ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ତାଗିଦ ପରେ ନ୍ୟାସନାଲ କାଉନସିଲ ଅଫ ଏଜୁକେସନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଇଆରଟି) ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ପୁସ୍ତକରେ କେତେକ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ଏଥିରେ ସବୁଠୁ ଜରୁରି ପରିବର୍ତ୍ତନ ନ୍ୟାୟପାଳିକାରେ ଭ୍ରଷ୍ଟାଚାର ସମ୍ପର୍କିତ ବିଷୟରେ କରାଯାଇଛି। ଏହା ଛଡା ଏହି ପୁସ୍ତକରେ ୧୯୪୭ ବିଭାଜନରେ କଂଗ୍ରେସର ଆଭିମୁଖ୍ୟ ଓ ଏଡଲ୍ଫ ହିଟଲରଙ୍କ ନାଜି ବିଚାରଧାରା ଉଲ୍ଲେଖକୁ ହଟା ଯାଇଛି।

ଏହା ବଦଳେ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟୋଣ୍ଡ’ ପୁସ୍ତକ ଜାରି କରାଯାଇଛି। ସୁପ୍ରିମକୋର୍ଟ ନ୍ୟାୟପାଳିକା ସମ୍ପର୍କିତ ପୁରୁଣା କଣ୍ଟେଣ୍ଟକୁ ଆପତ୍ତିଜନକ କହିଥିଲେ ଓ ଏହାର ସମସ୍ତ ଫିଜିକାଲ ଓ ଡିଜିଟାଲ କପି ପ୍ରତ୍ୟାହାର କରିବାକୁ କହିଥିଲେ। ନୂଆ ପୁସ୍ତକରେ ଭାରତର ସ୍ୱାଧୀନତା ଓ ବିଭାଜନ ସମ୍ପର୍କିତ ଇତିହାସ ବିଷୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଥିରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନରେ ବିଭାଜନ ଉପରେ କଂଗ୍ରେସର ଆଭିମୁଖ୍ୟ ସମ୍ପର୍କିତ। ପୁରୁଣା ପୁସ୍ତକରେ କୁହାଯାଇଥିଲା ଯେ ଯଦିଓ ମହାତ୍ମା ଗାନ୍ଧି ଓ କଂଗ୍ରେସର ଅଧିକାଂଶ ନେତା ବିଭାଜନକୁ ବିରୋଧ କରିଥିଲେ ହେଲେ ଶେଷରେ ସେମାନେ ଏହା ହିଁ ଆଗକୁ ବଢିବା ପାଇଁ ଏକମାତ୍ର ରାସ୍ତା ସ୍ୱୀକାର କରିନେଇଥିଲେ ବୋଲି ଉଲ୍ଲେଖ ଥିଲା।

ତେବେ ପୁସ୍ତକର ନୂଆ ସଂସ୍କରଣରେ ବିଭାଜନକୁ କଂଗ୍ରେସ ମଧ୍ୟ ଜୋରଦାର ବିରୋଧ କରିଥିଲା ଓ ଏହା ବି କହିଥିଲା ଯେ କଣ ଏହାକୁ ସ୍ୱୀକାର କରିବା ଆଗକୁ ବଢିବାର ଏକମାତ୍ର ରାସ୍ତା? ନୂଆ ସଂସ୍କରଣରେ ପୁରୁଣା ସଂସ୍କରଣର ଏକ ବାକ୍ୟାଂଶକୁ ବି ହଟାଇ ଦିଆଯାଇଛି। ଯେଉଁଥିରେ କୁହାଯାଇଥିଲା ‘ବିଭାଜନ କାଳରେ ଯେବେ ପୁରା ଉପମହାଦ୍ୱୀପରେ ସାମ୍ପ୍ରଦାୟିକ ନରସଂହାର ହେଉଥିଲା, ସେତେବେଳେ କଂଗ୍ରେସ ନେତା ବିବସ ଥିଲେ’। ଏଥିରେ ଆଉ ଏକ ପରିବର୍ତ୍ତନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନଦ୍ର ବୋଷଙ୍କ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଉଦ୍ୟମ ସମ୍ପର୍କରେ ଥିଲା। ପୂର୍ବ ସଂସ୍କରଣରେ କୁହାଯାଇଥିଲା ଯେ ବୋଷ ଏଡଲ୍ଫ ହିଟଲରଙ୍କ ସମର୍ଥନ ମାଗିଥିଲେ ଓ ଜର୍ମାନ ନେତାଙ୍କୁ ଏକଛତ୍ରବାଦୀ କହିଥିଲେ। ଏହାକୁ ବଦଳାଇ ନୂଆ ପୁସ୍ତକରେ ବୋଷ ବ୍ରିଟିଶ ବିରୋଧୀ ଶକ୍ତିଙ୍କୁ ସମର୍ଥନ ମାଗିଥିଲେ । ଏଥିରେ ହିଟଲର ଅଥବା ନାଜି ବିଚାରଧାରାର କୌଣସି ସମ୍ପର୍କ ଉଲ୍ଲେଖ ନାହିଁ।

ଇତିହାସ ବିଷୟକୁ ସମ୍ପ୍ରସାରଣ କରାଯାଇଛି ଓ ଏଥିରେ ବିନାୟକ ଦାମୋଦର ସାଭରକରଙ୍କ ବିଷୟ ସାମିଲ କରାଯାଇଛି। ଏଥିରେ କୁହାଯାଇଛି ଯେ ପୂର୍ଣ୍ଣ ସ୍ୱାଧୀନତା ଦାବି ଉପରେ ଚର୍ଚ୍ଚା କାଳରେ ୧୯୨୫ରେ ସାଭରକର ସ୍ୱରାଜର ଏପରି ଦାବି କରିଥିଲେ। ସଂଶୋଧିତ ପୁସ୍ତକ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପର କିଛି ମାସ ପରେ ଆସିଛି। ଯେଉଁଥିରେ ନ୍ୟାୟପାଳିକା ଉପରେ ଏକ ବିଷୟରେ ଦୁର୍ନୀତି, କୋର୍ଟରେ ବିଚାରଧୀନ ମାମଲା ସଂଖ୍ୟା ଓ ବିଚାରପତିମାନଙ୍କ ବିରୋଧରେ ଅଭିଯୋଗ ଉପରେ ଚର୍ଚ୍ଚା କରାଯାଇଥିଲା।