ଟେସନରେ ‘ଗାର୍ଡ ଅଫ ଅନର’ ଦିଆଯାଇଛି। ବାୟୁସେନା ଏକ ବୟାନରେ କହିଛି ଯେ ‘ପରିଚାଳନା ନେତୃତ୍ୱ ବ୍ୟତୀତ ଏୟାର ଚିଫ ମାର୍ଶଲ ଏ.ପି.ସିଂହଙ୍କୁ ସଙ୍ଗଠନର ସବୁ ସ୍ତରରେ ଏୟାରଫୋର୍ସ ଫାଇଟରମାନଙ୍କ ସହିତ ତାଙ୍କ ଗଭୀର ଓ ବ୍ୟକ୍ତିଗତ ସମ୍ପର୍କ ଲାଗି ମନେ ରଖାଯିବ’।

ବିବୃତ୍ତିରେ କୁହାଯାଇଛି ଯେ ତୃଣ ମୂଳସ୍ତରରେ କର୍ମଚାରୀଙ୍କ ସହ ସିଂହଙ୍କ ଆଲୋଚନା ତାଙ୍କ ବିଶ୍ୱାସକୁ ପ୍ରତିଫଳିତ କରେ ଯେ ବାୟୁସେନାର ଶକ୍ତି ଏହାର କର୍ମଚାରୀଙ୍କ ମଧ୍ୟରେ ରହିଛି। ତାଙ୍କ ରଣନୈତିକ ଯୋଜନା ଏବଂ ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ପାଇଁ ଜଣାଶୁଣା। ଏୟାର ଚିଫ୍ ମାର୍ଶଲ ଦୀକ୍ଷିତ ପୂର୍ବରୁ ବାୟୁସେନା ଉପାଧ୍ୟକ୍ଷ ଭାବେ କାମ କରୁଥିଲେ। ଦୀକ୍ଷିତ ୪ ଦଶନ୍ଧୀର ତାଙ୍କ କ୍ୟାରିୟରରେ କମାଣ୍ଡ ଷ୍ଟାଫ ଓ ପ୍ରଶିକ୍ଷଣ ସମ୍ପର୍କିତ ବିଭିନ୍ନ ପଦପଦବୀରେ ସେବା ଦେଇଛନ୍ତି।

୯ ଡିସେମ୍ବର ୧୯୬୬ରେ ଜନ୍ମିତ ଏୟାର ମାର୍ଶଲ ଆଶୁତୋଷ ଦୀକ୍ଷିତ ୬ ଡିସେମ୍ବର ୧୯୮୬ରେ ଭାରତୀୟ ବାୟୁସେନାର ଫାଇଟର ଜେଟ୍ ବିମାନ ଶାଖାରେ କମିଶନ ପାଇଥିଲେ।