ନୂଆଦିଲ୍ଲୀ-;କିଛି ସ୍ୱର କେବଳ କାନରେ ଗୁ଼ଞ୍ଜରିତ ହୁଏ ନାହିଁ...ହୃଦୟକୁ ଛୁଏଁ । ଛାଡିଯାଏ ମନରେ ଛାପ । ଆଉ କିଛି ଅଭିନେତା କେବଳ କିଛି ଚରିତ୍ରରେ ଅଭିନୟ କରନ୍ତି ନାହିଁ...ସେମାନେ ଚରିତ୍ରକୁ ଜୀବନ୍ତ କରିଦିଅନ୍ତି। ଆଉ କିଛି କଳାକାରଙ୍କ ବିଦାୟ କେବଳ ଜଣେ ମଣିଷର ବିଦାୟ ନୁହେଁ... ଏକ ଯୁଗର ଶେଷ ବୋଲି ଲେକାଯାଏ । ଆଜି ସେହିଭଳି ଜଣେ କିମ୍ବଦନ୍ତୀ ଅଭିନେତା, ଅଭିନୟର ଯାଦୁଗର ନାନା ପାଟେକର ନିରବୀ ଯାଇଛନ୍ତି । ୭୫ ବର୍ଷ ବୟସରେ ଚିର ନିଦ୍ରାରେ । ନାନା ସିନା ନିଦରେ , କିନ୍ତୁ ତାଙ୍କ ସଂଳାପ ସବୁତ ଗୁଞ୍ଜରିତ ହେଉଛି ହେଉଥିବ ପ୍ରଶଂସକଙ୍କ କାନରେ । ତାଙ୍କ ଅଭିନୟ , ତାଙ୍କ ଚରିତ୍ର ଆଉ ତାଙ୍କ ବ୍ୟକ୍ତିତ୍ବ ଭାରତୀୟ ଅଭିନୟ ଜଗତରେ ତାଙ୍କୁ କରିରଖିଥିବ ଆମର , ଆଉ ମନେରଖିଥିବ ଇତିହାସ ସେହି ଭିନ୍ନ ଅନ୍ଦାଜର ଡାଏଲଗ ...

 ବଲିଉଡ୍ର ସିନେ ଦୁନିଆରେ ନାନା ପାଟେକରଙ୍କ ପ୍ରବେଶ ଯେତେ ସଫଳ ଥିଲା, ତାଙ୍କ ସଂଘର୍ଷର କାହାଣୀ ମଧ୍ୟ ତା ଠାରୁ ଅଧିକ କଠିନ କିନ୍ତୁ ଅନନ୍ୟ ଥିଲା । ୧ ଜାନୁଆରୀ ୧୯୫୧। ମହାରାଷ୍ଟ୍ରର ମୁରୁଡ-ଜଞ୍ଜିରାରେ ଜନ୍ମ ନାନା ପାଟେକରହ୍କ ପୂରା ନାମ ବିଶ୍ୱନାଥ ପାଟେକର। କିନ୍ତୁ ସିନେ ଦୁନିଆରେ ନାନା ପାଟେକର ନାମରେ ସେ ପ୍ରସିଦ୍ଧ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ମାତ୍ର ୧୩ ବର୍ଷ ବୟସରେ ପରିବାର ଆର୍ଥିକ ସଙ୍କଟ ଲାଗି ପାଠ ପଢା ସହିତ କାମ କରିବାକୁ ପଡିଥିଲା ନାନାଙ୍କୁ । ସ୍କୁଲ୍ ସରିଲା ପରେ ଅନେକ କିଲୋମିଟର ଚାଲି ଚାଲି ଯାଇ ଫିଲ୍ମର ପୋଷ୍ଟର ପେଣ୍ଟ କରୁଥିଲେ ନାନା। କେବେ କେବେ ହାତକୁ ଆସୁଥିଲା ଅଳ୍ପ କିଛି ଟଙ୍କା, ଆଉ କେବେ କାମ ବଦଳରେ କେବଳ ଖାଇବାକୁ ହିଁ ମିଳୁଥିଲା। ଯେଉଁ ପିଲାଟି ଦିନେ ଫିଲ୍ମର ପୋଷ୍ଟର ରଙ୍ଗ କରୁଥିଲେ, ସେହି ଯେ ଦିନେ ଭାରତୀୟ ସିନେମାର ଚିତ୍ର ବଦଳାଇଦେବେ ଏକଥା ହୁଏତ ସେତେବେଳେ କେହି କଳ୍ପନା କରିନଥିଲେ। ଆଉ ସଂଘର୍ଷ କରି ମଡବୁତ ହେଉଥିଲେ ବିଶ୍ବନାଥ ପାଟେକର । ତାଙ୍କ ସ୍ବପ୍ନ , ନିଷ୍ଠା ଓ ଲକ୍ଷ୍ୟ ହାସଲର ଜିଦ୍ ତାଙ୍କୁ ତିଆରି କରିଥିଲା …ବିଶ୍ବନାଥରୁ ନାନା …।

