ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ବିଜେଡି ସରକାରଙ୍କ ଉପରେ ଶାଣିତ ସ୍ଵରରେ ହମଲା  କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ନବୀନ ପଟ୍ଟନାୟକଙ୍କ ପୂର୍ବତନ ସରକାର ମହାନଦୀ ସୁରକ୍ଷା ଓ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ କୌଣସି ପ୍ରକୃତ ପଦକ୍ଷେପ ନନେଇ ଏକ 'ସାମାଜିକ ଅପରାଧ' କରିଛନ୍ତି ବୋଲି ସେ ଗଣମାଧ୍ୟମ ପ୍ରତିକ୍ରିୟାରେ କହିଛନ୍ତି।

ମନମୋହନ ସାମଲ କହିଛନ୍ତି ଯେ, ବର୍ତ୍ତମାନ ମହାନଦୀ ଜଳ ବିବାଦର ସ୍ଥାୟୀ ସମାଧାନ ପାଇଁ ଉଚ୍ଚସ୍ତରୀୟ ଆଲୋଚନା ଚାଲିଛି। କେନ୍ଦ୍ର ଗୃହମନ୍ତ୍ରୀ ନିଜେ ଏଥିରେ ହସ୍ତକ୍ଷେପ କରିଛନ୍ତି ଏବଂ ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହେଉଛି। ତେବେ ମାମଲାଟି କୋର୍ଟରେ ବିଚାରାଧୀନ ଥିବାରୁ ଏହାର ଅନ୍ତିମ ସମାଧାନରେ କିଛିଟା ବିଳମ୍ବ ହେଉଛି।

୧୫ ବର୍ଷର ନିଷ୍କ୍ରିୟତା, ଶେଷରେ କୋର୍ଟରେ ଆଶ୍ରୟ

ପୂର୍ବତନ ବିଜେଡି ସରକାରକୁ ସମାଲୋଚନା କରି ବିଜେପି ରାଜ୍ୟ ସଭାପତି କହିଛନ୍ତି, ସେମାନେ ୧୫ ବର୍ଷ ଧରି ଏକାକୀ ସରକାର ଚଳାଇଲେ। କୌଣସି ପ୍ରକାର ଚାପ ନଥିବା ସତ୍ତ୍ୱେ ସେମାନେ ମହାନଦୀ ପାଇଁ କୌଣସି ସ୍ଥାୟୀ ଯୋଜନା ପ୍ରସ୍ତୁତ କଲେ ନାହିଁ କି ଗୋଟିଏ ହେଲେ ବି ବ୍ୟାରେଜ୍ ନିର୍ମାଣ କଲେ ନାହିଁ। ବରଂ କେବଳ ରାଜନୀତି କରିବା ପାଇଁ ୱାଟର କମିଶନ ନିକଟରେ ଧାରଣା ଦେଲେ।

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପୂର୍ବତନ ସରକାର ନିଜେ ବିଧାନସଭାରେ ସ୍ୱୀକାର କରିଥିଲେ ଯେ ମହାନଦୀ ପାଇଁ ତାଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ଯୋଜନା ନାହିଁ। କିଛି ନକରି, ଆଗାମୀ ୧୦୦ ବର୍ଷ ପାଇଁ ମହାନଦୀର ଭବିଷ୍ୟତ ଓ ରାଜ୍ୟର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଶେଷରେ ସେମାନେ କୋର୍ଟରେ କେସ୍‌ କରିଦେଲେ। ରାଜନୈତିକ ଫାଇଦା ନୁହେଁ, ବରଂ ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇ କାମ କରିବାର ଆବଶ୍ୟକତା ଥିଲା ବୋଲି ଶ୍ରୀ ସାମଲ ନିଜ ପ୍ରତିକ୍ରିୟାରେ ସ୍ପଷ୍ଟ କରିଛନ୍ତି।