India Assembly Elections 2026: ଆସାମ, କେରଳ ଏବଂ ପୁଡୁଚେରୀର ହାଇ ଭୋଲ୍‌ଟେଜ୍ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ନିର୍ବାଚନ  ସୁରୁଖୁରୁରେ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ୱେବକାଷ୍ଟିଂ ଏବଂ ସ୍ୱତନ୍ତ୍ର ଭୋଟର ସୁବିଧା କରାଯାଇଛି। ଲୋକେ ପୁଲିଂ ବୁଥରେ ପହଞ୍ଚି ଭୋଟ୍ ଦେବା ଜାରି ରଖିଛନ୍ତି।

ଆସାମ ଏବଂ ପୁଡୁଚେରୀରେ ଏନଡିଏ ସରକାର ଥିବା ଦଳ ପୁଣିଥରେ ନିଜ ଗଡ଼ ବଞ୍ଚାଇବାରେ ସକ୍ଷମ ହେବ ନାଁ ଇଣ୍ଡିଆ ମେଣ୍ଟ ଏଠାରେ ପ୍ରତ୍ୟାବର୍ତ୍ତନ କରିବ, ଏହି ନିର୍ବାଚନ ତା’ର ଏକ ପରୀକ୍ଷା ହେବ।

Also Read- Assam Election : ରାତି ପାହିଲେ ଭୋଟ୍, ଦଳ ଛାଡିଲେ କଂଗ୍ରେସ ପ୍ରାର୍ଥୀ : ପଠାଇଦେଲେ ଇସ୍ତଫା ପତ୍ର

ଆସାମରେ, ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଏନଡିଏ(NDA) ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ମଧ୍ୟରେ କଡ଼ା ଟକ୍କର ହେବ। ଏନଡିଏରେ ବିଜେପି ଏବଂ ଏହାର ସହଯୋଗୀ ଦଳ ଯେପରିକି ଆସାମ ଗଣ ପରିଷଦ (AGP) ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ସାମିଲ ଅଛନ୍ତି। ସେମିତି ବିରୋଧୀ ମେଣ୍ଟରେ କଂଗ୍ରେସ ସହିତ ଏଆଇୟୁଡିଏଫ୍( AIUDF) ଏବଂ ରାଇଜୋର(Raijor Dal) ଭଳି ଦଳ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ୁଛନ୍ତି।

ସେହିପରି କେରଳ କଥା ଯଦି ଦେଖିବା ଏଠାରେ ଦ୍ୱାପାକ୍ଷିକ ଲଢ଼େଇ ହେବ। ସିପିଆଇ(ଏମ୍) ନେତୃତ୍ୱାଧୀନ ରୁଲିଂ ଲେଫ୍ଟ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏଲଡିଏଫ୍) ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (ୟୁଡିଏଫ୍) ମଧ୍ୟରେ ଏଠାରେ ସିଧାସଳଖ ଫାଇଟ୍ ହେବ। କେରଳରେ ବିଜେପି ନେତୃତ୍ୱାଧୀନ ଏନଡିଏର ଛୋଟ ସେତେ ବଡ ନୁହେଁ। ତେଣୁ ଦଳ ଏଠାରେ ଏହାର କ୍ଷମତା ବିସ୍ତାର କରିବାକୁ ଚେଷ୍ଟା କରିବ।

ତେବେ ପୁଡୁଚେରୀରେ କିନ୍ତୁ ଏନ୍‌ଡିଏ ଓ ଇଣ୍ଡିଆ ମେଣ୍ଟ ମଧ୍ୟରେ ଜୋରଦାର ଲଢ଼େଇ ହେବ। ଏଠାରେ ବିଜେପି ନେତୃତ୍ୱାଧୀନ ଏନଡିଏ, ଅଖିଳ ଭାରତ ଏନଆର କଂଗ୍ରେସ (ଏଆଇଏନଆରସି) ଓ ଅନ୍ୟ ସହଯୋଗୀ ଦଳଗୁଡ଼ିକୁ ସହ ମିଶି ମୁକାବିଲା କରୁଛି। ସେହିପରି କଂଗ୍ରେସ ଓ ଡିଏମକେ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ଏଠାରେ ଜୋରଦାର ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି।

