ନୂଆଦିଲ୍ଲୀ: ଶାର୍କ ଟ୍ୟାଙ୍କ ଇଣ୍ଡିଆର ଜଜ୍ ନମିତା ଥାପରଙ୍କୁ ଲୋକେ ଟ୍ରୋଲ୍ କରୁଛନ୍ତି । ଖରାପ ଭାଷାରେ ତାଙ୍କୁ ଏବଂ ତାଙ୍କ ମା’ଙ୍କୁ ଗାଳିଗୁଲଜ କରୁଛନ୍ତି । ଏହାକୁ ନେଇ ନମିତା ଥାପର ସୋସିଆଲ ମିଡିଆରେ ଟ୍ରୋଲର୍ସଙ୍କୁ ଜବାବ ମଧ୍ୟ ଦେଇଛନ୍ତି । ମାର୍ଚ୍ଚ ୨୦୨୬ରେ ନମିତା ଇନଷ୍ଟାଗ୍ରାମରେ ଏକ ରିଲ୍ ଶେୟାର କରିଥିଲେ । ଏଥିରେ,ନମାଜ କଲେ ଶରୀରକୁ କଣ ସବୁ ଫାଇଦା ମିଳେ ସେନେଇ କହିଥିଲେ ନମିତା । ଦିନରେ ୫ ଥର ନମାଜ କରିବା ଦ୍ବାରା, ଏହା କିଭଳି ଶରୀରକୁ ପ୍ରଭାବିତ କରେ ଏବଂ ଏହା କେତେ ଭଲ ସେ କହିଥିଲେ ।

ସମାଲୋଚନା କଲେ ଲୋକେ

ନିଜର ଜଣେ ବନ୍ଧଙ୍କ ସହ ଇଦ୍ ମନାଇବା ପରେ, ସେ ଏହି ଭିଡିଓ କରି ଶେୟାର କରିଥିଲେ । ସ୍ବାସ୍ଥ୍ୟ ବିଶେଷଜ୍ଞ ଭାବରେ ସେ ନମାଜର ଫାଇଦା ସଂପର୍କରେ କହିଥିଲେ ବୋଲି ନମିତା ଦାବି କରିଛନ୍ତି । କିନ୍ତୁ ନମାଜ ସଂପର୍କରେ ତାଙ୍କର ଏହି ଭିଡିଓକୁ ଅନେକ ୟୁଜର ନାପସନ୍ଦ କରିଛନ୍ତି । ନମିତା ନମାଜକୁ ଏକ ଚମତ୍କାର ସ୍ୱାସ୍ଥ୍ୟ ଅଭ୍ୟାସ ଭାବରେ ବର୍ଣ୍ଣନା କରିଥିଲେ। କିନ୍ତୁ ରିଲ୍ ପରେ ପ୍ରାୟ ତିନି ସପ୍ତାହ ପର୍ଯ୍ୟନ୍ତ ନମିତା ଏବଂ ତାଙ୍କ ମାଆଙ୍କୁ ସୋସିଆଲ ମିଡିଆରେ ଅପମାନର ସମ୍ମୁଖୀନ ହେବାକୁ ପଡିଥିଲା। ଏପ୍ରିଲ ୨୦ରେ ନମିତା ତାଙ୍କ ଏକ୍ସ ଆକାଉଣ୍ଟରେ ଏହାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ନମିତା କହିଛନ୍ତି, ‘ଗତ ତିନି ସପ୍ତାହ ଧରି ଲୋକମାନେ ମୋତେ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ମୋ ପ୍ରିୟ ମାଆଙ୍କୁ ମଧ୍ୟ ଛାଡ଼ୁନାହାନ୍ତି। କାରଣ ମୁଁ ନମାଜ କରିବା ଦ୍ବାରା ସ୍ୱାସ୍ଥ୍ୟ ଉପରେ କଣ ପ୍ରଭାବ ପଡ଼େ ତାଉପରେ ଏକ ରିଲ୍ ତିଆରି କରିଥିଲି।’

 

ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇଛନ୍ତି

ନମିତା ଆହୁରି କହିଛନ୍ତି ଯେ, ସେ ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ। ସେ ହିନ୍ଦୁ ଧର୍ମ ଉପରେ ଯୋଗ ଦିବସ ଏବଂ ସୂର୍ଯ୍ୟ ନମସ୍କାରର ଉପକାରିତା ଭଳି ଅନେକ ରିଲ୍ ତିଆରି କରିଛନ୍ତି। କେହି ଏହା ଉପରେ ମତାମତ ଦେଇ ନାହାଁନ୍ତି। ସେ ପଚାରିଛନ୍ତ, ‘ଧର୍ମରେ 'R' ସମ୍ମାନକୁ ବୁଝାଏ, ତେବେ ମହିଳାମାନଙ୍କୁ ଏପରି କାହିଁକି ବ୍ୟବହାର କରାଯାଏ ?’ ନମିତା ମହିଳାଙ୍କ ସମ୍ମାନର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି ଯେ, ମହିଳା ସଂରକ୍ଷଣ ବିଲ୍ ପାସ ନହେଲେ ଲୋକମାନେ ସ୍ୱର ଉଠାଇଥାନ୍ତି, କିନ୍ତୁ ଦୁଇଜଣ ମହିଳାଙ୍କୁ ବଦନାମ କଲେ କାହିଁକି ନୀରବତା ବଜାୟ ରଖାଯାଏ ?