ନୂଆଦିଲ୍ଲୀ: ଡେଟିଂ ଆପରେ ଦେଖାହେଲା । ସାମ୍ନାରେ ଥିବା ଝିଅଟି ଆପଣଙ୍କ ପସନ୍ଦ ପଚାରିଲା, ପ୍ରତିଦିନ କଥାବାର୍ତ୍ତା ହେଲା ଏବଂ ଧୀରେ ଧୀରେ ମନର କଥା ବିନିମୟ ହେଲା । କିନ୍ତୁ ଯଦି ସେହି ପ୍ରୋଫାଇଲ୍ ପଛରେ କୌଣସି ମଣିଷ ନଥାଏ ? ଏଆଇ କମ୍ପାନି ଆନ୍ଥ୍ରୋପିକର ନିକଟରେ ଆସିଥିବା ରିପୋର୍ଟରେ ଚୀନରୁ ଚାଲୁଥିବା ଏହିଭଳି ଏକ ନେଟୱାର୍କ ବିଷୟରେ ଜଣାପଡ଼ିଛି । କମ୍ପାନି ଅନୁସାରେ, ଚୀନର ଏକ ଆପ୍ ଷ୍ଟୁଡିଓ ୨୦ରୁ ଅଧିକ ଡେଟିଂ ଆପ୍ ତିଆରି କରି ସେଥିରେ ClaudeAI ସାହାଯ୍ୟରେ ୪୭୦୦ରୁ ଅଧିକ ଏଆଇ ପ୍ରୋଫାଇଲ୍ ପ୍ରସ୍ତୁତ କରିଥିଲା । ଆନ୍ଥ୍ରୋପିକ୍ ଜଣାଇଛି ଯେ ତା’ର ଏଆଇ ମୋଡେଲ୍ କ୍ଲଡ୍‌କୁ ହଜାର ହଜାର ନକଲି ଡେଟିଂ ପ୍ରୋଫାଇଲ୍ ଚଳାଇବା ପାଇଁ ବ୍ୟବହାର କରାଯାଇଥିଲା ।

ଡେଟିଂ ଆପ୍ ତିଆରିରେ କ୍ଲଡ୍‌ର ନିଆଯାଇଥିଲା ସାହାଯ୍ୟ

ରିପୋର୍ଟ ଅନୁସାରେ, ଡେଟିଂ ଆପ୍ ପ୍ରସ୍ତୁତ କରିବାରେ କ୍ଲଡ୍‌ର ସାହାଯ୍ୟ ନିଆଯାଇଥିଲା ଏବଂ ପରେ କ୍ଲଡ୍‌କୁ ହିଁ ହଜାର ହଜାର ନକଲି ପ୍ରୋଫାଇଲ୍ ପଛରେ ବସାଯାଇଥିଲା । ଏପ୍ରିଲ୍ ମାସରେ ମାତ୍ର ୨ ସପ୍ତାହ ମଧ୍ୟରେ ଆନ୍ଥ୍ରୋପିତ୍ ଏଭଳି ୪,୭୦୦ରୁ ଅଧିକ ଏଆଇ ପ୍ରୋଫାଇଲ୍ ଧରିଥିଲା, ଯେଉଁଗୁଡ଼ିକ ୨୫,୦୦୦ରୁ ଅଧିକ ଲୋକଙ୍କ ସହ କଥାବାର୍ତ୍ତା ହେଉଥିଲେ । ଏହି ସମୟ ମଧ୍ୟରେ ଏଆଇ ପାଖାପାଖି ୨୩.୬ ଲକ୍ଷ ମେସେଜ୍ ପଠାଇଥିଲା । କ୍ଲଡ୍‌ର ଭୂମିକା କେତେ ବଡ଼ ଥିଲା, ତାହା ଏହି ମେସେଜ୍ ସଂଖ୍ୟାରୁ ଅନୁମାନ କରାଯାଇପାରେ । ଅର୍ଥାତ୍ ସ୍କାମରମାନେ ନିଜେ ସବୁ କଥାବାର୍ତ୍ତା ସମ୍ଭାଳୁ ନଥିଲେ । କ୍ଲଡ୍‌ ହଜାର ହଜାର ଭିନ୍ନ ଭିନ୍ନ ଚରିତ୍ର ସାଜି ଏକାସାଙ୍ଗରେ ଲୋକଙ୍କ ସହ କ୍ରମାଗତ ଚାଟ୍ କରୁଥିଲା । ଏଥିପାଇଁ କ୍ଲଡ୍‌କୁ କେବେ ବି ନିଜକୁ ଏଆଇ କିମ୍ବା ଅଟୋମେଟେଡ୍ ସିଷ୍ଟମ୍ ବୋଲି ନଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯଦି କୌଣସି ୟୁଜର୍ ଫଟୋ କିମ୍ବା ଭିଡିଓ କଲ୍ ପାଇଁ ଦାବି କରୁଥିଲେ, ତେବେ କଥା ବୁଲାଇଦେବାକୁ କୁହାଯାଉଥିଲା । ଅର୍ଥାତ୍ କ୍ଲଡ୍‌କୁ କୌଣସି ସାଧାରଣ ଚାଟବଟ୍ ପରି ନୁହେଁ, ବରଂ ଏକ ନକଲି ଡେଟିଂ ପାର୍ଟନର ଭୂମିକା ତୁଲାଇବା ପାଇଁ ଲଗାଯାଇଥିଲା ।

