ଭୁବନେଶ୍ୱର: ନାଇଡୁ କମିଶନଙ୍କ ରିପୋର୍ଟ ଫାଇଲ୍ ଗାଏବ ଘଟଣରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲା ତଦନ୍ତ ସଂପର୍କିତ ଫାଇଲ୍ ଗାଏବ ତଦନ୍ତ କରିବ କ୍ରାଇମବ୍ରାଞ୍ଚ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ 'ନାଇଡୁ କମିଶନ'ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣା ଓଡ଼ିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ମାମଲାର ହଜିଯାଇଥିବା ଫାଇଲକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଫାଇଲଟି କେଉଁ ପରିସ୍ଥିତିରେ ଏବଂ କାହା ସମୟରେ ଗାଏବ ହେଲା, ସେ ନେଇ କ୍ରାଇମବ୍ରାଞ୍ଚ ଆନୁଷ୍ଠାନିକ ଭାବେ ଖୋଳତାଡ଼ ଆରମ୍ଭ କରିବ।

ସୂଚନାଯୋଗ୍ୟ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ପବିତ୍ର ଜନ୍ମାଷ୍ଟମୀ ରାତିରେ କନ୍ଧମାଳ ଜିଲ୍ଲା ଜଲସପଟ୍ଟା ଆଶ୍ରମ ଭିତରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କୁ କେତେକ ଆତତାୟୀ ଗୁଳି କରି ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡ ପରେ ସମଗ୍ର କନ୍ଧମାଳ ଜିଲ୍ଲାରେ ଭୟଙ୍କର ସାମ୍ପ୍ରଦାୟିକ ହିଂସାକାଣ୍ଡ ବ୍ୟାପିଯାଇଥିଲା, ଯେଉଁଥିରେ ବହୁ ଲୋକ ନିଜର ଜୀବନ ହରାଇବା ସହ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଥିଲା।

ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ତତ୍କାଳୀନ ସରକାର କଟକ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଏସ୍.ଆର୍. ନାଇଡୁଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନ କରିଥିଲେ। ଏହି 'ନାଇଡୁ କମିଶନ'କୁ ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ କରିବା, ସୁରକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ପରଖିବା ଏବଂ ହିଂସାକାଣ୍ଡର ମୂଳ କାରଣ ଅନୁସନ୍ଧାନ କରିବାର ଦାୟିତ୍ୱ ଦିଆଯାଇଥିଲା। ଦୀର୍ଘ ଦିନର ତଦନ୍ତ ପରେ ଜଷ୍ଟିସ୍ ନାଇଡୁ ନିଜର ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି ତତ୍କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ଗୃହ ବିଭାଗ ନିକଟରେ ଦାଖଲ ମଧ୍ୟ କରିଥିଲେ।

ତେବେ ରିପୋର୍ଟ ଦାଖଲ ହେବା ପରେ ବି ତତ୍କାଳୀନ ସରକାର ଏହାକୁ ବିଧାନସଭାରେ ଉପସ୍ଥାପନ ନକରି ଚାପି ରଖିଥିବା ନେଇ ଦୀର୍ଘ ବର୍ଷ ଧରି ଅଭିଯୋଗ ହୋଇଆସୁଥିଲା। ଓଡ଼ିଶାରେ ବିଜେପିର ନୂତନ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ ନାଇଡୁ କମିଶନ ରିପୋର୍ଟର ସମୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ଗୃହ ବିଭାଗରେ ସମ୍ପୃକ୍ତ ମୂଳ ଫାଇଲ ଖୋଜାଯିବା ସମୟରେ ତାହା ଗାଏବ ଥିବା ଜଣାପଡ଼ିଥିଲା।

ଏତେ ବଡ଼ ସମ୍ବେଦନଶୀଳ ମାମଲାର ତଦନ୍ତ ରିପୋର୍ଟ ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ହଜିଯିବାକୁ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଫାଇଲଟି ସତରେ ହଜିଯାଇଛି ନା କୌଣସି ନିର୍ଦ୍ଦିଷ୍ଟ ଚକ୍ରାନ୍ତ କରି ଏହାକୁ ନଷ୍ଟ ବା ଗାଏବ କରାଯାଇଛି, ସେ ସମ୍ପର୍କରେ ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।