ଏହି ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନ ଜାରି ରହିଥିବା ସହିତ ଅନ୍ୟ କିଛି ରାଜ୍ୟରେ ପାଞ୍ଚ ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେଉଛି। ସେଗୁଡ଼ିକ ହେଲା- ପୋଣ୍ଡା (ଗୋଆ), ବାଗଲକୋଟ ଏବଂ ଦାବନଗେରେ ଦକ୍ଷିଣ (କର୍ଣ୍ଣାଟକ), କୋରିଡାଙ୍ଗ (ନାଗାଲାଣ୍ଡ) ଏବଂ ଧର୍ମନଗର (ତ୍ରିପୁରା)। ଏହିସବୁ ଅଞ୍ଚଳଗୁଡ଼ିକରେ ଜିତିଥିବା ବିଧାୟକଙ୍କ ମୃତ୍ୟୁ ଯୋଗୁ ଶିଟ୍ ପୂରଣ ପାଇଁ ଉପନିର୍ବାଚନ ହେଉଛି।
​​​​​​​Also Read-
​​​​​​​ TMC vs EC : ମମତାଙ୍କ TMCକୁ ଇସିଙ୍କ ପରାମର୍ଶ ନା ଧମକ ? ଏକ୍ସରେ 'ଦୋ ଟୁକ୍' ପୋଷ୍ଟକୁ ନେଇ ତୀବ୍ର ପ୍ରତିକ୍ରିୟା, ଆଗକୁ ବାହାରିଲେ ଅଖିଲେଶ ଓ କେଜ୍ରିଓ୍ୱାଲ

​​​​​​​ଆସାମ ନିର୍ବାଚନ- ଆସାମରେ, ୧୨୬ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଲଢ଼େଇ ହେଉଛି। ଏଠାରେ ମୁଖ୍ୟତଃ ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହେଉଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବିଜେପି ପାଇଁ ହ୍ୟାଟ୍ରିକ୍ ବିଜୟ ଆଶା କରୁଥିବା ବେଳେ ଗୌରବ ଗୋଗୋଇଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟରେ ପୁଣିଥରେ କ୍ଷମତାକୁ ଫେରିବାକୁ ଲକ୍ଷ୍ୟ ରଖିଛି। ଆସାମ ନିର୍ବାଚନରେ ମୋଟ ୭୨୨ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ରାଜ୍ୟରେ ୩୧,୪୯୦ ମତଦାନ କେନ୍ଦ୍ର ହୋଇଥିବା ବେଳେ ୨.୫ କୋଟିରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ତ କରିବେ।

ରାଜ୍ୟର କିଛି ହାଇଭୋଲଟେଜ୍ ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଛି ଜାଲୁକବାରି ନିର୍ବାଚନ ମଣ୍ଡଳୀ। କାରଣ ଏହିଠାରେ ନିର୍ବାଚନ ଲଢ଼ୁଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା। ଏହି ଆସନରୁ ସେ କ୍ରମାଗତ ଷଷ୍ଠ ଥର ପାଇଁ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଜୋରହାଟରୁ ଲଢ଼ୁଛନ୍ତି କଂଗ୍ରେସର ଗୌରବ ଗୋଗୋଇ ଗୌରବ ବର୍ତ୍ତମାନ ଜୋରହାଟରୁ ଲୋକସଭା ସାଂସଦ ଅଛନ୍ତି। ହେଲେ ଏଥର ସେ ବିଧାନସଭା ପାଇଁ ଫାଇଟ କରୁଛନ୍ତି। 

ନିର୍ବାଚନରେ ଥିବା ଅନ୍ୟ ଦଳଗୁଡ଼ିକ ହେଲେ- ବଦରୁଦ୍ଦିନ୍ ଆଜମଲଙ୍କ ନେତୃତ୍ୱାଧୀନ ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF), ଅଖିଳ ଗୋଗୋଇଙ୍କର ରାଇଜୋର ଦଳ ଏବଂ ଲୁରିଞ୍ଜ୍ୟୋତି ଗୋଗୋଇଙ୍କ ନେତୃତ୍ୱାଧୀନ ଆସାମ ଜାତୀୟ ପରିଷଦ। ନିର୍ବାଚନ ରଣାଙ୍ଗନରେ ଏକାଧିକ ଦଳ ଲଢ଼ୁଥିବାରୁ ଆସାମ ନିର୍ବାଚନ ଏକ ବହୁମୁଖୀ ଫାଇଟ୍ ହେବ।

​​​​​​​୨୦୨୧ ଆସାମ ବିଧାନସଭା ନିର୍ବାଚନରେ, ବର୍ତ୍ତମାନ କ୍ଷମତାରେ ଥିବା ଏନଡିଏ ୭୬ଟି ଆସନ ଜିତିଥିଲା। କଂଗ୍ରେସ ନେତୃତ୍ୱାଧୀନ ମହାଜୋତ (ୟୁପିଏ) ପ୍ରାୟ ୪୯ଟି ଆସନ ପାଇଥିଲା। ଏହି ନିର୍ବାଚନରେ ବିଜେପି ଏକାକୀ ୬୦ଟି ଆସନ ଜିତିବା ସହ ଏକକ ବୃହତ ଦଳ ଭାବରେ ଉଭା ହୋଇଥିଲା। ତା’ପରେ କଂଗ୍ରେସ ସର୍ବାଧିକ ୨୯ଟି ଆସନ ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା।


​​​​​​​କେରଳ ନିର୍ବାଚନ- କେରଳରେ, ୧୪୦ଟି ଆସନ ପାଇଁ ମୋଟ ୮୮୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ରାଜ୍ୟର ୨.୭୧ କୋଟି ଭୋଟର ଏମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। କେରଳରେ କ୍ଷମତାସୀନ ରୁଲିଂ ଲେପ୍ଟ ଡେମେକ୍ରାଟିକ୍‌ ଫ୍ରଣ୍ଟ (LDF) ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ(UDF) ମଧ୍ୟରେ ପାରମ୍ପରିକ ଦ୍ୱିପାକ୍ଷିକ ଲଢ଼େଇ ହେବ।

ପ୍ରସଙ୍ଗ- ଶାସକ ଏଲଡିଏଫ୍‌ ଏହାର କଲ୍ୟାଣକାରୀ ଯୋଜନା, ସାମାଜିକ ସୁରକ୍ଷା ପଦକ୍ଷେପ ଏବଂ ଶାସନ ରେକର୍ଡ ଉପରେ ଭରସା କରି ପୁଣି ଥରେ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରିବ। ସେପଟେ ୟୁଡିଏଫ୍‌ ବେକାରୀ, ବୃଦ୍ଧି ପାଉଥିବା ମୂଲ୍ୟବୃଦ୍ଧି ଏବଂ ଆର୍ଥିକ ଭୁଲ ପରିଚାଳନାର ଅଭିଯୋଗ ଉଠାଇ ଭୋଟରଙ୍କ ଧ୍ୟାନ୍ ଆକର୍ଷଣ କରିବାକୁ ଚେଷ୍ଟା କରିବ।

ମୁଖ୍ୟ ପ୍ରାର୍ଥୀ- ଏଲଡିଏଫର ପ୍ରମୁଖ ଚେହେରା ହେଉଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ। ସେ ପୁଣି ଥରେ ତାଙ୍କ ବିକାଶର ଏଜେଣ୍ଡା ନେଇ କନ୍ନୁରର ଧର୍ମଦାମରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହି ଆସନଟି ସିପିଆଇ(ଏମ)ର ଗଡ଼ ଭାବେ ସାବ୍ୟସ୍ତ ହୋଇଛି। ବିଜୟନ ଏହି ଆସନରୁ ୨୦୧୬ ମସିହାରୁ ପ୍ରତିନିଧିତ୍ୱ କରିଆସୁଛନ୍ତି। ସେପଟେ ୨୦୦୧ ମସିହାରୁ ପାରାଭୁରରେ ଅପରାଜିତ ଥିବା ବିରୋଧୀ ଦଳ ନେତା ଭିଡି ସତିସାନ୍ ପୁଣି ଥରେ ତାଙ୍କ ଗଡ଼ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛନ୍ତି।

