ହାଇଦ୍ରାବାଦ: ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜ ଟିମ୍ ଭାରତ ଆଗରେ ୨୪୮ ରନ ବିଜୟ ଲକ୍ଷ୍ୟ ଦେଇଛି । ଅଧିନାୟକ ସାଇ ହୋପଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂ କରି ତିନି ୱିକେଟ୍ ହରାଇ ସ୍କୋର ବୋର୍ଡରେ ବଡ଼ ଲକ୍ଷ୍ୟ ଲଗାଇବାରେ ସଫଳ ହୋଇଛି ଭ୍ରମଣକାରୀ ଦଳ । ଭାରତ ପାଇଁ ଅକ୍ଷର ପଟେଲ, ଅର୍ଶଦୀପ ଏବଂ ପ୍ରିନ୍ସ ଯାଦବଙ୍କୁ ସଫଳତା ମିଳିଛି ।

ଭାରତୀୟ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍ ପଞ୍ଚମ ଓଭରରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଓପନର ଆଣ୍ଡ୍ରୁ ୧୬ ବଲରେ ୨୧ ରନ ସଂଗ୍ରହ କରି ଅକ୍ଷର ପଟେଲଙ୍କ ଦ୍ୱାରା ଆଉଟ ହୋଇଥିଲେ ।

ପ୍ରିନ୍ସ ଯାଦବ ନବମ ଓଭରରେ ଶିମରୋନ୍ ହେଟମାୟରଙ୍କୁ ଆଉଟ୍ କରିଥିଲେ । ହୋପ୍ ଏବଂ ହେଟମାୟର ଦ୍ୱିତୀୟ ୱିକେଟ୍ ପାଇଁ ୫୮ ରନର ପାର୍ଟନରସିପ୍ କରିଥିଲେ । ରୋଭମାନ ପାୱେଲ୍ ୧୭ ବଲରେ ୨୪ ରନ ଅର୍ଶଦୀପ ସିଂହଙ୍କ ବୋଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଅଧିନାୟକ ହୋପ୍ ସର୍ବାଧିକ ୫୦ ବଲରେ ୧୦୨ ରନ୍ କରିଥିଲେ ।