ନୂଆଦିଲ୍ଲୀ: ମ୍ୟାଁମାର ଗୋଟିଏ ବିଲ୍ଡିଂରେ ବିସ୍ଫୋରଣ ହୋଇଛି । ଏଥିରେ ଅତି କମରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମନାକୁ ଆସୁଛି । ଉଦ୍ଧାରକାରୀ ଦଳ ଓ ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ପୂର୍ବୋତ୍ତର ମ୍ୟାଁମାରର ନାମଖାନ ଟାଉନଶିପରେ ଏହି ବିସ୍ଫୋରଣ ହୋଇଛି । ବିଲ୍ଡିଂରେ ଖନନ କାର୍ଯ୍ୟ ପାଇଁ ବି ବିସ୍ଫୋରକ ଗଚ୍ଛିତ କରାଯାଇଥିଲା ।

କଙ୍ଗଟୁପ୍ ଗାଁରେ ମଧ୍ୟାହ୍ନ ସମୟରେ ବିସ୍ଫୋରଣ ଘଟିଛି, ଯେଉଁଥିରେ ପ୍ରାୟ ୭୦ ଜଣ ଆହତ ହୋଇଥିଲେ । ଏହି ଅଞ୍ଚଳଟି ତାଆଙ୍ଗ ନ୍ୟାସନାଲ ଲିବରେସନ ଆର୍ମି ଦ୍ୱାରା ନିୟନ୍ତ୍ରିତ, ଯାହା ମ୍ୟାଁମାର ସରକାରରେ ସଶସ୍ତ୍ର ସଂଗ୍ରାମ ଲଢୁଛି । ନାମଖାମ ଟାଉନଶିପ୍ ଚୀନ ସୀମାରୁ ପ୍ରାୟ ୩ କିଲୋମିଟର ଦକ୍ଷିଣରେ ଅବସ୍ଥିତ ।

ଗଚ୍ଛିତ ଜେଲିଗନାଇଟ୍ ଯୋଗୁଁ ବିସ୍ଫୋରଣ ଘଟିଥିବା କୁହାଯାଉଛି । ଗେଲିଗନାଇଟ୍ ଖଣି ଏବଂ ପଥର ବିସ୍ଫୋରଣରେ ବହୁଳ ଭାବରେ ବ୍ୟବହୃତ ହୁଏ । ସମୟ ସହିତ ଯଦି ସଠିକ୍ ଭାବରେ ସଂରକ୍ଷଣ ନ କରାଯାଏ, ତେବେ ଏହା ବିସ୍ଫୋରଣ ହୋଇପାରେ ।

ଖବର ସରବରାହ ସଂସ୍ଥା ଅନୁଯାୟୀ, ବିସ୍ଫୋରଣ ସ୍ଥାନରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି । ସନ୍ଧ୍ୟା ସୁଦ୍ଧା ପିଲାଙ୍କୁ ମିଶାଇ ୪୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଗୁଡ଼ିକୁ ଦାହ ସଂସ୍କାର ପାଇଁ ନିଆଯାଇଛି । ଉଦ୍ଧାରକାରୀ ଦଳର ସଦସ୍ୟ କହିଛନ୍ତି ଯେ ୭୪ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଟାଉନଶିପ୍ ହସ୍ପିଟାଲକୁ ନିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି । ବିସ୍ଫୋରଣ ସ୍ଥାନ ନିକଟରେ ଥିବା ୧୦୦ରୁ ଅଧିକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।