ନାଗପୁର, ୦୫ /୦୩: ବୁଧବାର ସାରା ଦେଶରେ ଧୁମଧାମରେ ହୋଲି ପାଳନ କରୁଥିଲେ ସମସ୍ତେ । ପରସ୍ପରକୁ ରଙ୍ଗ ବୋଳି ଖୁସି ମନାଉଥିଲେ । କିନ୍ତୁ ଏହି ରଙ୍ଗ ବୋଳିବା ଏକ ଚାରି ବର୍ଷର ଶିଶୁକୁ ମହଙ୍ଗା ପଡିଛି । ଜେଜେ ମାଆକୁ ରଙ୍ଗ ମାରିଥିବାରୁ ନାତି ଉପରେ ଗରମ ପାଣି ଢାଳି ଦେଇଛି ଜେଜେ ମାଆ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ନାଗପୁରରେ ।

ରିପୋର୍ଟ ଅନୁସାରେ, ନାଗପୁରର କୋରାଡି ଅଞ୍ଚଳ ୪ ବର୍ଷର ଶିଶୁ ଓମ୍ ହରିଶ ଓ୍ୱାଙ୍ଗେ ହୋଲି ଖେଳୁଥିଲେ । ହୋଲି ଥିବାରୁ ରଙ୍ଗ ଧରି ସମସ୍ତଙ୍କୁ କୁନି ହାତରେ ବୋଳୁଥିଲେ । ପିଚକାରୀ ଧରି ରଙ୍ଗ ମାରୁଥିଲେ । ଏହି ସମୟରେ ଶିଶୁର ଜେଜେ ମାଆ ସିନ୍ଧୁ ଠାକରେ ଘରର ଅଗଣାରେ ପାଣି ଗରମ କରୁଥିଲେ । ଓମ୍ ମଜାରେ ନିଜ ଜେଜେ ମାଆଙ୍କ ଉପରେ ରଙ୍ଗ ପକାଇ ଦେଇଥିଲା । ପିଚକାରୀ ଧରି ସ୍ପ୍ରେ କରିଥିଲେ । ଯାହା ପରେ ମହିଳାଜଣଙ୍ଗ ରାଗି ଯାଇଥିଲେ । ନିଜ ନାତି ଉପରେ ଗରଣ ପାଣି ଢାଳି ଦେଇଥିଲେ । ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି ।

ଗରମ ପାଣି ପଡିବା ପରେ ଓମ୍ ଜୋରରେ ପାଟି କରି କାନ୍ଦିଥିଲେ । ଶିଶୁର ଚିତ୍କାର ଶୁଣି ଅନ୍ୟ ସଦସ୍ୟ ଧାଇଁ ଆସି ଓମଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଓମଙ୍କ ଶରୀରର ପ୍ରାୟ ୪୫ ପ୍ରତିଶତ ପୋଡି ଯାଇଥିବା ଡାକ୍ତର କହିଛନ୍ତି ।

ଖବର ପାଇ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜେଜେ ମାଆଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏବେସୁଦ୍ଧା ମହିଳାଙ୍କୁ ଗିରଫ କରାଯାଇନଥିବା ଜଣା ପଡିଛି ।