ସିନେମା ତାଙ୍କୁ ଲୋକପ୍ରିୟ କରିଥିଲା। କିନ୍ତୁ ଅଭିନେତା ବନାଇ ଦେଇଥିଲା ଥିଏଟର। ସ୍କୁଲ୍ ସମୟରୁ ହିଁ ନାନା ଥିଏଟର ସହ ଜଡ଼ିତ ହୋଇଥିଲେ। ମରାଠୀ ରଙ୍ଗମଞ୍ଚରେ ବର୍ଷ ବର୍ଷ ଧରି କାମ କରି ସେ ନିଜର ସ୍ୱର, ଶରୀରର ଭାଷା, ଭାବଭଙ୍ଗୀ ଏବଂ ଦର୍ଶକଙ୍କୁ ନିଜ ସହିତ ବାନ୍ଧି ରଖିବାର କଳା ଶିଖିଥିଲେ। ‘ହାମିଦାବାଇଚୀ କୋଠୀ’, ‘ପୁରୁଷ’ ଓ ‘ମହାସାଗର’ ଭଳି ନାଟକ ତାଙ୍କୁ ଜଣେ ଗମ୍ଭୀର ଅଭିନେତା ଭାବେ ପରିଚିତ କରାଇଥିଲା।ସେଥିପାଇଁତ ପରଦାରେ ନାନା ଯେତେବେଳେ ଦୀର୍ଘ ସଂଳାପ କହୁଥିଲେ, ତାହା କେବଳ ମୁଖସ୍ଥ ସଂଳାପ ଭଳି ଲାଗୁନଥିଲା। ଲାଗୁଥିଲା...ସେହି ମଣିଷଟି ନିଜେ କଥା କହୁଛି। କୁହାଯାଏ ଅଭିନୟଟା ନିଶା ଭଳି ନନାଙ୍କ ଜୀବନରେ ଛାଇ ହୋଇ ରହିଥିଲା l ସେ ଥରେ ଅଭିନୟ ଭିତରେ ପଶିଗଲେ ନିଜକୁ ବୁଲି ସେହି ଚରିତ୍ର ପାଲଟିଯାଉଥିଲେ । ସେଥିଲାଗି ତ ତାଙ୍କ ଅଭିନୟ ଜୀବନ୍ତ ହେଉଥିଲା ।

 ‘ଗମନ’ରୁ ଆରମ୍ଭ, ‘ପରିନ୍ଦା” ରେ ବଦଳିଗଲା ପରିଚୟ l ୧୯୭୮ରେ ‘ଗମନ’ ଫିଲ୍ମ ଜରିଆରେ ବଡ଼ ପରଦାରେ ପାଦ ଥାପିଥିଲେ ନାନା ପାଟେକର। କିନ୍ତୁ ସଫଳତା ତାଙ୍କୁ ଗୋଟିଏ ଦିନରେ ମିଳିନଥିଲା। ଛୋଟ ଛୋଟ ଚରିତ୍ରରୁ ଆରମ୍ଭ କରି ସେ ନିଜର ଅଭିନୟର ଦମ୍ରେ ଧୀରେ ଧୀରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ତା’ପରେ ଆସିଲା ‘ପରିନ୍ଦା’। ଏହି ଫିଲ୍ମରେ ଅଣ୍ଡରୱାର୍ଲ୍ଡ ଡନ୍ ‘ଆନ୍ନା’ ଭୂମିକାରେ ନାନା ଯେଉଁ ଭୟଙ୍କର ତୀବ୍ରତା ଦେଖାଇଥିଲେ, ତାହା ତାଙ୍କ କ୍ୟାରିୟରକୁ ଏକ ନୂଆ ମୋଡ଼ ଦେଇଥିଲା। ଏହି ଅଭିନୟ ପାଇଁ ସେ ଜିତିଥିଲେ ନ୍ୟାସନାଲ୍ ଫିଲ୍ମ ଆୱାର୍ଡ। ଆଉ ତା’ପରେ ନାନା ପାଟେକର କେବଳ ଜଣେ ଅଭିନେତା ନୁହେଁ...ପାଲଟିଗଲେ ବ୍ରାଣ୍ଡ୍।

 ‘କ୍ରାନ୍ତିବୀର’... ଯେଉଁ ଚରିତ୍ର ନାନାଙ୍କୁ ଅମର କରିଦେଲା । ନାନାଙ୍କ କ୍ୟାରିୟରର ସବୁଠାରୁ ଦମଦାର ଅଧ୍ୟାୟ ଥିଲା ‘କ୍ରାନ୍ତିବୀର’। ଜଣେ ଦେଶପ୍ରେମୀ କ୍ରାନ୍ତିକାରୀର ଚରିତ୍ରରେ ନାନାଙ୍କ ଅଭିନୟ ଦର୍ଶକଙ୍କ ରକ୍ତ ଗରମ କରିଦେଇଥିଲା। ତାଙ୍କ ସଂଳାପରେ ଥିଲା ଦେଶପ୍ରେମ।ସ୍ୱରରେ ଥିଲା ବିଦ୍ରୋହ। ଆଖିରେ ଥିଲା ଆକ୍ରୋଶ। ଆଉ ଅଭିନୟରେ ସ୍ପଷ୍ଟଥିଲା ଜଣେ ମଣିଷର ଯନ୍ତ୍ରଣା।‘କ୍ରାନ୍ତିବୀର’ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ନ୍ୟାସନାଲ୍ ଆୱାର୍ଡ ମଧ୍ୟ ପାଇଲେ। ଏହି ଚରିତ୍ର ପରେ ନାନାଙ୍କ ସଂଳାପ ଶୈଳୀ ଏକ ସ୍ୱତନ୍ତ୍ର ପରିଚୟ ପାଲଟିଗଲା।

 ଗମ୍ଭୀର ଚରିତ୍ର ନେଗେଟିଭ୍ ରୋଲ୍ ବି ଜୀବନ୍ତ ଆଉ କମେଡିରେ ବି ତାଙ୍କ ଆକ୍ଟିଂ ଜବରଦସ୍ତ । ସେ ଅଲରାଉଣ୍ଡର । ‘ୱେଲକମ୍’ରେ ଉଦୟ ଶେଟ୍ଟୀ ହୋଇ ସେ ଯେଉଁଭଳି ହସାଇଥିଲେ, ତାହା ଦର୍ଶକଙ୍କୁ ତାଙ୍କର ଆଉ ଏକ ରୂପ ଦେଖାଇଥିଲା। ‘ତିରଙ୍ଗା’, ‘ଅବ୍ ତକ୍ ଛପ୍ପନ୍’, ‘ରାଜନୀତି’, ‘ଅଗ୍ନିସାକ୍ଷୀ’, ‘ପ୍ରହାର’ ଭଳି ଫିଲ୍ମରେ ତାଙ୍କ ଅଭିନୟ ତାଙ୍କ ବହୁମୁଖୀ ପ୍ରତିଭାର ପ୍ରମାଣ। ଆଉ ମରାଠୀ ସିନେମାର ‘ନଟସମ୍ରାଟ’...ଜଣେ ବୃଦ୍ଧ ରଙ୍ଗମଞ୍ଚ କଳାକାରଙ୍କ ଏକାକୀପଣ, ଅହଂକାର, ଯନ୍ତ୍ରଣା ଏବଂ ଭାଙ୍ଗିଯାଉଥିବା ଜୀବନକୁ ଯେଉଁଭଳି ଭାବରେ ନାନା ଜୀବନ୍ତ କରିଥିଲେ, ତାହା ତାଙ୍କ ନିଜ ଥିଏଟର ଜୀବନର ପ୍ରତିଛବି ଭଳି ଲାଗିଥିଲା।

