ଭୁବନେଶ୍ଵର: ଜ୍ବରରେ ପଡ଼ିଛି ଗୋଟିଏ ଓରାଙ୍ଗଉଟାନ ।  ଭୋଗରାଇ ରଣକୋଠା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ୫ ଓରାଙ୍ଗଉଟାନ ଛୁଆ ଭିତରୁ ଗୋଟିଏ ଛୁଆକୁ ବାରମ୍ବାର ଜ୍ବର ହେଉଥିବା ନେଇ ଜଣାପଡ଼ିଛି । ଅବଶ୍ୟ ଜ୍ବରରେ ପଡ଼ିଥିବା ଓରାଙ୍ଗଉଟାନ୍ ଛୁଆଟି ପ୍ରତି ଆଲର୍ଟ ଅଛନ୍ତି ଡାକ୍ତରୀ ଟିମ୍ । ତା’ର ସ୍ବତନ୍ତ୍ର ଚିକିତ୍ସା କରାଯାଉଛି । ଅସୁସ୍ଥ ଓରାଙ୍ଗଉଟାନର ସ୍ବାସ୍ଥ୍ୟ ଉପରେ ନଜର ରଖାଯାଇଥିବା କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ସଂଗରୋଧ ଘରକୁ ମଶା ନପଶିବା ଲାଗି ନେଟ୍ ଲଗାଯାଇଛି ।

ସେପନନ୍ଦନକାନନ ପକ୍ଷରୁ ଓରାଙ୍ଗଉଟାନମାନଙ୍କ ସ୍ବାସ୍ଥ୍ୟ ବୁଲେଟିନ୍ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ, ୫ଟି ଓରଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ଅଛି । ସୋମବାର ଦ୍ବିପ୍ରପହରରେ ନିଆଯାଇଥିବା ତାପମାତ୍ରା ରେକର୍ଡ ସ୍ୱାଭାବିକ ରହିଛି । ୩ଟି ଯାକ ପୁରୁଷ ଓରଙ୍ଗଉଟାନଙ୍କ ମଧ୍ୟରେ ଜଣଙ୍କର ଶରୀର ତାପମାତ୍ରା ୯୯ ଡିଗ୍ରୀ ଫାରେନାଇଟ୍ ଥିବା ବେଳେ ଆଉ ଦୁଇଜଣଙ୍କ ୯୮.୩ ଓ ୯୮.୨ ଡିଗ୍ରୀ ରହିଛି । ସେହିପରି ଦୁଇ ମାଈ ଓରଙ୍ଗଉଟାନଙ୍କ ମଧ୍ୟରେ ଜଣଙ୍କ ତାପମାତ୍ରା ୯୮.୮ ଡିଗ୍ରୀ ଫାରେନାଇଟ ଏବଂ ଜଣଙ୍କର ୯୮.୮ ଡିଗ୍ରୀ ରହିଛି । ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରିଛନ୍ତି।

ତେବେ ଓରାଙ୍ଗଉଟାନ୍ ଛୁଆମାନଙ୍କର ଖାଦ୍ୟପେୟ ପରିବର୍ତ୍ତନ ଯୋଗୁଁ ସେମାନଙ୍କର ଗ୍ୟାସ୍, ବଦ ହଜମି ଭଳି ସମସ୍ୟା ଦେଖାଦେଇଥିଲା । ଫଳରେ ସେମାଙ୍କ ଖାଦ୍ୟ ଖାଇବା କମିବା ସହ ଖେଳାଖେଳି ଓ ଫୁର୍ତ୍ତି ମଧ୍ୟ କମିଥିଲା । ସେଥିପାଇଁ ଏବେ ସେମାନଙ୍କୁ ୨ଘଣ୍ଟା ବଦଳରେ ୩ଘଣ୍ଟାକୁ ଥରେ ଖାଇବାକୁ ଦିଆଯାଉଛି । ଏଥି ସହ ଖାଦ୍ୟ ହଜମ ପାଇଁ ମଧ୍ୟ ଔଷଧ ଦିଆଯାଉଛି । ପ୍ରତ୍ୟେକ ଓରାଙ୍ଗଉଟାରନ୍ ଛୁଆମାନଙ୍କୁ ଔଷଧ ଠାରୁ ଆରମ୍ଭ କରି ଖାଦ୍ୟ, ପୋଷଣ ଓ ପରିବେଶ ପ୍ରତ୍ୟେକ କ୍ଷେତ୍ରରେ ସ୍ବତନ୍ତ୍ର ଯତ୍ନ ନିଆଯାଉଛି ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ମାଆ ଠାରୁ ଅଲଗା ହୋଇଯାଇଥିବା ଏହି ଛୋଟ ଛୋଟ ଓରାଙ୍ଗଉଟାନଙ୍କୁ କିଭଳି ବଞ୍ଚାଇ ରଖିହେବ ସେନେଇ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି ।

Also Read: ପୁଣି ବିବାଦ ଘେରରେ ରାଉରକେଲା ସର୍କିଟ୍ ହାଉସ୍, ପାଲଟିଲା ପର୍ଣ୍ଣ ଷ୍ଟାରଙ୍କ ରହଣୀ ସ୍ଥଳ !

ସେପଟେ କୁଆଡ଼େ ଗଲେ ଓରାଙ୍ଗଉଟାନ ସ୍ମଗ୍ଲର ଜୟନ୍ତ ମାଇତି ଓ ତାଙ୍କ ପୁଅ ସୌମ୍ୟଦୀପ ମାଇତି, ତାକୁ ନେଇ ଉଠିଛି ପ୍ରଶ୍ନ । ଏହି ଦୁଇ ବାପା-ପୁଅ ଧରାପଡ଼ିଗଲେ ଓରାଙ୍ଗଉଟାନ୍ ସ୍ମଗଲିଂର ପୂରା ପର୍ଦ୍ଦାଫାସ ହୋଇଯିବ । ତେବେ ଏମାନଙ୍କୁ କେତେ ଶୀଘ୍ର ଗିରଫ କରୁଛି STF ତା’ ଉପରେ ରହିଛି ନଜର।