କେରଳ ନିର୍ବାଚନରେ ସମସ୍ତଙ୍କ ନଜର ନେମୋମ ଆସନ ଉପରେ ରହିଛି। କାରଣ ଏହି ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ କେରଳ ବିଜେପି ମୁଖ୍ୟ ରାଜୀବ ଚନ୍ଦ୍ରଶେଖର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ନେମୋମ ଆସନ ୨୦୧୬ରେ ବିଜେପି ହାତରେ ଥିଲା। ହେଲେ ଗତ ୨୦୨୧ ନିର୍ବାଚନରେ ଏଠାରୁ ବାମପନ୍ଥୀ ଦଳ ବିଜୟୀ ହୋଇଥିଲା।

ସେହିପରି ନିପା ମହାମାରୀ ଏବଂ କୋଭିଡ୍ -୧୯ ମହାମାରୀ ସମୟରେ ଦୃଢ଼ ନେତୃତ୍ୱ ପାଇଁ ଲୋକପ୍ରିୟ ହୋଇ ଉଠିଥିବା କେକେ ଶୈଳଜା ଏହି ନିର୍ବାଚନରେ ପେରାଭୁରରୁ ପ୍ରାର୍ଥୀ ହୋଇଛନ୍ତି। ବାମପନ୍ଥୀ ଦଳର ସେ ଜଣେ ପ୍ରମୁଖ ଚେହେରା। ପେରାଭୁର ଆସନ ପାରମ୍ପାରିକ ଭାବରେ କଂଗ୍ରେସର ଗଡ଼ ହେଇ ଆସିଛି। ଏହି ଠାରୁ ଭିଡି ସାତିସାନ୍ ନିର୍ବାଚନ ଜିତି ଆସୁଛନ୍ତି।

ସେହିପରି ଦିମ୍ବଗତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଓମେନ ଚାଣ୍ଡିଙ୍କ ପୁଅ ଚାଣ୍ଡି ଓମେନ ପୁଥୁପାଲ୍ଲୀରୁ ନିର୍ବାଚନ ଲଡ଼ୁଛନ୍ତି। ୨୦୨୩ ଉପନିର୍ବାଚନରେ ଏହି ଆସନରୁ ତାଙ୍କ ବାପା ଓମେନ ଚାଣ୍ଡି ୩୫ ହଜାର ଭୋଟ୍‌ରେ ବିଜୟୀ ହୋଇଥିଲେ।

କେରଳରେ ୩୦,୪୯୫ ଟି ବୁଥ୍‌ରେ ମତଦାନ ହେଉଛି। ନିର୍ବାଚନ ପରିଚାଳନ ପାଇଁ ୧.୪୬ ଲକ୍ଷ ଅଧିକାରୀ ଏବଂ ୭୬,୦୦୦ ସୁରକ୍ଷା କର୍ମୀ ନିୟୋଜିତ ଅଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ବୁଥରେ ପାଣି ଏବଂ ପଙ୍ଖା ଭଳି ବ୍ୟବସ୍ଥା ମଧ୍ୟ କରିଛନ୍ତି।