କେବଳ Claude ନୁହେଁ, ଅନେକ AI ମୋଡେଲ୍ କାମ କରୁଥିଲେ

ଡେଟିଂ ଆପ୍ ଚଳାଇବାରେ କେବଳ କ୍ଲଡ୍ ଏକମାତ୍ର ଏଆଇ ନଥିଲା । କ୍ଲଡ୍‌ର ମୁଖ୍ୟ କାମ ଥିଲା ନକଲି ପ୍ରୋଫାଇଲ୍ ତିଆରି କରି କ୍ରମାଗତ କଥାବାର୍ତ୍ତା ଜାରି ରଖିବା । ଅନ୍ୟ ସିଷ୍ଟମଗୁଡ଼ିକ ଫଟୋ ଓ ସ୍ୱରର ଯାଞ୍ଚ ଏବଂ ଚେହେରାର ଆକର୍ଷଣୀୟତା ରେଟିଂ କରୁଥିଲେ । ଏକ ଇମେଜ୍ ଏଡିଟିଂ ମୋଡେଲ୍ ସାହାଯ୍ୟରେ ପ୍ରୋଫାଇଲ୍ ଫଟୋଗୁଡ଼ିକ ପ୍ରସ୍ତୁତ କରାଯାଉଥିଲା । ଆପର କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ କିଛି କର୍ମଚାରୀ ମଧ୍ୟ ଥିଲେ । ଯଦି କୌଣସି ଜାଗାରେ ସମସ୍ୟା ଉପୁଜୁଥିଲା, କ୍ଲଡ୍‌ ୩ଟି ସମାଧାନ ପ୍ରସ୍ତୁତ କରି ସେହି କର୍ମଚାରୀମାନଙ୍କ ପାଖକୁ ପଠାଉଥିଲା ।

ରୋଜଗାରର ସିଷ୍ଟମ୍ କେମିତି ଥିଲା, ଧରାପଡ଼ିଲା କିପରି ?

ଏହି ସମ୍ପୂର୍ଣ୍ଣ ସିଷ୍ଟମ୍ ପଛରେ ରୋଜଗାରର ଏକ ମଡେଲ୍ ମଧ୍ୟ ଯୋଡ଼ି ହୋଇଥିଲା । ୟୁଜର୍ ଯେତେବେଳେ ମେସେଜ୍ କରୁଥିଲେ କିମ୍ବା ନିଜର ମ୍ୟାଚ୍ ସହିତ କଥାବାର୍ତ୍ତା ଆଗକୁ ବଢ଼ାଉଥିଲେ, ତାଙ୍କର ନିର୍ଦ୍ଧାରିତ କୋଟା କମିଯାଉଥିଲା । ଏହାକୁ ପୁଣି ଭରିବା ପାଇଁ ଆପର କଏନ୍ କିଣିବାକୁ ପଡ଼ୁଥିଲା । ଏହିପରି ଭାବେ ଏଆଇ ଯେତେ ସମୟ ୟୁଜରଙ୍କୁ କଥାବାର୍ତ୍ତାରେ ବାନ୍ଧି ରଖୁଥିଲା, ରୋଜଗାରର ସମ୍ଭାବନା ସେତେ ଅଧିକ ବଢ଼ୁଥିଲା । କିଛି ୟୁଜର୍ ନିଜର ଗମ୍ଭୀର ରୋଗ କିମ୍ବା ଅତ୍ୟନ୍ତ ଖରାପ ମାନସିକ ସ୍ଥିତି ବିଷୟରେ ମଧ୍ୟ କହିଥିଲେ । ଏହା ସତ୍ତ୍ୱେ କ୍ଲଡ୍ ନକଲି ଚରିତ୍ରରେ କଥାବାର୍ତ୍ତା ଜାରି ରଖିଥିଲା । ଏହିଭଳି କିଛି କଥାବାର୍ତ୍ତାକୁ କ୍ଲଡ୍‌ ନିଜର ଆଭ୍ୟନ୍ତରୀଣ ସମୀକ୍ଷାରେ ଚିହ୍ନଟ କରିଥିଲା ଏବଂ ତା'ପରେ ଏହି ଗ୍ରୁପ୍‌ର କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଥିଲା ।