ନୂଆଦିଲ୍ଲୀ, ୧୩/୧୦ : ଆଉ ବର୍ଷେ ପରେ ଦିନିକିଆ ବିଶ୍ୱକପ୍ । ଜାରି ହୋଇ ସାରିଲାଣି ଖେଳସୂଚୀ । କେଉଁ ଗ୍ରୁପରେ କିଏ ଖେଳିବେ ତାହା ମଧ୍ୟ ଚୂଡାନ୍ତ ହୋଇଛି । ଏହି ବିଶ୍ୱକପ୍ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଶେଷ ବିଶ୍ୱକପ୍ ହେବ । ଦଳରେ ସାମିଲ ହେବାକୁ ଉଭୟ ଦମଦାର ପ୍ରଦର୍ଶନ କରୁଛନ୍ତି । ଗୋଟିଏ ପରେ ଗୋଟିଏ ଶତକ ମାରୁଛନ୍ତି । ବାରମ୍ବାର ନିଜକୁ ପ୍ରମାଣିତ କରୁଛନ୍ତି ।

୨୦୨୭ ବିଶ୍ୱକପ୍ ବେଳକୁ ବିରାଟ ୩୯ ବର୍ଷର ହୋଇ ସାରିଥିବେ । ରୋହିତଙ୍କୁ ମଧ୍ୟ ୪୦ ବର୍ଷ ହୋଇଥିବ । ତେବେ ବୟସ ସେମାନଙ୍କ ପାଇଁ ବାଧକ ନୁହେଁ ବୋଲି କହିଛନ୍ତି ବିସିସିଆଇ ସଭାପତି ମିଥୁନ ମନହାସ । ସେ କହିଛନ୍ତି ଯେ, ରୋହିତ ଏବଂ ବିରାଟଙ୍କୁ ନେଇ ସେ ବହୁତ କିଛି କହିପାରିବେ ନାହିଁ । କୋଚ୍ ଏବଂ ଚୟନକର୍ତ୍ତା ଅଧିକ ଜାଣିଛନ୍ତି । ତେବେ ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ପାଇଁ ମାପକାଠି ହେଉଛି ଫିଟନେସ୍ ଏବଂ ପରଫରମାନ୍ସ ।

Also Read :- Students threatened over phone: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଡିଓ ଭାଇରାଲ୍, ଭୋଟ୍ ଦେବାକୁ ମିଳୁଛି ଧମକ !

ସେ ଆହୁରି କହିଛନ୍ତି ଯେ, ଯଦି ଜଣେ ଫିଟ୍ ଅଛି ଏବଂ ରନ୍ କରିବା ସହ ଦଳକୁ ଜିତାଉଛି ତାହାଲେ ବିଶ୍ୱକପ୍ ଖେଳିବା ସମ୍ଭାବନା ଅଧିକ ରହିଛି । ଏହା ହିଁ ଏକମାତ୍ର କ୍ରାଇଟେରିଆ ଯାହା ଉପରେ ଟିମ୍ ଫୋକସ କରିବ । ଶୁଭମନ୍ ଗିଲଙ୍କ ନେତୃତ୍ୱରେ କୋହଲି, ରୋହିତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଭିଜ୍ଞତା ଦଳକୁ ଅଧିକ ଆତ୍ମବିଶ୍ୱାସ ଦେବ । ଜସପ୍ରିତ ବୁମରା ବୋଲିଂ ବାହିନୀର ନେତୃତ୍ୱ ନେବେ । ଏହି ୪ ଖେଳାଳି ଦଳ ପାଇଁ ଆସେଟ୍ ଭାବେ କାମ କରିବେ ।

ଅନ୍ୟ ଦିଗରେ ରୋ-କୋଙ୍କୁ ନେଇ ପୂର୍ବତନ ଖେଳାଳି ମହମ୍ମଦ କୈଫ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବାନୁସାରେ ୨୦୨୭ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ୱେ ଏବଂ ନାମିବ୍ୟାରେ ଖେଳାଯିବ । ଏହି ସବୁ ପିଚ୍ ବ୍ୟାଟରଙ୍କୁ ସୁହାଇବ । କିନ୍ତୁ ବୋଲିଂ ଆଟାକ୍ ହିଁ ମ୍ୟାଚର ଫଳାଫଳରେ ନିର୍ଣ୍ଣାୟକ ଭୂମିକା ନେବ ।

ସେ ଆହୁରି କହିଛନ୍ତି ଯେ, ବିରାଟ ଏବଂ ରୋହିତ ଭଲ ଫର୍ମରେ ଅଛନ୍ତି । ଭାରତକୁ ଜିତିବାକୁ ହେଲେ ଫିଲ୍ଡିଂ ଏବଂ ବୋଲିଂକୁ ଅଧିକ ଧ୍ୟାନ ଦେବାକୁ ପଡିବ । ଏହି ଦୁଇଟି ଦଳର ବିଜୟର ପ୍ରମୁଖ କାରଣ ହେବ ବୋଲି କୈଫ ପ୍ରକାଶ କରିଛନ୍ତି ।