ମୁମ୍ବାଇ : ଭାରତୀୟ ସିନେମା ଜଗତ ପାଇଁ ଏକ ଐତିହାସିକ ଖବର। ଦୀର୍ଘ ୭୨ ବର୍ଷର ପରମ୍ପରାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଏଥର ଦିଲ୍ଲୀରେ ନୁହେଁ,ଗୁଜୁରାଟରେ ଆୟୋଜିତ ହେବ ଭାରତୀୟ ସିନେମା ଜଗତର ବଡ଼ ଉତ୍ସବ । ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ ଆୟୋଜିତ ହେବାକୁ ଯାଉଛି ନ୍ୟାସନାଲ ଫିଲ୍ମ ଆୱାର୍ଡସ୍ ୨୦୨୬ । ଦେଶର ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନ ଗ୍ରହଣ କରିବେ ଭାରତୀୟ ସିନେମା ଜଗତର ବଡ ବଡ଼ କଳାକାରମାନେ । ତେବେ କେଉଁଠି ଆୟୋଜିତ ହେବ ଏହି ଐତିହାସିକ ସମାରୋହ ଏବଂ କାହିଁକି ବଦଳିଲା ୭୨ ବର୍ଷର ପରମ୍ପରା ସେନେଇ ଦର୍ଶକଙ୍କ ମନରେ ରହିଛି ଉତ୍କଣ୍ଠା ।

ମିଳିଥିବା ସୂଚନାନୁଯାୟୀ, ଚଳିତ ଥର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବ ଗୁଜରାଟର କେଭାଡିଆ ବା ବର୍ତ୍ତମାନର ଏକତା ନଗରରେ ଆୟୋଜିତ ହେବ। ଏହି ଅଞ୍ଚଳ ବିଶ୍ୱର ସର୍ବୋଚ୍ଚ ପ୍ରତିମା 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ପାଇଁ ପରିଚିତ। ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ଏହି ଭବ୍ୟ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ। ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ସମ୍ମାନିତ କରିବେ। ରିପୋର୍ଟ ଅନୁସାରେ, ପ୍ରାୟ ୯୨ ଜଣ ପୁରସ୍କାର ବିଜେତା କଳାକାରମାନଙ୍କୁ ସମ୍ମାନ ପ୍ରଦାନ କରାଯିବ।

ବଦଳିଲା ବହୁ ବର୍ଷର ପରମ୍ପରା :

୧୯୫୪ ମସିହାରୁ ଆରମ୍ଭ ହୋଇଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ସହ ଦିଲ୍ଲୀର ସମ୍ପର୍କ ଦୀର୍ଘ ଦିନର ରହିଆସିଛି । ବିଶେଷକରି ଦିଲ୍ଲୀର ବିଜ୍ଞାନ ଭବନ ଏହି ସମାରୋହର ପ୍ରମୁଖ ଆୟୋଜନ ସ୍ଥଳ ଭାବେ ପରିଚିତ ଥିଲା। କିନ୍ତୁ ଏଥର ସେହି ପରମ୍ପରାରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଗୁଜରାଟର ଏକତା ନଗରରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜନ ହେବା ଭାରତୀୟ ସିନେମା ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିବ। ତେବେ ଚଳିତ ବର୍ଷର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ‘ଆର୍ଟିକଲ୍ ୩୭୦’ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି।ସେହିପରି ଅଭିନେତ୍ରୀ ୟାମୀ ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବେ । ମମୁଟି ଏବଂ କାର୍ତ୍ତିକ ଆର୍ଯ୍ୟନ ଶ୍ରେଷ୍ଠ ଅଭିନେତା ପୁରସ୍କାର ଭାଗ କରିବେ। ରଣଦୀପ ହୁଡା ତାଙ୍କ ନିର୍ଦ୍ଦେଶକ ଭାବରେ ଡେବ୍ୟୁ ପାଇଁ ସମ୍ମାନିତ ହେବେ। ‘କଳ୍କୀ ୨୮୯୮ ଏଡି’ ସମେତ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟ ବିଭିନ୍ନ ବର୍ଗରେ ସମ୍ମାନ ପାଇବାକୁ ଯାଉଛି।

ତେବେ ଦିଲ୍ଲୀରୁ ଗୁଜରାଟକୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ସ୍ଥାନାନ୍ତର ହେବା ନିଶ୍ଚିତ ଭାବେ ଭାରତୀୟ ସିନେମା ଜଗତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ହେବ । ସେପ୍ଟେମ୍ବର ୨୨ରେ 'ଷ୍ଟାଚ୍ୟୁ ଅଫ୍ ୟୁନିଟି' ପରିସରରେ ଯେତେବେଳେ ଦେଶର ଶ୍ରେଷ୍ଠ କଳାକାରମାନେ ରାଷ୍ଟ୍ରପତିଙ୍କ ହାତରୁ ସମ୍ମାନ ଗ୍ରହଣ କରିବେ, ସେହି ଦୃଶ୍ୟ ନିଶ୍ଚୟ ଭାରତୀୟ ସିନେମା ଇତିହାସରେ ସ୍ମରଣୀୟ ହୋଇ ରହିବ।