ନୂଆଦିଲ୍ଲୀ: ତୀବ୍ର ଛାତ୍ର ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଠାଇ ଦେଇଛନ୍ତି । ଏହା ସହ ସେ ସୋସିଆଲ ମିଡିଆରେ ଇସ୍ତଫା ପଛର କାରଣ ସଂପର୍କରେ ବିସ୍ତୃତ ଭାବରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି, ‘ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି  ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସଂସ୍କାର ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିଆସୁଛି ।  ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହିଁ ଦେଶର ବିକାଶର ମୂଳଦୁଆ ବୋଲି ବିଶ୍ବାସ କରେ । ଭାରତର ଯୁବପୀଢ଼ୀଙ୍କ ସ୍ବପ୍ନକୁ ସାକାର କରିବା ଆମ ଜୀବନର ରାଜନୈତିକ ଏବଂ ସାମାଜିକ ସଂକଳ୍ପ ।’ 

ଏହା ବ୍ୟତୀତ ସେ ମେ’ ୩ରେ ନିଟ୍‌-ୟୁଜି ପରୀକ୍ଷାରେ ଅନିୟମିତତା ସଂପର୍କରେ ଲେଖିଛନ୍ତି, ‘ପରୀକ୍ଷାରେ ଅନିୟମିତତା ନେଇ ସରକାର ସମୀକ୍ଷା କରିବା ସହ ତଦନ୍ତ ଦାୟିତ୍ବ ସିବିଆଇକୁ ଦେଇଥିଲେ ଏବଂ ପରୀକ୍ଷା ରଦ୍ଦ କରାଯାଇଥିଲା । ପୁନଃ ପରୀକ୍ଷା ଲାଗି ତାରିଖ ଘୋଷଣା କରାଯାଇଥିଲା । ଏହା ସହ ଆଗାମୀ ବର୍ଷ ପରୀକ୍ଷା କମ୍ପ୍ୟୁଟର ଆଧାରିତ କରିବାକୁ ନିର୍ଣ୍ଣୟ ନିଆଗଲା ।’ ଏହା ସହ ସଫଳ ପୁନଃ ପରୀକ୍ଷା ଏବଂ ଏବଂ ଏଥିରେ ବହୁ ମେଧାବୀ ଛାତ୍ରଙ୍କ କୃତକାର୍ଯ୍ୟ ସଂପର୍କରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ଆହୁରି ଲେଖିଛନ୍ତି, ଯୁବପୀଢ଼ି କେବଳ ଦେଶର ଭବିଷ୍ୟତ ନୁହେଁ ବରଂ ବିକଶିତ ଭାରତର ନିର୍ମାତା । ଗତ ୧୦ ଦିନର ଘଟଣାକ୍ରମ ବ୍ୟଥିତ କଲା ଏବଂ ଏହା ବ୍ୟକ୍ତିଗତ ପ୍ରତିଷ୍ଠାର ବିଷୟ ନୁହେଁ । ଜନ୍ତର ମନ୍ତର ଏବଂ ଦେଶରେ ଯେଉଁ ସ୍ଥିତି ଉପୁଜିଛି ତାର ଫାଇଦା ବିଦେଶୀ ଶକ୍ତି ନଉଠାନ୍ତୁ । କୌଣସି ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଆଇନଗତ ଲଢ଼େଇରେ ନଫସୁ ଏବଂ ପିଲାମାନେ ମନ ଲଗାଇ ପଢ଼ୁନ୍ତୁ । ଏହି ସବୁ କଥା ଚିନ୍ତା କରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ସେପଟେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ କରୁଥିବା ବ୍ୟକ୍ତିମାନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଛାତ୍ର ଆନ୍ଦୋଳନକୁ ସମର୍ଥନ କରି ଜନ୍ତରମନ୍ତରରେ ୨୬ ଦିନ ଆମରଣ ଅନଶନ କରିଥିବା ସୋନମ ଓ୍ବାଙ୍ଗଚୁକ ଟ୍ବିଟରରେ ଲେଖିଛନ୍ତି, ‘IT'S A VICTORY OF DEMOCRACY (ଏହା ଗଣତନ୍ତ୍ରର ବିଜୟ) । ପ୍ରତ୍ୟକ୍ଷ ଗଣତନ୍ତ୍ର... ରାସ୍ତାରୁ ସିଧାସଳଖ। ଏହା ଶାନ୍ତି, ଧୈର୍ଯ୍ୟ ଏବଂ ଦୃଢ଼ତାର ବିଜୟ। ଜାତିର ଜେନ୍‌ ଜି ଏବଂ ଦେଶରର ସବୁ ନାଗରିକଙ୍କୁ ଅଭିନନ୍ଦନ।’

ଭାରତର ବିରୋଧୀ ନେତାମାନେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫାକୁ ସ୍ୱାଗତ କରିଛନ୍ତି, ଅନେକ ଏହାକୁ ଯୁବ ନେତୃତ୍ୱାଧୀନ ପ୍ରତିବାଦ ଆନ୍ଦୋଳନର ବିଜୟ ବୋଲି କହିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ‘ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଆମ ଶିକ୍ଷା ବ୍ୟବସ୍ଥାକୁ ପୁନଃଆକୃତି ଦେବା ଦିଗରେ ଏକ ବିରାଟ ପଦକ୍ଷେପ। ସାରା ଦେଶର ଛାତ୍ରଛାତ୍ରୀମାନଙ୍କୁ ଶୁଭକାମନା । ଆମେ ଆପଣଙ୍କ ସମସ୍ତଙ୍କ ପାଇଁ ଗର୍ବିତ।ପ୍ରତ୍ୟେକ ଯୁବକ, ପ୍ରତ୍ୟେକ ଛାତ୍ରଙ୍କୁ ଯେଉଁମାନେ ଗଣତନ୍ତ୍ର, ସମ୍ବିଧାନ ଏବଂ ସେମାନଙ୍କର ଭବିଷ୍ୟତକୁ ସୁରକ୍ଷା ଦେବା ପାଇଁ ରାସ୍ତାକୁ ଓହ୍ଲାଇଥିଲେ ଏବଂ ଦୃଢ଼ ଭାବରେ ଠିଆ ହୋଇଥିଲେ, ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।’

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏହାକୁ ‘ଦେଶର ଶିକ୍ଷା ବ୍ୟବସ୍ଥାର ସଂସ୍କାର ଦାବି କରି ରାସ୍ତାକୁ ଓହ୍ଲାଇଥିବା ଲକ୍ଷ ଲକ୍ଷ ଯୁବକଙ୍କ ବିଜୟ’ ବୋଲି କହିଛନ୍ତି। ବରିଷ୍ଠ ରାଜନେତା ଶରଦ ପାୱାର ଏହାକୁ ‘ଦେଶର ଯୁବପିଢ଼ିର ଏକତା ଶକ୍ତି ପାଇଁ ଏକ ବଡ଼ ବିଜୟ’ ବୋଲି କହିଛନ୍ତି। ସେହିଭଳି ଏହାକୁ ‘ଯୁବକମାନଙ୍କ ପାଇଁ ଏକ ବଡ଼ ବିଜୟ’ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ । ସେ ଆହୁରି କହିଛନ୍ତି, ଏହା ସମସ୍ତ ରାଜନୈତିକ ଦଳଗୁଡ଼ିକୁ ପରୀକ୍ଷା ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଏବଂ ଭବିଷ୍ୟତରେ ପେପର ଲିକ୍ ରୋକିବା ପାଇଁ ଏକ ଶିକ୍ଷା ଭାବରେ କାର୍ଯ୍ୟ କରିବା ଉଚିତ। ଆମ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହାକୁ ‘ଗଣତନ୍ତ୍ର ପାଇଁ ଏକ ବଡ଼ ବିଜୟ’ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ଏସବୁ ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନେଇ ବିଜେପି ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଭାରତୀୟ ଜନତା ପାର୍ଟି (ବିଜେପି) ସଭାପତି ନୀତିନ ନବୀନ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ନିଷ୍ପତ୍ତିରେ ଦେଶର ବୃହତ୍ତ ସ୍ୱାର୍ଥକୁ ପ୍ରାଥମିକତା ଦେଇଛନ୍ତି। ନବୀନ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଦଳ ଏହି ନିଷ୍ପତ୍ତିରେ ପ୍ରଧାନଙ୍କ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି।

ନୀତିନ ନବୀନ ଟ୍ବିଟରରେ ଲେଖିଛନ୍ତି, ‘କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୀ ଭାରତର ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଏବଂ ଐତିହାସିକ ଜାତୀୟ ଶିକ୍ଷା ନୀତି (NEP 2020)କୁ ସଫଳତାର ସହିତ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବୃହତ୍ତ ସ୍ୱାର୍ଥକୁ ପ୍ରାଥମିକତା ଦେଇ, ତାଙ୍କ ପଦ ଛାଡିବାର ନିଷ୍ପତ୍ତି ସାର୍ବଜନୀନ ଜୀବନରେ ସଚ୍ଚୋଟତା ଏବଂ ନିସ୍ୱାର୍ଥପର ସେବାର ସର୍ବୋଚ୍ଚ ମାନଦଣ୍ଡକୁ ପ୍ରତିଫଳିତ କରେ। ଏହି ନିଷ୍ପତ୍ତିରେ ଦଳ ଧର୍ମେନ୍ଦ୍ର ପ୍ରଧାନ ଜୀଙ୍କ ସହିତ ଦୃଢ଼ ଭାବରେ ଠିଆ ହୋଇଛି। ମୁଁ ତାଙ୍କ ପ୍ରୟାସ ପାଇଁ ମୋର ଶୁଭକାମନା ଜଣାଉଛି ।’ ସେହିଭଳି କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ନିରନ୍ତର ସେବା ଏବଂ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ଧର୍ମେନ୍ଦ୍ର ଜୀ, ଆପଣଙ୍କ ନିରନ୍ତର ସେବା, ସଂସ୍କାର ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଏବଂ ଏକ ଶକ୍ତିଶାଳୀ ଭାରତ ଗଠନରେ ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ। ଆପଣ ସମାନ ଦୃଢ଼ ବିଶ୍ୱାସ ଏବଂ ଆନ୍ତରିକତା ସହିତ ଦେଶ ସେବା ଜାରି ରଖିବା ପାଇଁ ମୁଁ ଆପଣଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି।’