ମୁମ୍ଵାଇ ୦୮।୧୦; ବଲିଉଡ଼ରେ ଶୋକର ଛାୟା। ଆଉ ନାହାନ୍ତି ଭେଟେରାନ୍ ଅଭିନେତା ନାନା ପାଟେକର। ୭୫ ବର୍ଷ ବୟସରେ ଗୋଆରେ ତାଙ୍କର ପରଲୋକ ହୋଇଛି। ସେ ଥିଲେ ଭାରତୀୟ ସିନେମା ଜଗତର ଜଣେ ପ୍ରଖ୍ୟାତ ତଥା ପ୍ରତିଭାସମ୍ପନ୍ନ ଅଭିନେତା ତାଙ୍କର ଏଭଳି ଆକସ୍ମିକ ବିୟୋଗରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଏବଂ ପ୍ରଶଂସକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ସମସ୍ତ ପ୍ରୟାସ କରିଥିଲେ ମଧ୍ୟ ଶେଷରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

କମେଡ଼ିରୁ ସେନା ସେବା

ହିନ୍ଦୀ ଓ ମରାଠୀ ସିନେମାରେ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅଭିନୟ ସହ ୨୦୦୭ର ‘ୱେଲକମ୍’ ଏବଂ ‘ୱେଲକମ୍ ବ୍ୟାକ୍’ ଭଳି ଫିଲ୍ମରେ ‘ଉଦୟ ସେଟ୍ଟୀ’ ଭୂମିକାରେ ତାଙ୍କର କମେଡ଼ି ଅବତାର ଦର୍ଶକଙ୍କୁ ବେଶ୍ ମଜା ଦେଇଥିଲା। ସିନେମା ବ୍ୟତୀତ ବାସ୍ତବ ଜୀବନରେ ସେନା ପ୍ରତି ତାଙ୍କର ଗଭୀର ସମ୍ମାନ ଥିଲା। ‘ପ୍ରହାର: ଦ ଫାଇନାଲ୍ ଆଟାକ୍’ ପାଇଁ ମରାଠା ଲାଇଟ୍ ଇନଫାଣ୍ଟ୍ରି ସହ ତିନି ବର୍ଷ ପ୍ରଶିକ୍ଷଣ ନେଇ ସେ ଟେରିଟୋରିଆଲ୍ ଆର୍ମିରେ ଯୋଗ ଦେଇଥିଲେ ଏବଂ ଅନରାରି ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ପର୍ଯ୍ୟନ୍ତ ଦେଶ ସେବା କରିଥିଲେ।

୧୯୯୯ର କାର୍ଗିଲ୍ ଯୁଦ୍ଧ ସମୟରେ ମଧ୍ୟ ସେନା ସହ ନାନା ପାଟେକରଙ୍କ ନିକଟ ସମ୍ପର୍କ ସାମ୍ନାକୁ ଆସିଥିଲା। ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିସଙ୍କ ଠାରୁ ଅନୁମତି ନେଇ ସେ ସୀମାନ୍ତ ଅଞ୍ଚଳରେ ପ୍ରାୟ ୧୫ରୁ ୨୦ ଦିନ ସେନା ସହ ସମୟ ବିତାଇଥିଲେ। ଦ୍ରାସ୍, ଲେହ, କୁପୱାଡ଼ା ଓ ସୋପୋର୍ ଭଳି ଅଞ୍ଚଳକୁ ମଧ୍ୟ ସେ ଗସ୍ତ କରିଥିଲେ। ସେନାର କ୍ୱିକ୍ ରିଆକ୍ସନ୍ ଟିମ୍ ସହ ମଧ୍ୟ ସେ ସମୟ ବିତାଇଥିଲେ। ନାନା ପାଟେକରଙ୍କ ପାଇଁ ଦେଶ ଥିଲା ସର୍ବୋପରି। ସେ ଅନେକ ଥର କହିଥିଲେ-ପ୍ରତ୍ୟେକ ବ୍ୟକ୍ତି ଦେଶ ପାଇଁ କିଛି ନା କିଛି କରିବା ଉଚିତ୍। ଯବାନମାନଙ୍କୁ ସେ ଦେଶର ପ୍ରକୃତ ନାୟକ ବୋଲି ମାନୁଥିଲେ।

ଅଭିନୟ ଯାତ୍ରା ଓ ପୁରସ୍କାର:

ନାନା ପାଟେକର କେବଳ ଜଣେ ଅଭିନେତା ନଥିଲେ, ବରଂ ତାଙ୍କର ଦମଦାର୍ ଡାଏଲଗ୍ ଡେଲିଭରି ଓ ନିଆରା ଅଭିନୟ ଶୈଳୀ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା। ୧୯୮୯ର ‘ପରିନ୍ଦା’ (ଆନ୍ନା ଚରିତ୍ର), ୧୯୯୪ର ‘କ୍ରାନ୍ତିବୀର’ ଏବଂ ୧୯୯୬ର ‘ଅଗ୍ନି ସାକ୍ଷୀ’ ଭଳି ଫିଲ୍ମ ପାଇଁ ସେ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ। ଭାରତୀୟ ସିନେମା ପ୍ରତି ତାଙ୍କର ଅବଦାନ ନିମନ୍ତେ ୨୦୧୩ରେ ତାଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ଭୂଷିତ କରାଯାଇଥିଲା।