ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ। ନାୟରା ଏନର୍ଜି ପେଟ୍ରୋଲ ଓ ଡିଜେଲ ଦାମ ବଢ଼ାଇ ଦେଇଛି। ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୩ ଟଙ୍କା ବଢ଼ାଇଛି କମ୍ପାନୀ। ଶନିବାର ସକାଳୁ ଏହି ନୂଆ ଦର ଲାଗୁ ହୋଇଛି। ଫଳରେ ଭୁବନେଶ୍ୱରରେ ନାୟରା ଏନର୍ଜିରେ ପେଟ୍ରୋଲ ଦର ଲିଟର ପ୍ରତି ୧୧୩. ୯୭ ଟଙ୍କା ରହିଥିବା ବେଳେ ଡିଜେଲ୍ ମୂଲ୍ୟ ରହିଛି ୧୦୩.୬୮ ଟଙ୍କା।

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁ ଖୁଚୁରା ମୂଲ୍ୟ ଓ ବର୍ଦ୍ଧିତ ଖର୍ଚ୍ଚ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ତେବେ ଚଳିତ ବର୍ଷ ଏହା କମ୍ପାନୀର ଦ୍ୱିତୀୟ ଦର ବୃଦ୍ଧି। ଏହା ପୂର୍ବରୁ ଯେତେବେଳେ ଇରାନ ସଂଘର୍ଷ ହେଲା ସେତେବେଳେ ନାୟରା ପେଟ୍ରୋଲ ଉପରେ ୫ ଟଙ୍କା ଓ ଡିଜେଲ ଉପରେ ୩ ଟଙ୍କା ବଢ଼ାଇଥିଲା।

ହେଲେ ପରେ ଯେବେ ପଶ୍ଚିମ ଏସିଆରେ ମାହୋଲ ଟିକେ ଶାନ୍ତ ପଡ଼ିଲା। ଅନ୍ତର୍ଜାତୀୟ ସ୍ତରରେ କ୍ରୁଡର ଦାମ କମିଲା ତେବେ କମ୍ପାନୀ ଜୁଲାଇ ୧ରୁ ପେଟ୍ରୋଲ ଉପରେ ୫ ଓ ଡିଜେଲ ଉପରେ ୩ ଟଙ୍କା ହ୍ରାସ କରିଦେଇଥିଲା। ଏବେ ପୁଣି ଦର ବୃଦ୍ଧି ଯୋଗୁ କମ୍ପାନୀ ତୈଳ ଦର ବୃଦ୍ଧି କରିଛି।ଷ

ସରକାରୀ କମ୍ପାନୀ ବଢ଼ାଇ ନାହାନ୍ତି ଦର

ଯଦି ଓ ନାୟରା ଭଳି ବେସରକାରୀ କମ୍ପାନୀ ତୈଳ ଦର ବୃଦ୍ଧି କରିଛି ହେଲେ ସରକାରୀ କମ୍ପାନୀ ଇଣ୍ଡିଆନ ଅଏଲ୍ କର୍ପୋରେସନ (ଆଇଓସି), ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ଏଚପିସିଏଲ) ଏପର୍ଯ୍ୟନ୍ତ କୌଣସି ଦର ବୃଦ୍ଧି ଘୋଷଣା କରିନାହାଁନ୍ତି। ଅନ୍ୟପଟେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜି୍ର ଜିଓ ମଧ୍ୟ କୌଣସି ପରିବର୍ତ୍ତନ କରି ନାହିଁ।

ଦୈନିକ ୫୩୦ କୋଟି କ୍ଷତି ସହୁଛନ୍ତି ସରକାରୀ ତୈଳ କମ୍ପାନୀ

ରେଟିଂ ଏଜେନ୍ସି ICRA ର ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସତ୍ତ୍ୱେ, ଭାରତରେ ଖୁଚୁରା ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଉ ନାହିଁ। ଏହା ସ୍ଥିର ରହୁଥିବାରୁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ କ୍ଷତି ସହୁଛନ୍ତି। ଇଣ୍ଡିଆନ୍ ଅଏଲ୍, ଏଚ୍ପି ଏବଂ ବିପିସିଏଲ୍ ଭଳି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲରେ ପ୍ରତି ଲିଟର ପ୍ରାୟ ୮ ଟଙ୍କା ଏବଂ ଡିଜେଲରେ ପ୍ରତି ଲିଟର ୯ ଟଙ୍କା କ୍ଷତି ସହୁଛନ୍ତି। ICRA ଆକଳନ ଅନୁଯାୟୀ, ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ଉପରେ ପ୍ରତିଦିନ ପ୍ରାୟ ୫୩୦ କୋଟି କ୍ଷତି ସହୁଛନ୍ତି।

ମେ ମାସରେ ଦର ବୃଦ୍ଧି କରିଥିଲେ ସରକାରୀ କମ୍ପାନୀ

ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ବୃଦ୍ଧି ପରେ ଗତ ଥର ଯେତେବେଳ ଘରୋଇ କମ୍ପାନୀଗୁଡ଼ିକ ତୈଳଦର ବୃଦ୍ଧି କରିଥିଲେ, ସେତେବେଳେ ସରକାରୀ କମ୍ପାନୀଗୁଡ଼ିକ ବି ମୂଲ୍ୟ ବୃଦ୍ଧି କରିଥିଲେ।

ମେ ମାସରେ, ଆଇଓସି, ବିପିସିଏଲ୍, ଏବଂ ଏଚପିସିଏଲ୍, ଉଚ୍ଚ ଆନ୍ତର୍ଜାତୀୟ ଅଶୋଧିତ ମୂଲ୍ୟ ଦର୍ଶାଇ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କିସ୍ତିରେ ପ୍ରତି ଲିଟର ପିଛା ₹୭.୫୦ ବୃଦ୍ଧି କରିଥିଲେ। ଏହି ତିନୋଟି ସରକାରୀ କମ୍ପାନୀ ଦେଶର ୧୦୦,୦୦୦ରୁ ଅଧିକ ପେଟ୍ରୋଲ ପମ୍ପର ୯୦% ରୁ ଅଧିକ ନିୟନ୍ତ୍ରଣ କରନ୍ତି। ତେଣୁ ଏମାନଙ୍କର ଦର ବୃଦ୍ଧି ପରେ ବର୍ତ୍ତମାନ ପେଟ୍ରୋଲ ଦର ଭୁବନେଶ୍ୱରେ ପାଖାପାକି ୧୦୯ ଟଙ୍କା ରହିଛି। ସେହିପରି ଡିଜେଲ ଦର ୧୦୩ ହୋଇଛି।