ଜଗତସିଂହପୁର :  ୧୯୯୯ ମସିହା ଅକ୍ଟୋବର ୨୯। ଓଡ଼ିଶା ଇତିହାସର ସେହି କଳା ଦିନ। ଯାହାକୁ ମନେ ପକାଇଲେ ଆଜି ବି ଥରିଉଠେ ଛାତି। ଆଖିରେ ଭରିଯାଏ ଲୁହ! ମହାବାତ୍ୟା। ପ୍ରକୃତିର ଭୟଙ୍କର ରୂପ... ପବନ ସାଙ୍ଗକୁ ସମୁଦ୍ରରୁ ମାଡ଼ି ଆସୁଥିଲା ମୃତ୍ୟୁର ଢେଉ। ପବନର ମାଡ଼ରେ ଭାଙ୍ଗି ପଡ଼ିଥିଲା ଘରଦ୍ୱାର, ମାଟିରେ ମିଶିଯାଇଥିଲା ଅନେକଙ୍କ ସ୍ୱପ୍ନ। ଉଜାଡ଼ି ଦେଇଥିଲା ଅନେକ ପରିବାରର ସଂସାର। ଏହାରି ଭିତରେ ବିତିଛି ୨୭ ବର୍ଷ। ସମୟ ବଦଳିଛି, ପିଢ଼ି ବଦଳିଛି, ହେଲେ ମହାବାତ୍ୟାର ସେ କ୍ଷତ ଏବେ ବି ଶୁଖିନି। ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ ଆଜିବି ଗୁମୁରି କାନ୍ଦୁଛି। ସେଦିନର କଥା ମନେ ପଡ଼ିଲେ ଆଖୁରୁ ଲୁହ ଗଡାଉଛନ୍ତି ପ୍ରଭାବିତ ଅଞ୍ଚଳର ଲୋକେ ।

ମହାବାତ୍ୟାକୁ ପୁରିଛି ୨୭ ବର୍ଷ । ସେଦିନ ଜନ୍ମ ହୋଇଥିବା ଶିଶୁ ଏବେ ଯୌବନରେ । ହେଲେ ଆଜିବି ମହାବିପର୍ଯ୍ୟୟର ଶୀକାର ହୋଇଥିବା ଜଗତସିଂହପୁର ଜିଲ୍ଲାର ଏରସମା ଓ ଅନ୍ୟ ଅଞ୍ଚଳ ଛିଡା ହୋଇପାରିନି। ଏବେବି ଏଠାରେ ପହଞ୍ଚି ପାରିନି ବିକାଶର ପଦଚିହ୍ନ । ସମୁଦ୍ର ତଟରେ ଥିବା ପଦ୍ମପୁର, ଗଡ଼ହରିଶପୁର, ଗୋଡ଼ା, ଆମ୍ବିକି ଆଦି ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତର ବହୁ ଧନଜୀବନକୁ ଭସାଇ ନେଇଥିଲା ମହାବାତ୍ୟା। ନିଶ୍ଚିହ୍ନ କରି ଦେଇଥିଲା ଘରଦ୍ବାର ଓ ଭିଟାମାଟି । ୧୦ ହଜାରରୁ ଉର୍ଦ୍ଧ୍ଵ ନିରିହ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ବାତ୍ୟା ପ୍ରପିଡ଼ିତ ଅଞ୍ଚଳରେ ଅଧିକାଂଶ ଲୋକେ ଏବେବି ଚାଳ ଛପର ଘରେ ରହୁଛନ୍ତି। ଫଳରେ ପ୍ରତିବର୍ଷ ବାତ୍ୟା ନାଁ ଶୁଣିଲେ ଏମାନଙ୍କ ମରେ ଛନକା ପଶେ। ଭୟରେ ଗାଁ ଛାଡି ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହେଉଛନ୍ତି । ସମୁଦ୍ର କୂଳେ କୂଳେ ପଥର ବନ୍ଧ ନିର୍ମାଣ ପାଇଁ ବାରମ୍ବାର ପ୍ରଶାସନକୁ ଜଣାଇବା ପରେ ବି ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନି। ସେଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।

 Also Read- Cyclone Arnab : ବାତ୍ୟା ଅର୍ଣ୍ଣବର ପ୍ରଭାବ, କଳିଙ୍ଗା ଘାଟି ସମେତ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନକୁ ବନ୍ୟା ପରିସ୍ଥିତି

ପ୍ରତିବର୍ଷ ବାତ୍ୟା ଆସିଲେ ଛାତିରେ ଛନକା। ଆଉ ଅନେକ ପରିବାରଙ୍କୁ ଘାରୁଛି ଧନଜୀବନ ହାନିର ଭୟ। ତେଣୁ କେବଳ ପ୍ରତିଶ୍ରୁତି ନୁହେଁ, ଉପକୂଳବାସୀଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ଏବେ ସମୟର ଆହ୍ୱାନ। ସମୁଦ୍ର ତଟ ସୁରକ୍ଷା, ସୁଦୃଢ଼ ବାସଗୃହ ନିର୍ମାଣ ଏବଂ ମୌଳିକ ସୁବିଧାର ବିକାଶ ଉପରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। ଯେପରି ଆଉ କୌଣସି ପରିବାରକୁ ସେହି ମହାବାତ୍ୟା ଭଳି ଦୁଃଖଦ ଅନୁଭୂତି ଦେଇ ଗତି କରିବାକୁ ନପଡ଼େ।