ଉଲ୍ଲେଖନୀୟ ଯେ, କେରଳରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନ ହେବାର ରେକର୍ଡ ରହିଥିଲା। ହେଲେ ୨୦୨୧ ମସିହାରେ ଏହି ପ୍ୟାଟର୍ଣ୍ଣ ଭାଙ୍ଗିଯାଇଥିଲା। କ୍ଷମତାସୀନ ଏଲ୍‌ଡିଏଫ୍କୁ ଜନତା ଦ୍ୱିତୀୟ ଥର ବିପୁଳ ଭୋଟ୍ ଦେଇ ଜୟଯୁକ୍ତ କରାଇଥିଲେ। ଏଲଡିଏପ୍ ୧୪୦ ଆସନରୁ ୯୭ଟି ଜିତିଥିବା ବେଳେ ୟୁଡିଏଫ୍‌ ହାତେଇ ଥିଲା ମାତ୍ରା ୪୧ ଆସନ। ଅନ୍ୟାନ୍ୟମାନେ ପାଇଥିଲେ ମାତ୍ର ଦୁଇଟି ଆସନ।

ପୁଡ଼ୁଚେରୀ ଲଢ଼େଇ- ପୁଡୁଚେରୀରେ, ୩୦ଟି ବିଧାନସଭା ଆସନ ପାଇଁ ୨୯୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ପ୍ରାୟ ୯.୫ ଲକ୍ଷ ଭୋଟର ଏହି ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମୀଙ୍କ ନେତୃତ୍ୱରେ ଏନଡିଏ ମେଣ୍ଟ ଏଠାରେ କ୍ଷମତା ବଜାୟ ରଖିବାକୁ ପୁଣିଥରେ ଚେଷ୍ଟା କରୁଛି। ରଙ୍ଗାସାମୀ ଥାଟନଚାୱାଡି ଏବଂ ମଙ୍ଗଳମ ଏହି ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

କଂଗ୍ରେସ, ଡିଏମକେ ଏବଂ ବିଦୁଥଲାଇ ଚିରୁଥାଇଗଲ କାଚି (ଭିସିକେ)ଙ୍କୁ ନେଇ ଗଠିତ ଇଣ୍ଡିଆ ମେଣ୍ଟ ସ୍ଥାନୀୟ ସ୍ୱାୟତ୍ତତା ଏବଂ କେନ୍ଦ୍ର ସହିତ ପ୍ରଶାସନିକ ଲଢ଼େଇକୁ ଅଭିଯୋଗ କରି କ୍ଷମତାକୁ ଫେରିବା ପାଇଁ ପ୍ରୟାସ କରୁଛି। ତେବେ ଏହି ପ୍ରତିଯୋଗିତାରେ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଅଭିନେତା ବିଜୟଙ୍କ ତାମିଲଗା ଭେଟ୍ଟ୍ରି କାଝାଗମ (ଟିଭିକେ)ଦଳର ଏଣ୍ଟ୍ରି। ଯାହା ଏଠାରେ ତୃତୀୟ ସାମୁଖ୍ୟ ଭାବରେ ଉଭା ହେବାକୁ ଚେଷ୍ଟା କରୁଛି।

୨୦୨୧ ନିର୍ବାଚନରେ, AINRC ୧୦ଟି ଆସନ ଜିତିଥିଲା। ଏହାର ସହଯୋଗୀ ବିଜେପି ୬ଟି ଆସନ ପାଇଥିଲା। ଫଳରେ ୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନ୍‌ଡିଏର ସଂଖ୍ୟା ୧୬କୁ ବୃଦ୍ଧି ପାଇଥିଲା। ଡିଏମ୍‌କେ-କଂଗ୍ରେସ ନେତୃତ୍ୱାଧୀନ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ମାତ୍ର ୮ଟି ଆସନ ଜିତିଥିଲା। ଏଥର ଟିଭିକେ ତୃତୀୟ ଦଳ ଭାବେ ଉଭୟ ହୋଇଥିବାରୁ ଟକ୍କର ଖୁବ୍ ରୋଚକ ହେବ। ପୁଡ଼ୁଚେରୀରେ ତିନି କୋଟିରୁ ଅଧିକ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ମେ ୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରିଯିବ। ​​​​​​​

​​​​​​​

​​​​​​​

 

​​​​​​​​​​​​​​