ଭୁବନେଶ୍ଵର: ନିଟ୍ ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ମଧ୍ୟରେ ଶନିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଠାଇବା ସହ ସାମାଜିକ ଗଣମାଧ୍ୟମରେ ଏହାର ସୂଚନା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ରାଜନୈତିକ ମହଲରେ ନେତା, ମନ୍ତ୍ରୀଙ୍କ ତରଫରୁ ପ୍ରତିକ୍ରିୟାର ସୂଅ ଛୁଟିବାରେ ଲାଗିଛି। ଏହି କ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଉପରେ ଟିପ୍ପଣୀ କରିଛନ୍ତି।

ସେ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ, ବିଶେଷକରି ଜେନ ଜିଙ୍କୁ ଅଭିନନ୍ଦନ ଜଣାଉଛି। ଜନମତ ପ୍ରତି ଉତ୍ତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଲୋକଙ୍କ ଇଚ୍ଛାଠାରୁ କେହି ଉର୍ଦ୍ଧ୍ଵରେ ନୁହନ୍ତି। ଆମ ଲୋକଙ୍କ ବିଶେଷକରି ଯୁବପିଢ଼ିଙ୍କ ସ୍ଵର ଏବଂ ତାଙ୍କ କଥା ଶୁଣିବା ନିହାତି ଆବଶ୍ୟକ। ଭାରତର ଭବିଷ୍ୟତ ଯୁବପିଢ଼ିଙ୍କ ହାତରେ। ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି।

ସୂଚନାଯୋଗ୍ୟ, ନିଟ୍ ପେପର ଲିକ୍ ମାମଲାରେ ବିଭିନ୍ନ ଦାବି ନେଇ ଜନ୍ତର ମନ୍ତରରେ ଚାଲିଥିବା ଆନ୍ଦୋଳନ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଥିଲା। ଜୁଲାଇ ୨୦ରେ 'ସଂସଦ ଚଲୋ' ରାଲି ସମୟରେ ଆନ୍ଦୋଳନକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷ ଘଟିଥିଲା। ଏସବୁ ପରେ ଜୁଲାଇ ୨୩/୨୪ ମଧ୍ୟରାତ୍ରିରେ ୨୬ ଦିନ ଧରି ଆମରଣ ଅନଶନ ଚଳାଇଥିବା ଜଳବାୟୁ  ବୈଜ୍ଞାନିକ ତଥା ସାମାଜିକ କର୍ମୀ ସୋନମ ଓ୍ଵାଙ୍ଗଚୁକ କେନ୍ଦ୍ର ସରକାରଙ୍କଠୁ  ପ୍ରତିଶ୍ରୁତି ପାଇବା ପରେ ଅନଶନ ଭାଙ୍ଗିଥିଲେ। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂଙ୍କ ହାତରୁ ଜଳ ଗ୍ରହଣ କରି ଦିଲ୍ଲୀ ସ୍ଥିତ ମେଦାନ୍ତା ହସ୍ପିଟାଲରେ ନିଜର ଅନଶନ ଭାଙ୍ଗିଥିଲେ। ଏହା ପରେ କକରୋଚ ଜନତା ପାର୍ଟି ଏବଂ ସରକାରଙ୍କ ମଧ୍ୟରେ ପର୍ଯ୍ୟାୟକ୍ରମେ ଆଲୋଚନା ଚାଲିଥିଲା। ଆଉ ଶନିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ। 

Also Read: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା, କାହାର କ’ଣ ପ୍ରତିକ୍ରିୟା: ‘ଆନ୍ଦୋଳନ, ଗଣତନ୍ତ୍ର ଓ ଦେଶର ବୃହତ୍ତ ସ୍ବାର୍ଥ’

କଣ କହିଲେ ଧର୍ମେନ୍ଦ୍ର ?

ଏହା ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ନିଜର ଇସ୍ତଫା ପତ୍ରରେ ଲେଖିଛନ୍ତି, ସେ ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛନ୍ତି। ଏକ ସୁଦୃଢ଼, ଅନ୍ତର୍ଭୁକ୍ତିମୂଳକ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହିଁ ଦେଶର ବିକାଶର ମୂଳଦୁଆ ବୋଲି ସେ ସଦାସର୍ବଦା ବିଶ୍ୱାସ କରିଆସିଛନ୍ତି।

"ପରୀକ୍ଷାରେ ଅନିୟମିତତା ଅଭିଯୋଗ ଆସିବା ମାତ୍ରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଘଟଣାର ତଦନ୍ତ CBI କୁ ହସ୍ତାନ୍ତର କରାଯାଇଥିଲା, ପୁନଃପରୀକ୍ଷା କରାଯାଇଥିଲା ଏବଂ ଆସନ୍ତା ବର୍ଷଠାରୁ NEET ପରୀକ୍ଷା ସମ୍ପୂର୍ଣ୍ଣ କମ୍ପ୍ୟୁଟର-ଆଧାରିତ (CBT) ମୋଡ୍ରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ନିରପେକ୍ଷ ପରୀକ୍ଷା ସୁନିଶ୍ଚିତ କରିବା ତାଙ୍କର ପ୍ରାଥମିକତା ଥିଲା। ସଫଳତାର ସହ ପୁନଃପରୀକ୍ଷା ଓ ଫଳାଫଳ ପ୍ରକାଶ ପାଇବା ପରେ ବି କିଛି ଲୋକ ଛାତ୍ରମାନଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରିଥିଲେ, ଯାହା ତାଙ୍କୁ ଗଭୀର ଆଘାତ ଦେଇଛି।

ଏହା ତାଙ୍କର ବ୍ୟକ୍ତିଗତ ସମ୍ମାନର ବିଷୟ ନୁହେଁ, ବରଂ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତର ପ୍ରଶ୍ନ। ଛାତ୍ରମାନଙ୍କ ଭବିଷ୍ୟତ ଆଇନଗତ ବିବାଦ ଏବଂ ରାଜନୈତିକ ଦ୍ୱନ୍ଦ୍ୱରେ ଫସିଯାଉ କିମ୍ବା ସେମାନଙ୍କ ପାଠପଢ଼ା ପ୍ରଭାବିତ ହେଉ, ସେ ତାହା ଚାହାଁନ୍ତି ନାହିଁ। ଏହି କାରଣରୁ ସେ ନିଜ ପଦରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ପତ୍ରର ଶେଷରେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିକ୍ଷା ମନ୍ତ୍ରଣାଳୟର ସହଯୋଗୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତ ମାତା, ଓଡ଼ିଶାବାସୀ ଏବଂ ଦେଶର ଯୁବପିଢ଼ିଙ୍କ ସେବାରେ ସଦାସର୍ବଦା ନିୟୋଜିତ ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।