ଭୁବନେଶ୍ଵର: ଗତକାଲି ପୋଲିସ ଏକାଡେମୀରେ ଅନୁଷ୍ଠିତ ୧୩ତମ ବ୍ୟାଚ୍ ଏସ.ଆଇ ଅଧିକାରୀମାନଙ୍କ ଦୀକ୍ଷାନ୍ତ ସମାରୋହ। ଅର୍ଥାତ ସମସ୍ତ ନବନିଯୁକ୍ତ ଏସଆଇ ନିଜ କାର୍ଯ୍ୟରେ ଯୋଗ ଦେଉଛନ୍ତି। ଗତକାଲି ଆୟୋଜିତ ଏହି ସମାରୋହକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ତେରଛା ବାଣ ମାରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କିଛି ନ କରି ସବୁଥିରେ ବିଜେପି ମିଛ ଶ୍ରେୟ ନେଉଥିବା ନବୀନ କହିଛନ୍ତି।

ନବୀନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ଗୋଟିଏ ପଟେ ସବ୍-ଇନ୍ସପେକ୍ଟର୍ ବ୍ୟାଚ୍ ପ୍ରଶିକ୍ଷଣ ଶେଷ କରି ନିଯୁକ୍ତି ପାଉଥିବା ବେଳେ, ଅନ୍ୟ ପଟେ ହଜାର ହଜାର ଆଶାୟୀ ପେପର୍ ଲିକ୍ ଯୋଗୁଁ ଏବେ ବି ଅନିଶ୍ଚିତତାରେ। ଶୁକ୍ରବାର ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀରେ ଅନୁଷ୍ଠିତ ୧୩ତମ ବ୍ୟାଚ୍ ଏସ.ଆଇ ଅଧିକାରୀମାନଙ୍କ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସଲାମୀ ଗ୍ରହଣ କଲେ। ହେଲେ ପ୍ରକୃତ କଥା ହେଉଛି, ଦୁଇ ବର୍ଷର ପ୍ରଶିକ୍ଷଣ ସାରି ଓଡ଼ିଶା ପୋଲିସରେ ଯୋଗ ଦେଇଥିବା ଏହି ୩୩୬ ଜଣ ଅଧିକାରୀଙ୍କ ନିଯୁକ୍ତି ପ୍ରକ୍ରିୟା ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିଲା।

Also Read: FCI ଚାଉଳ ଉଠାଇବ ଧୀରେ ଧୀରେ: ଯୋଗାଣ ମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି

ନବନିଯୁକ୍ତ ସମସ୍ତ ଅଧିକାରୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ନ୍ୟାୟିକ ବ୍ୟବସ୍ଥାକୁ ମଜଭୁତ କରିବା ସହ ଲୋକଙ୍କ ସେବାର ଦୃଢ଼ ସଙ୍କଳ୍ପ ନେଇ ସମସ୍ତେ କାର୍ଯ୍ୟ କରନ୍ତୁ। ସବୁଠୁ ବିଡ଼ମ୍ବନାର ବିଷୟ ହେଉଛି, କିଛି ନ କରି ମିଛ ଶ୍ରେୟ ନେବାକୁ ବିଜେପି ସରକାର ଆଗରେ। ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ, ପ୍ରଶ୍ନପତ୍ର ଲିକ୍ ପାଇଁ ୨୦୨୫ରେ ବାତିଲ ହୋଇଥିବା 'କମ୍ବାଇଣ୍ଡ ପୋଲିସ ସର୍ଭିସ୍ ପରୀକ୍ଷା' କେବେ ହେବ ? କେବେ ପ୍ରଶ୍ନପତ୍ର ବିକ୍ରି ଓ ଲିକ୍ ରାକେଟ୍ରେ ସମ୍ପୃକ୍ତ ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ ?

ହଜାର ହଜାର ଯୁବକ, ଯୁବତୀଙ୍କ ପ୍ରାୟ ଏକ ବର୍ଷ ସମୟ ବିଜେପି ସରକାର ନଷ୍ଟ କରି ସାରିଲାଣି। ଡବଲ୍ ଇଞ୍ଜିନ୍ ସରକାରର ଅପାରଗତା ଓଡ଼ିଶାର ଯୁବ ସମାଜକୁ ହତାଶ କରିଛି। ଆଶାୟୀଙ୍କ ସ୍ୱପ୍ନ ଓ ଭବିଷ୍ୟତକୁ ବିଜେପି ସରକାର ଅନିଶ୍ଚିତତା ଭିତରକୁ ଠେଲି ଦେଇଛି। ଏହି ବିଳମ୍ବ ସେମାନଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରୁଛି। ସରକାରୀ ନିଯୁକ୍ତିରେ ନିରପେକ୍ଷତା ଓ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କ ଭରସାକୁ ମଧ୍ୟ ଏହା କ୍ଷତି ପହଞ୍ଚାଉଛି। ସରକାର ତୁରନ୍ତ ଏହି ପରୀକ୍ଷା ପୁନଃ ଆୟୋଜନ ନେଇ ବିଜ୍ଞପ୍ତି ପ୍ରକାଶ କରନ୍ତୁ। ଓଡ଼ିଶାବାସୀ ବିଜେପି ସରକାରର ମିଛ ଭାଷଣ ଶୁଣିବାକୁ ଆଉ ଚାହୁଁ ନାହାନ୍ତି, ପ୍ରତାରଣାର ଉଚିତ ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି।

Also Read: ମହାନଦୀ ଜଳ ବିବାଦ: ମନମୋହନଙ୍କ ଟାର୍ଗେଟ୍- ପୂର୍ବ ସରକାର ରାଜ୍ୟ ପାଇଁ ସାମାଜିକ ଅପରାଧ କରିଛନ୍ତି