ଭୁବନେଶ୍ୱର: ଭୁବନେଶ୍ୱରରେ ଜମିଛି କଣ୍ଡେଇ ନାଚ ଓ ନାଟର ଆସର । ପୌରାଣିକ କଥା ହେଉ ବା ମହାପୁରୁଷଙ୍କ ଗାଥା କଣ୍ଢେଇ ନାଟ ଦ୍ୱାରା ଏହା ସମସ୍ତଙ୍କ ମନକୁ ଛୁଇଁଛି। ବିଶେଷକରି ପିଲାମାନଙ୍କୁ ଆକର୍ଷିତ କରିଛି କଣ୍ଢେଇ ନାଟ। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଚାଲୁଥିବା ଜାତୀୟ କଣ୍ଡେଇ ନାଟ ଉତ୍ସବକୁ ଦେଖିବା ପାଇଁ ଜମିଛି ଭିଡ଼।

ପରଦା ପଛରେ କଳାକାର । ଆଉ ସାମନାରେ କଣ୍ଢେଇ । ଆଉ କଣ୍ଢେଇଙ୍କ କଥାକୁ ଶୁଣିବା ପାଇଁ ଚାହିଁ ବସିଛନ୍ତି କୁନି କୁନି ପିଲାମାନେ । ପରଦା ହଟିଲା ମାତ୍ରେ ନିଜ ଭୂମିକାରେ ଆସିଯାଉଛନ୍ତି କଣ୍ଢେଇ। କେତେବେଳେ ସେ ଗୀତ ଗାଈ ଠାକୁରଙ୍କ ବନ୍ଦନା କରୁଛନ୍ତି ଆଉ କେତେବେଳେ ପରସ୍ପର ସହ ଗପୁଛନ୍ତି । ଆଉ କଣ୍ଢେଇର ଏହି ସବୁ ଦୃଶ୍ୟ କୁନି କୁନି ପିଲାଙ୍କୁ ବେଶ ଆକର୍ଷିତ କରିଛି। ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହୋଇଥିବା ଜାତୀୟ କଣ୍ଢେଇ ନାଟ ମହୋତ୍ସବରେ ବିଭିନ୍ନ ପ୍ରକାର କଣ୍ଢେଇ ନାଚ ଓ ନାଟକ ଦେଖିବାକୁ ମିଳିଛି। ଏହା ଦ୍ୱାରା ଅନେକ ବାର୍ତ୍ତା ପିଲାଙ୍କ ନିକଟକୁ ପହଞ୍ଚାଇ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଓଡିଶା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ଜାତୀୟ କଣ୍ଢେଇ ମହୋତ୍ସବକୁ ସେ ବେଶ ପ୍ରଶଂସା କରିଛନ୍ତି। ତେବେ କଣ୍ଢେଇ ନାଚକୁ ବହିର ବିଭିନ୍ନ ବିଷୟକୁ ବୁଝାଇବା ପାଇଁ ମଧ୍ୟ ବ୍ୟବହାର କରିବାପାଇଁ ମଧ୍ୟ ମତ ପ୍ରକାଶ କରିଛନ୍ତି ପିଲାମାନେ।

କଣ୍ଢେଇ ନାଟରେ ବିଭିନ୍ନ ପୌରାଣିକ କଥା ଓ ଗପକୁ ପ୍ରଦର୍ଶିତ କରାଯାଇଛି । ଯେପରି ରାମୟଣ, ସୁନ୍ଦର କାଣ୍ଡ। ଏମିତିକି ଆଧୁନିକ ଯୁଗକୁ ନେଇ ଅନେକ ଗପକୁ ମଧ୍ୟ କଣ୍ଢେଇ ନୃତ୍ୟ ଓ ନାଟକ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଏହା ସହ ବିଶେଷ ମହାପୁରୁଷ ଯେପରିକି ସ୍ୱାମୀ ବିବେକାନନ୍ଦଙ୍କ ଜୀବନକୁ ମଧ୍ୟ ପିଲାଙ୍କ ନିକଟରେ ଏହି କଣ୍ଢେଇ ନାଟକ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି। ଏଠାରେ ଛାୟା କଣ୍ଢେଇ, ସୂତା କଣ୍ଢେଇ, କାଠ ଓ ଲୁହ ରୋଡ଼ରୁ ତିଆରି ବିଭିନ୍ନ ପ୍ରକାରର କଣ୍ଡେଇ ନାଟ ପ୍ରଦର୍ଶିତ ହୋଇଛି।

ଓଡ଼ିଶାରୁ ୫ଟି ଦଳ ଏହି ଉତ୍ସବରେ ଯୋଗ ଦେଇଥିବାରୁ ବେଳେ, କେରଳ, କରନାଟକ, ଆନ୍ଧ୍ରରୁ ମଧ୍ୟ ବିଶିଷ୍ଟ କଣ୍ଢେଇ କଳାକାର ଯୋଗ ଦେଇଛନ୍ତି। କଣ୍ଢେଇ ନାଚ ଓ ନାଟକକୁ ପ୍ରୋତ୍ସାହିତ କରାଯାଇ ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଉଦ୍ୟମରେ ଏହି ମହୋତ୍ସବର ଆୟୋଜନ କରାଯାଇଥିବା ଆୟୋଜକ କହିଛନ୍ତି।

ସରକାରଙ୍କ ବିଭିନ୍ନ ସଚେତନତାମୂଳକ ଯୋଜନାରେ କଣ୍ଢେଇ ନାଚ ପରି ଲୋକ କଲାକୁ ବ୍ୟବହାର କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ଚନ୍ଦ୍ରଶେଖର ହୋତା। ଏପଟେ ଏହି କଳାକାରଙ୍କ ଉନ୍ନତି ପାଇଁ ଆହୁରି ପ୍ରୋତ୍ସାହନର ଆଵଶ୍ୟକତା ଥିବା କହିଛନ୍ତି କଳାକାରମାନେ। ଏହି ଉତ୍ସବ ୨ ଦିନ ଧରି ରବିନ୍ଦ୍ର ମଣ୍ଡପରେ ଚାଲିବ । ସକାଳ ୯ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଭିନ୍ନ କାହାଣୀକୁ ନେଇ କଣ୍ଢେଇ ନାଟକ ପରିବେଷିତ ହେଉଛି।