ମୁମ୍ବାଇ: ଭାରତୀୟ ସିନେମାରେ ଆଉ ଏକ ନୂଆ ଅଧ୍ୟାୟ ଯୋଡି ହେବାକୁ ଯାଉଛି l ରଣବୀର କପୁର ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ବିଶ୍ୱ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆରମ୍ଭ ହେବାକୁ ଯାଉଛି ଏକ ବଡ଼ ଆନ୍ତର୍ଜାତୀୟ ପ୍ରଚାର ଅଭିଯାନ। ନିର୍ମାତା ନମିତ ମଲହୋତ୍ରାଙ୍କ ଏହି ଘୋଷଣା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ଆହୁରି ବଢ଼ିଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ନାମିତ ମଲହୋତ୍ରା କହିଛନ୍ତି ‘ରାମାୟଣ’ର ବିଶ୍ୱସ୍ତରୀୟ ପ୍ରଚାର ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଭାରତର ଏକ ମହାନ ପୌରାଣିକ ଗାଥାକୁ ଅନ୍ତର୍ଜାତୀୟ ଦର୍ଶକଙ୍କ ନିକଟରେ ପହଞ୍ଚାଇବା ହେଉଛି ଏହି ଅଭିଯାନର ଲକ୍ଷ । ନମିତଙ୍କ କହିବା ଅନୁଯାୟୀ, ଭାରତର ଏହି ମହାନ କାହାଣୀକୁ ସାରା ବିଶ୍ୱରେ ପରିଚିତ କରାଇବା ସେମାନଙ୍କର ଦୀର୍ଘଦିନର ସ୍ୱପ୍ନ ରହିଆସିଛି। ଏବେ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେବା ଦିଗରେ ପଦକ୍ଷେପ ନିଆଯାଉଛି।

ଏହି ଆନ୍ତର୍ଜାତୀୟ ଅଭିଯାନରେ ସୋନି ପିକ୍ଚର୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ । ଭାରତୀୟ ପୁରାଣ ଓ ସଂସ୍କୃତିର ଏହି ଅମର କାହାଣୀକୁ ବିଦେଶୀ ଦର୍ଶକଙ୍କ ପାଖରେ ନୂଆ ଢଙ୍ଗରେ ଉପସ୍ଥାପନ କରିବା ଉପରେ ନିର୍ମାତାମାନେ ଗୁରୁତ୍ୱ ଦେଉଛନ୍ତି।

ସବୁଠାରୁ ବଡ କଥା ହେଉଛି , ଅନେକ ଅନ୍ତର୍ଜାତୀୟ ଦର୍ଶକଙ୍କ ପାଇଁ ରାମାୟଣର କାହାଣୀ ପ୍ରଥମ ଅନୁଭୂତି ହୋଇପାରେ। ତେଣୁ ଏହି ଫିଲ୍ମ ମାଧ୍ୟମରେ ଭାରତୀୟ ମହାକାବ୍ୟର କାହାଣୀ, ମୂଲ୍ୟବୋଧ ଓ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦର୍ଶକଙ୍କ ସହ ଯୋଡ଼ିବାକୁ ଉଦ୍ୟମ କରାଯାଉଛି।

ନିତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ରାମାୟଣ’ରେ ରଣବୀର କପୁର ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବା ବେଳେ । ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ଏବଂ ୟସ ରାବଣଙ୍କ ଭୂମିକାରେ ନଜର ଆସିବେ।ବିଶାଳ ପରିସରରେ ନିର୍ମିତ ଏହି ଫିଲ୍ମକୁ ନେଇ ଦେଶ ଓ ବିଦେଶରେ ଚର୍ଚ୍ଚା ଜାରି ରହିଛି। ଏବେ ବିଶ୍ୱସ୍ତରୀୟ ପ୍ରଚାର ଅଭିଯାନ ଆରମ୍ଭ ହେବାକୁ ଥିବାରୁ ଫିଲ୍ମର ପ୍ରଚାର ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି।

also read- ‘ଜେଲର୍ ୨’ରେ ରଜନୀକାନ୍ତଙ୍କ ସହ ବିଦ୍ୟା ବାଲନ୍‌ଙ୍କ ଦମ୍‌ଦାର ଏଣ୍ଟ୍ରି, ଖଳନାୟିକା ଚରିତ୍ରରେ ନଜର ଆସିବେ ବିଦ୍ୟା

ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ଅଂଶ ରାମାୟଣକୁ ବିଶ୍ୱ ମଞ୍ଚରେ ଉପସ୍ଥାପନ କରିବାର ଏହି ପ୍ରୟାସ କେତେ ସଫଳ ହେବ, ତାହା ଆଗାମୀ ଦିନରେ ଜଣାପଡ଼ିବ। ତେବେ ନମିତ ମଲହୋତ୍ରାଙ୍କ ଏହି ଘୋଷଣା ଫିଲ୍ମପ୍ରେମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଛି।