ନୂଆଦିଲ୍ଲୀ: ପାକିସ୍ତାନର ଜଣେ ବିଧାୟକ (MPA) ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଏକ ଇଂରାଜୀ ପ୍ରବନ୍ଧ ପଢ଼ିବାରେ ବିଫଳ ହୋଇଛନ୍ତି । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଧାୟକଜଣଙ୍କ ସଭାରେ ସମସ୍ତଙ୍କ ସମ୍ମୁଖରେ ଇଂରାଜୀ ଶବ୍ଦଗୁଡ଼ିକୁ ସଠିକ୍ ଭାବରେ ଉଚ୍ଚାରଣ କରିନପାରି ଅଟକି ଅଟକି ପଢ଼ୁଥିବା ଦେଖିବାକୁ ମିଳିଛି। ଯେମିତି ଜଣେ ଇଂରାଜୀ ଶିଖୁଥିବା ପିଲା ଭଳି, ସେ ଗୋଟିଏ ଗୋଟିଏ ଅକ୍ଷର ଚିହ୍ନି ପଢ଼ୁଥିବା ଭଳି ମନେ ହେଉଛି ।

କରାଚୀର କିଆମାରୀ ଅଞ୍ଚଳର ବିଧାୟକ ମହମ୍ମଦ ଶବ୍ବୀର କୁରେଶୀ ନିଜ ରାଜ୍ୟ ବିଧାନସଭା ଅଧିବେଶନ ସମୟରେ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦେଶର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତି ସମ୍ମାନ ଜଣାଇ ପ୍ରସ୍ତୁତ କରାଯାଇଥିବା ସଂକଳ୍ପ ପତ୍ରଟି ଇଂରାଜୀ ଭାଷାରେ ଲେଖାଯାଇଥିଲା। ତାହାକୁ ପଢ଼ିବା ସମୟରେ ବିଧାୟକ ବାରମ୍ବାର ଅଟକି ଯାଇଥିଲେ ଏବଂ ସଠିକ୍ ଉଚ୍ଚାରଣ ପାଇଁ ପାଖରେ ବସିଥିବା ସହଯୋଗୀ ନେତାମାନଙ୍କ ସାହାଯ୍ୟ ନେଉଥିବା ଭିଡିଓରେ ଦେଖିବାକୁ ମିଳିଛି । 

ଗୃହରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟ ଓ ନେତାମାନେ ଏହା ଦେଖି ହସିବା ସହ ମଜା ଉଡ଼ାଇଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ନେତାଙ୍କ ଯୋଗ୍ୟତା ଏବଂ ସରକାରୀ କାର୍ଯ୍ୟରେ ଭାଷାର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଲୋକେ। କେତେକ ବ୍ୟକ୍ତି ନେତାଙ୍କ ଶିକ୍ଷାଗତ ଯୋଗ୍ୟତାକୁ ସମାଲୋଚନା କରିଥିବା ବେଳେ, ଅନ୍ୟ କେତେକ ସରକାରୀ ପ୍ରକ୍ରିୟାରେ ନିଜ ମାତୃଭାଷା (ଉର୍ଦ୍ଦୁ) ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।