ନୂଆଦିଲ୍ଲୀ: ଲିବ୍ୟାର ମିସରାତା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷଙ୍କୁ (VIP) ନେଇ ଯାଉଥିବା ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଅଘଟଣ ପରେ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ଅଞ୍ଚଳର ଆକାଶମାର୍ଗକୁ ବନ୍ଦ କରାଯିବା ସହ ବିମାନବନ୍ଦରରେ ସମସ୍ତ ଉଡ଼ାଣ ସେବା ସ୍ଥଗିତ ରଖାଯାଇଛି।

ବିମାନଟି ମିସରାତା ବିମାନବନ୍ଦରରେ ଅବତରଣ କରୁଥିବା ସମୟରେ ନିୟନ୍ତ୍ରଣ ହରାଇ ରନୱେରୁ ବାହାରକୁ ଚାଲିଯାଇଥିଲା ଏବଂ ସେଥିରେ ନିଆଁ ଲାଗିଯାଇଥିଲା। ସମ୍ବାଦ ସଂସ୍ଥା 'ଅଲ୍ ଆରବିୟା' ଅନୁଯାୟୀ, ବିମାନରେ ଜଣେ ବିଶିଷ୍ଟ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଯାତ୍ରା କରୁଥିଲେ। ତେବେ ସେହି ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଲିବ୍ୟା ପରିବହନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ବିମାନର କ୍ରିୟୁ ସଦସ୍ୟମାନେ ସୁରକ୍ଷିତ ଅଛନ୍ତି ଏବଂ କୌଣସି ଜୀବନହାନୀ ଘଟିନାହିଁ। ଘଟଣାସ୍ଥଳରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଛି ଏବଂ ପରିସ୍ଥିତି ସୁଧାରିବା ପାଇଁ ଜରୁରୀକାଳୀନ ସେବା ନିୟୋଜିତ କରାଯାଇଛି। ଆକାଶମାର୍ଗ ଓ ଉଡ଼ାଣ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ତୁରନ୍ତ ବିମାନସେବା ବନ୍ଦ ରଖାଯାଇଥିଲା, ଯାହା ପରିସ୍ଥିତି ସ୍ୱାଭାବିକ ହେବା ପରେ ପୁନଃ ଚାଲୁ କରାଯିବ। ଦୁର୍ଘଟଣାର କାରଣ (ଯାନ୍ତ୍ରିକ ତ୍ରୁଟି କିମ୍ବା ଜରୁରୀକାଳୀନ ଅବତରଣ) ଜାଣିବା ପାଇଁ ଲିବ୍ୟା କର୍ତ୍ତୃପକ୍ଷ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଲିବ୍ୟା ସେନା ମୁଖ୍ୟ ଜେନେରାଲ ମହମ୍ମଦ ଅଲି ଅହମ୍ମଦ ଅଲ-ହଦାଦ ତୁର୍କୀରେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଜେନେରାଲ ମହମ୍ମଦ ଅଲି ଅହମ୍ମଦ ଅଲ-ହଦାଦ ତୁର୍କୀର ରାଜଧାନୀ ଆଙ୍କାରାରୁ ଉଡ଼ାଣ ଭରିଥିବା ଏକ ଫାଲକନ୍ ୫୦ ବିମାନରେ ଥିଲେ। ତାଙ୍କର ଅନ୍ୟ ଚାରି ସାମରିକ ଅଧିକାରୀ ଏବଂ ତିନି ଜଣ କ୍ରୁ ସଦସ୍ୟଙ୍କ ସହିତ ମୃତ୍ୟୁ ହୋଇଥିଲା।