ନାନାଙ୍କ ପାଇଁ ପୁରସ୍କାର ଠାରୁ ବଡ଼ ଥିଲା ଦର୍ଶକଙ୍କ ଭଲପାଇବା l ତିନି ଥର ନ୍ୟାସନାଲ୍ ଫିଲ୍ମ ଆୱାର୍ଡ।ଏକାଧିକ ଫିଲ୍ମଫେୟାର ସମ୍ମାନ। ଆଉ ୨୦୧୩ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ନାନା ପାଟେକର ।ସମ୍ମାନର ତାଲିକାତ ଖୁବ ଲମ୍ବା ଥିଲା ।କିନ୍ତୁ ନାନାଙ୍କ ସଫଳତାକୁ କ’ଣ କେବଳ ପୁରସ୍କାରରେ ମାପିହେବ ? ଏ ପ୍ରଶ୍ନର ଉତ୍ତର ନିଶ୍ଚୟ ନା । ପୁରସ୍କାର ନୁହେଁ ବଡ ହେଲା ଚରିତ୍ରର ଛାପ । ସେଥିଲାଗି ନାନା କହୁଥିଲେ, ଜଣେ ଅଭିନେତା ପାଇଁ ସବୁଠାରୁ ବଡ଼ ପୁରସ୍କାର ହେଉଛି ତାଙ୍କ ଅଭିନୀତ ଚରିତ୍ର ଦର୍ଶକଙ୍କ ମାନସପଟରେ ସ୍ଥାନ ଜମେଇ ରଖିବା । ନିଜେ କହିଥିବା ସଫଳତାର ମାନଦଣ୍ଡରେ ନିଜକୁ ସଫଳ ପ୍ରମାଣିତ କରିଛନ୍ତି ନାନା ।ତାଙ୍କ ଡାଇଲଗ୍ ଆଜି ବି ସୋସିଆଲ୍ ମିଡିଆରେ, ଅନେକ ମଞ୍ଚରେ , ସାଧାରଣ ଜୀବନରେ ଘୁରି ବୁଲୁଛି ।ତାଙ୍କ ଚରିତ୍ର ଆଜି ବି ମିମ୍ ହେଉଛି। ତାଙ୍କ ଅଭିନୟ ଆଜି ବି ନୂଆ ପିଢ଼ିକୁ ପ୍ରଭାବିତ କରୁଛି।

