ଭୁବନେଶ୍ୱର: କୋଟିଆରେ ନିର୍ବାଚନ କରାଇବା ନେଇ ଆନ୍ଧ୍ରପ୍ରଦେଶ ସରକାରଙ୍କ ଘୋଷଣାକୁ ନେଇ ଓଡ଼ିଶାରେ ରାଜନୀତି ତେଜିଛି । ଏହି ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ରକ୍ଷା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ଚିଠିରେ ନବୀନ କହିଛନ୍ତି, କୋଟିଆ ଓଡ଼ିଶାର ଅଭିନ୍ନ ଅଙ୍ଗ । ଏଠାରେ ନିର୍ବାଚନ କରାଇବା ପାଇଁ ଆନ୍ଧ୍ର ସରକାରଙ୍କ ଘୋଷଣା ରାଜ୍ୟବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ତେବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିବା ସତ୍ତ୍ୱେ ଏହି ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ କ’ଣ, ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଛନ୍ତି।

ନବୀନଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ବିଜେପି ନେତାମାନେ କୋଟିଆ ଓଡ଼ିଶାର ବୋଲି ଦାବି କରିବା ସହ ‘ଗୋ ବ୍ୟାକ୍ ଆନ୍ଧ୍ର’ ସ୍ଲୋଗାନ ଦେଉଥିଲେ। ୨୦୨୪ ନିର୍ବାଚନ ଇସ୍ତାହାରରେ ମଧ୍ୟ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିଲେ କୋଟିଆ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ଏବଂ ଓଡ଼ିଆ ସ୍ୱାଭିମାନ ଫେରାଇ ଅଣାଯିବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଥିଲା।

ଏବେ ସେହି ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି। ‘କୋଟିଆ ଓଡ଼ିଶାର’ ବୋଲି ବିଜେପି ଦେଇଥିବା ଆଶ୍ୱାସନାର ଏବେ କ’ଣ ହେଲା ଏବଂ ‘ଗୋ ବ୍ୟାକ୍ ଆନ୍ଧ୍ର’ ସ୍ଲୋଗାନ କେବଳ ନିର୍ବାଚନୀ ପ୍ରଚାରରେ ସୀମିତ ଥିଲା କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

Also Read: କଟକ ଇଣ୍ଡୋର ସଭାରେ ସୈତାନର ବେଦପାଠ ! ବିଜେପିକୁ ପ୍ରମାଣ ମାଗିଲା BJD

ଟିଡିପି ସହ ଏନଡିଏର ସମ୍ପର୍କକୁ ନେଇ ଉଠାଇଲେ ପ୍ରଶ୍ନ

ଚିଠିରେ ନବୀନ ଆହୁରି ଦର୍ଶାଇଛନ୍ତି ଯେ, ଆନ୍ଧ୍ରପ୍ରଦେଶ ରେ ତେଲୁଗୁ ଦେଶମ୍ ପାର୍ଟିର ସରକାର ରହିଛି ଏବଂ ଏହି ଦଳ କେନ୍ଦ୍ରର ଏନଡିଏ ସରକାରର ଜଣେ ପ୍ରମୁଖ ସହଯୋଗୀ। କେନ୍ଦ୍ରରେ ଏନଡିଏ ସରକାରର ସ୍ଥିରତା ବଜାୟ ରଖିବାରେ ଟିଡିପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଏପରି ସ୍ଥିତିରେ ଆନ୍ଧ୍ର ସରକାରଙ୍କ ଘୋଷଣା ସତ୍ତ୍ୱେ ଓଡ଼ିଶାର ବିଜେପି ସରକାର ନୀରବ ରହିବା ପଛରେ କେନ୍ଦ୍ରର ରାଜନୈତିକ ନିର୍ଭରଶୀଳତା ରହିଛି କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ଏଥିପାଇଁ ଓଡ଼ିଶାର ସ୍ୱାର୍ଥ ଓ ଆଞ୍ଚଳିକ ଅଖଣ୍ଡତା ସହ ସାଲିସ କରାଯାଉଛି କି ନାହିଁ, ତାହାର ଉତ୍ତର ମଧ୍ୟ ସେ ମାଗିଛନ୍ତି।

୧୬ ଜଣିଆ କମିଟିର ସୁପାରିଶ କୁଆଡ଼େ ଗଲା ?

କୋଟିଆ ସମ୍ପର୍କିତ ଆଉ ଏକ ପ୍ରସଙ୍ଗ ଉଠାଇ ନବୀନ ପଚାରିଛନ୍ତି ଯେ, ୨୦୨୫ ମସିହାରେ ଗଠିତ ୧୬ ଜଣିଆ ଉଚ୍ଚସ୍ତରୀୟ କମିଟିର ସୁପାରିଶ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ ? ଏହି ସୁପାରିଶଗୁଡ଼ିକର ବର୍ତ୍ତମାନ ସ୍ଥିତି କ’ଣ, ସେ ସମ୍ପର୍କରେ ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଜାଣିବା ଓଡ଼ିଶାବାସୀଙ୍କ ଅଧିକାର ବୋଲି ନବୀନ ଉଲ୍ଲେଖ କରିଛନ୍ତି। ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପାଇଁ ବିଜେପି ସରକାର ଉତ୍ତରଦାୟୀ ରହିବା ଉଚିତ ବୋଲି ସେ ଦାବି କରିଛନ୍ତି।

ଏହା ସହ ଡବଲ ଇଞ୍ଜିନ ସରକାର ଓଡ଼ିଶାର ଆଞ୍ଚଳିକ ଅଖଣ୍ଡତା ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଦୃଢ଼ ଭାବେ ଠିଆ ହେବ କି, ନା କେନ୍ଦ୍ର ସରକାରଙ୍କ ଚାପ ଆଗରେ ନଇଁଯିବ, ସେ ନେଇ ନବୀନ ପ୍ରଶ୍ନ କରିଛନ୍ତି। କୋଟିଆ ଉପରେ ଓଡ଼ିଶାର ଦାବି ଓ ରାଜ୍ୟର ଆଞ୍ଚଳିକ ଅଖଣ୍ଡତାର ସୁରକ୍ଷା ପାଇଁ ସରକାର ତୁରନ୍ତ ଦୃଢ଼ ତଥା ନିର୍ଣ୍ଣାୟକ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ନବୀନ ପଟ୍ଟନାୟକ ଦାବି କରିଛନ୍ତି।