ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ-୨୦୨୬ରେ ଲଗାତାର କମାଲ ପ୍ରଦର୍ଶନ କରୁଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ନିଜର ଦ୍ବିତୀୟ ଶତକ ପୂରଣ କରିଥିଲେ ବୈଭବ । ଏହା ଆଇପିଏଲ ଇତିହାସରେ ତୃତୀୟ ଦ୍ରୁତତମ ଶତକ । ଦ୍ବିତୀୟ ଦ୍ରୁତତମ ଶତକ ମଧ୍ୟ ବୈଭବ ସୂର୍ଯ୍ୟବଂଶୀଙ୍କ ନାମରେ ରହିଛି । SRH ବିପକ୍ଷରେ ସେ ୩୬ ବଲ୍ରେ ଶତକ କରି ସମସ୍ତକୁ ଚମକାଇ ଦେଇଥିଲେ । ୨୦୨୫ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ୩୫ ବଲ୍ରେ ଶତକ କରିଥିଲେ ବୈଭବ ।

ବୈଭବ ସୂର୍ଯ୍ୟବଂଶୀଙ୍କ ଆଗରେ ବହୁ ବଡ଼ ବଡ଼ ବୋଲର ବି ଫେଲ ମାରୁଛନ୍ତି । ତାଙ୍କୁ ଲୋକେ, wonder kid, batting sensation, pocket dynamite, future star ବୋଲି କହୁଛନ୍ତି । ବୈଭବଙ୍କୁ ପ୍ରଶଂସା କରିବାକୁ ଶବ୍ଦର ଅଭାବ ପଡ଼ୁଥିବା ବେଳେ ତାଙ୍କୁ ନେଇ ଅଜବ ଦାବି କରିଛନ୍ତି ପାକିସ୍ତାନର କ୍ରିକେଟର ଏକ୍ସପର୍ଟ ନୌମାନ ନିୟାଜ୍ (Nauman Niaz) । ସେ କହିଛନ୍ତି, ବୈଭବଙ୍କ ବ୍ୟାଟରେ ଏଆଇ ଚିପ୍ ଲାଗିଥାଇପାରେ ।

ପାକିସ୍ତାନୀ କ୍ରିକେଟ ବିଶେଷଜ୍ଞଙ୍କ ଅଜବ ଦାବି

ପାକିସ୍ତାନୀ କ୍ରିକେଟ ବିଶେଷଜ୍ଞ ନୌମାନ ନିଆଜ ଏକ ଶୋ’ରେ କହିଛନ୍ତି, ‘ଭାବନ୍ତୁ, ଏହି ପିଲାଟି କ’ଣ ? ତା’ର ବ୍ୟାଟ୍ ଯାଞ୍ଚ କରାନ୍ତୁ। ଯେପରି WADA ଡୋପ୍ ଟେଷ୍ଟ କରେ, ତାକୁ ଲ୍ୟାବକୁ ପଠାନ୍ତୁ। ସେ ହୁଏତ ତା’ର ବ୍ୟାଟରେ ଏକ AI ଚିପ୍ ବ୍ୟବହାର କରୁଛି। ସେ ରିୟଲ ନୁହେଁ । ଓ! କି ଖେଳାଳି ସେ ! ଏହା ମୋତେ ଭାବିବାକୁ ବାଧ୍ୟ କଲା, ଏହି ପିଲାଟି କ’ଣ ?’

 

ସେ ଆହୁରି କହିଛନ୍ତି, ‘ଯେତେବେଳେ ତୁମେ ୧୮ ବର୍ଷ ବୟସର ହୋଇଯାଅ, ତୁମର ଶରୀର ମାଂସପେଶୀ, ବାଇସେପ୍ସ ଏବଂ ଟ୍ରାଇସେପ୍ସ ତିଆରି କରେ। ସେ ମାତ୍ର ୧୬ ବର୍ଷ ବୟସର। ସେ ବିରାଟ କୋହଲି ବିଶ୍ୱ ଚାମ୍ପିଅନ ଥିବା ସମୟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର କୌଶଳ ଯେତିକି ଶକ୍ତିଶାଳୀ, ସେତେ ଶକ୍ତିଶାଳୀ ଖେଳ ନାହିଁ। ଯଦି ତୁମେ ତାଙ୍କର ଆର୍କକୁ ଦେଖିବ, ସେ ଏହାକୁ ସମ୍ପୂର୍ଣ୍ଣ 360 ଡିଗ୍ରୀ ବ୍ୟବହାର କରୁଛି ।’

IPL 2026ରେ ବୈଭବଙ୍କ ପ୍ରଦର୍ଶନ

ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ ୨୦୨୬ରେ ଲଗାତାର ବିସ୍ଫୋରକ ପ୍ରଦର୍ଶନ କରୁଛନ୍ତି । ଏପର୍ଯ୍ୟନ୍ତ ୮ଟି ମ୍ୟାଚରେ ୨୩୪.୮୭ ଷ୍ଟ୍ରାଇକ ରେଟ ସହ ୩୫୭ ରନ କରିଛନ୍ତି । ସେ ଏହି ସିଜନରେ ଗୋଟିଏ ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ମଧ୍ୟ କରିସାରିଛନ୍ତି।