ଚେନ୍ନାଇ: ସରକାରୀ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨୨.୧୦ କୋଟି ଟଙ୍କା। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ପଡ଼ିଛି ଭାଳେଣି। ପ୍ରଶାସନିକ ଅବହେଳାକୁ କରାଯାଇଛି ଦାୟୀ। ଏହି ମାମଲାକୁ ନେଇ ଆକ୍ରମଣ ମୁଦ୍ରାରେ ଭାରତୀୟ ଜନତା ପାର୍ଟି। ଏହି ଘଟଣା ତାମିଲନାଡ଼ୁ ରାଜ୍ୟର। ଏହାକୁ ନେଇ ଅକଳରେ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ। ପ୍ରଶାସନିକ ଅବହେଳା ଦର୍ଶାଇ ସରକାରଙ୍କ ବ୍ୟବସ୍ଥା ଓ ସରକାରୀ ଧନର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି ବିଜେପି।

ପୋଲିସ ମୁତାବକ, ବ୍ୟାଙ୍କ ଖାତାରୁ କୋଟି କୋଟି ଟଙ୍କା ଉଠା ଯାଇଥିବା ଜଣା ପଡ଼ିଛି। ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିରେ ସ୍ଥାନୀୟ ବ୍ୟାଙ୍କ କର୍ମଚାରୀଙ୍କ ସଂପୃକ୍ତି ଅଛି କି ନାହିଁ ତାର ଯାଞ୍ଚ ଚାଲିଛି। ବ୍ୟାଙ୍କର ଗୋପନୀୟ ସୂଚନାର ଦୁରୁପଯୋଗ କରାଯାଇଛି କି ନାହିଁ ସେ ଦିଗରେ ମଧ୍ୟ ପୋଲିସ ତଦନ୍ତ କରୁଛି। ମାମଲାରେ ନାଇଜେରିଆର ଅନ୍ତର୍ଜାତୀୟ ସାଇବର ଅପରାଧୀ ଗ୍ରୁପର ହାତ ଥିବା ତାମିଲନାଡୁ ପୋଲିସ ସନ୍ଦେହ କରୁଛି।

Also Read: ତଥ୍ୟ ସହ କର୍ଣ୍ଣାଟକ ସରକାରଙ୍କ E-20 ଅଭିଯୋଗକୁ ଖଣ୍ଡନ କଲା ଭାରତ ପେଟ୍ରୋଲିୟମ, ପୁଣି ତୁରନ୍ତ ଡିଲିଟ୍ କଲା ଟୁଇଟ୍

ବିଜେପି ନେତା ବିନୋଜ ପି ସେଲଭମ ସରକାରୀ ବ୍ୟବସ୍ଥାର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ପଚାରିଛନ୍ତି ଯେ, ଘଟଣା ସମୟରେ ସୁରକ୍ଷା ଯାଞ୍ଚ, ବିତ୍ତୀୟ ନିୟନ୍ତ୍ରଣ ଓ ନେଣଦେଣର ନିରୀକ୍ଷଣ କରୁଥିବା ସରକାରୀ କଳ କୁଆଡ଼େ ଥିଲା ? ଏତେ ବଡ଼ ମୋଟା ଅଙ୍କର ଅର୍ଥ ଖାତାରୁ ଗାଏବ ହୋଇଯିବା ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହା କେବଳ ଅନଲାଇନ ଠକେଇ ମାମଲା ନୁହେଁ, ବରଂ ସରକାରୀ ସଂପତ୍ତିର ସୁରକ୍ଷା ଏବଂ ପ୍ରଶାସନିକ ଉତ୍ତରଦାୟୀ ସହ ଜଡ଼ିତ। ପୋଲିସ ଏହାର ତଦନ୍ତ କରୁଛି ଯେ, ଏହି ଅର୍ଥ କେଉଁ ଖାତାରେ ପଠା ଯାଇଛି ଏବଂ ଏହା ପଛରେ କେଉଁ ଲୋକଙ୍କ ହାତ ରହିଛି।

ବିଜେପି ନେତା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ସମର୍ଥକ ଓ ତାଙ୍କ ସୋସିଆଲ ମିଡିଆ ଟିମକୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଦୁନିଆର ପ୍ରତିଟି ରାଜନୈତିକ ପାର୍ଟିର ନିଜର ଆଇଟି ଡିପାର୍ଟମେଣ୍ଟ ରହିଛି। ମାତ୍ର ତାମିଲନାଡୁରେ ଏକ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। ପ୍ରଥମ ଥର କୌଣସି ଅଭିନେତାଙ୍କ ଫ୍ୟାନ କ୍ଲବ ଓ ଏହାର ସୋସିଆଲ ମିଡିଆ ଟିମ୍ ହ୍ୟାସଟ୍ୟାଗ ଟ୍ରେଣ୍ଡ କରାଇବାଠୁ ଦୁଇ ପାଦ ଆଗକୁ ବଢି ରାଜ୍ୟ ସରକାର ଚଲାଇବା ଭୂମିକାରେ ନଜର ଆସୁଛନ୍ତି।

Also Read: ଦୁର୍ନୀତି ରୋକିବା ଲାଗି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ବଡ଼ ଦାବି, କହିଲେ- ୫୦୦ ଟଙ୍କା ନୋଟ୍ ବନ୍ଦ ହେବା ଦରକାର

ସେ କହିଛନ୍ତି ସୋସିଆଲ ମିଡିଆରେ ହ୍ୟାସଟ୍ୟାଗ ଚଲାଇବା ଏବଂ କୌଣସି ରାଜ୍ୟର ପ୍ରଶାସନ ସମ୍ଭାଳିବା ଦୁଇଟି ଭିନ୍ନ ଭିନ୍ନ କାମ। ତାମିଲନାଡ଼ୁକୁ ଏହି ମାମଲାରେ ପାରଦର୍ଶୀ ଜବାବ ଦେଉଥିବା ସରକାର, ମଜବୁତ ସଂସ୍ଥା ଓ ଏମିତି ବ୍ୟବସ୍ଥାର ଆବଶ୍ୟକତା ରହିଛି, ଯାହା ସାଧାରଣ ଜନତାଙ୍କ ଜମାପୁଞ୍ଜିକୁ ସୁରକ୍ଷା ଦେଇ ପାରିବ। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ବିଜୟ ଉତ୍ତର ରଖନ୍ତୁ।