ନୂଆଦିଲ୍ଲୀ, ୦୮/୦୪ :ଏକ୍ସରେ ପୋଷ୍ଟ୍ କଲେ ନିର୍ବାଚନ କମିଶନ । ବଢିଗଲା ବିବାଦ । ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ତାତି ମଧ୍ୟରେ ଏବେ ନିର୍ବାଚନ କମିଶନଙ୍କ ପୋଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା । ଯାହାକୁ ବିରୋଧି ମଧ୍ୟ କାଉଣ୍ଟର କରିବା ଆରମ୍ଭ କଲେଣି ।

ରିପୋର୍ଟ ଅନୁସାରେ, ବୁଧବାର ନିର୍ବାଚନ କମିଶନ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି । ଯେଉଁଥିରେ ସେ ପଶ୍ଚିମବଙ୍ଗ ନିର୍ବାଚନ କଥା କହିଛନ୍ତି । ଏହାସହ ସିଧାସଳଖ ତୃଣମୂଳ କଂଗ୍ରେସର ନାଁ ନେଇ ଟାର୍ଗେଟ୍ କରିଛନ୍ତି । ଖାଲି ଏତିକି ନୁହେଁ ଏଠାରେ ଟିଏମସି କୋ ଦୋ ଟୁକ୍ ବୋଲି ହିନ୍ଦୀରେ କମିଶନ ଲେଖିଛନ୍ତି । ଯାହାର ଅର୍ଥ କମିଶନ ଟିଏମସିକୁ ସ୍ପଷ୍ଟ ଜବାବ ଦେଇଛନ୍ତି ।

ପୋଷ୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଏଥର ପଶ୍ଚିମବଙ୍ଗ ନିର୍ବାଚନ ବିନା ଭୟରେ, ବିନା ହିଂସାରେ, ବିନା ଧମକରେ, ବିନା ଲୋଭରେ ହେବ । ତେବେ ବୁଧବାର ନୂଆଦିଲ୍ଲୀରେ ନିର୍ବାଚନ ସଦନରେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଏବଂ ଟିଏମସିର ପ୍ରତିନିଧିମଣ୍ଡଳ ମଧ୍ୟରେ ବୈଠକ ବସିଥିଲା । ଯେଉଁଥିରେ ଡାରେକ୍ ଓ ବ୍ରାୟନ, ମେନକା ଗୁରୁସ୍ୱାମୀ ଏବଂ ସାଗରିକା ଘୋଷ ଉପସ୍ଥିତ ଥିଲେ । ଏହାପରେ କମିଶନ ଏପରି ପୋଷ୍ଟ୍ କରିଛନ୍ତି ।

ନିର୍ବାଚନ କମିଶନଙ୍କ ଏକ୍ସ ପୋଷ୍ଟ ପରେ ତୃଣମୂଳ କଂଗ୍ରେସ ଟାର୍ଗେଟ୍ କରିଛି । ଦଳ ପକ୍ଷରୁ କୁହାଯାଇଛି ଯେ, ଆଜି ସମସ୍ତେ ଦେଖୁଛନ୍ତି କିପରି ଏକ ସ୍ୱାଧିନ ସାମ୍ବିଧାନିକ ସଂସ୍ଥା ବ୍ୟବହାର କରୁଛି । ସେହିପରି ଆପ୍ ନେତା ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି ଯେ, ଆୟୋଗ ସିଧାସଳଖ ବିଜେପିଠୁ ନିର୍ଦ୍ଦେଶ ନେଇ କାମ କରୁଛନ୍ତି । ସେ ବିଜେପି ଅଧିନରେ କାର୍ଯ୍ୟ କରୁଛନ୍ତି । ଯାହା ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଏହାକୁ ନେଇ କଟାକ୍ଷ କରିଛନ୍ତି । କମିଶନଙ୍କ ବିନା ସଠିକ୍ ନିର୍ବାଚନ ହେବ ବୋଲି ସେ କହିଛନ୍ତି ।