ରିଲ୍ ଆଉ ରିୟଲ୍ରେ ପୁରା ଡିଫରେଣ୍ଟ । କ୍ୟାମେରା ସାମ୍ନାରେ ନାନା ଯେତେ ରାଗୀ ଦେଖାଯାଉଥିଲେ, ବ୍ୟକ୍ତିଗତ ଜୀବନରେ ସେତିକି ସରଳତା ତାଙ୍କ ବ୍ୟକ୍ତିତ୍ବରେ । ବେଶ ସରଳ ଜୀବନ ପସନ୍ଦ କରୁଥିଲେ ବୋଲି ତାଙ୍କ ବିଷୟରେ ପ୍ରକାଶିତ ରିପୋର୍ଟଗୁଡ଼ିକ କହେ। ଚାଷବାସ ସହ ତାଙ୍କର ଥିଲା ଗଭୀର ସମ୍ପର୍କ । କୃଷି ଓ ସାମାଜିକ କାର୍ଯ୍ୟ ସହିତ ମଧ୍ୟ ସେ ଜଡ଼ିତ ଥିଲେ। ଏହି ଦିଗଟି ତାଙ୍କ ପରଦାର ଚେହେରାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ପରଦାରେ ଗର୍ଜୁଥିବା ନାନା...ବାସ୍ତବ ଜୀବନରେ ଥିଲେ ମାଟି ପାଖକୁ ଫେରିଯାଉଥିବା ଜଣେ ସରଳ ମଣିଷ। ଏବେ ରହିଗଲା କେବଳ ସ୍ୱର...। କଳାକାର ଚାଲିଯାଆନ୍ତି ...କିନ୍ତୁ ତାଙ୍କ କଳା ଚାଲିଯାଏ ନାହିଁ। ନାନାଙ୍କ ହୃଦୟର ସ୍ପନ୍ଦନ ଥମିଯାଇଛି...କିନ୍ତୁ ‘କ୍ରାନ୍ତିବୀର’ର ସେହି ସ୍ୱର ଥମିବ ନାହିଁ।‘ପରିନ୍ଦା’ର ସେହି ଆଖିର ଭୟ ଯିବ ନାହିଁ।‘ୱେଲକମ୍’ର ସେହି ହାସ୍ୟ ବି ଥମିବ ନାହିଁ। ଆହୁରି ବି ଥମିବ ନାହିଁ ‘ନଟସମ୍ରାଟ’ର ସେହି ଯନ୍ତ୍ରଣା ।କାରଣ ନାନା ପାଟେକର ନାମଟି ଏବେ କେବଳ ଜଣେ ଅଭିନେତାଙ୍କ ନାମ ନୁହେଁ...ଏହା ଭାରତୀୟ ସିନେମାର ଏକ ସ୍ବତନ୍ତ୍ର ଅଧ୍ୟାୟ।

also read - କେତେ ପାଠ ପଢିଥିଲେ ନାନା ପାଟେକର ? ଅଭିନେତା ହେବା ପୂର୍ବରୁ କରୁଥିଲେ ଏହି କାମ

ଗୋଟିଏ ସମୟରେ ମୁମ୍ବାଇର ରାସ୍ତାରେ ଫିଲ୍ମ ପୋଷ୍ଟର ରଙ୍ଗ କରି ଜୀବନ କୁ ଆଗକୁ ନେବାର ସଂଘର୍ଷ କରୁଥିବା ସେହି ଛୋଟ ପିଲା...ପରେ ଭାରତୀୟ ସିନେମାର ପରଦାରେ ଏମିତି ରଙ୍ଗ ଭରିଦେଲା, ଯାହାକୁ ପୋଛିବା କେବେ ବି ସମ୍ଭବ ନୁହେଁ।ସଂଘର୍ଷରୁ ଉଠିଥିଲେ।ଥିଏଟରରେ ନିଜକୁ ଗଢ଼ିଥିଲେ।ସିନେମାରେ ନିଜର ସାମ୍ରାଜ୍ୟ ତିଆରି କରିଥିଲେ। ହେଲେ ଆଜି ସେ ଆମ ଗହଣରେ ନାହାନ୍ତି...କିନ୍ତୁ ତାଙ୍କ ସଂଳାପ ରହିବ। ତାଙ୍କ ଚରିତ୍ର ରହିବ।ତାଙ୍କ ଅଭିନୟ ରହିବ।ଆଉ ଯେତେବେଳେ ଭାରତୀୟ ସିନେମାର ମହାନ ଅଭିନେତାଙ୍କ ନାମ ନିଆଯିବ...ସେହି ତାଲିକାରେ ଗୋଟିଏ ନାମ ସବୁବେଳେ ଅଲଗା ଭାବରେ ଚମକୁଥିବ ...ନାନା ପାଟେକର। ଅଭିନୟର ଏହି ଯାଦୁଗରଙ୍କୁ ସଲାମ….