• ମହାସାଗରର ଏହି ପ୍ରକ୍ରିୟା ପଛରେ ସାମୁଦ୍ରିକ ବରଫ ଓ ମିଠା ପାଣିର ଚକ୍ର ଜଡିତ
  • ଏବେ ସମୁଦ୍ରରେ ବରଫ କମ ଜମୁଥିବାରୁ ତିଆରି ହେଉଥିବା ମିଠାପାଣିର ସ୍ରୋତ ହ୍ରାସ ହେବାରେ ଲାଗିଛି
  • ଫଳରେ ଗଭୀର ସମୁଦ୍ର ତଳେ ଦବି ରହିଥିବା କାର୍ବନ ସହଜରେ ବାହାରର ବାୟୁମଣ୍ଡଳରେ ମିଶୁଛି

ନୂଆଦିଲ୍ଲୀ: ସାଇନ୍ସ ଜର୍ଣ୍ଣାଲ ‘ନେଚର କ୍ଲାଇମେଟ ଚେଞ୍ଜ’ରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଏକ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛି। ୨୦୧୫ ମସିହା ପରଠାରୁ ଆଣ୍ଟାର୍କଟିକାରେ ସାମୁଦ୍ରିକ ବରଫ ହ୍ରାସ କାରଣରୁ ମହାସାଗରମାନଙ୍କ ବିଶାଳ ଅଂଶରେ ଦୀର୍ଘ ଦଶନ୍ଧୀ ଧରି ଜାରି ମଧୁର ଜଳ ପ୍ରବାହର ଧାରା ଓଲଟି ଯାଇଛି। ଫଳରେ ସାଗର ଜଳ ଏବେ ଅତ୍ୟଧିକ ଘନ ଓ ଲବଣାକ୍ତ ହେଉଛି। ବୈଜ୍ଞାନିକଙ୍କ କହିବା କଥା ହେଉଛି ଏହି ପରିବର୍ତ୍ତନ ମହାସାଗରମାନଙ୍କର ସ୍ତରିକୃତ ସଂରଚନାକୁ ବିଗାଡିପାରେ, ଫଳରେ ଗଭୀର ସମୁଦ୍ର ତଳେ ଦବି ରହିଥିବା କାର୍ବନ ସହଜରେ ବାହାରର ବାୟୁମଣ୍ଡଳରେ ମିଶିପାରେ। ଯାହାଦ୍ୱାରା ଗ୍ଲୋବାଲ ୱାର୍ମିଂ ଆହୁରି ଦ୍ରୁତ ହୋଇପାରେ।

ଉଲ୍ଲେଖଯୋଗ୍ୟ ଯେ ଏହି ଗୁରୁତ୍ୱପୂର୍ଣ୍ଣ ଗବେଷଣା ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସସି), ମେଲବର୍ଣ୍ଣ ବିଶ୍ୱବିଦ୍ୟାଳୟ ଓ ସାଉଥେମ୍ପଟନ ବିଶ୍ୱବିଦ୍ୟାଳୟର ଗବେଷକମାନେ ମିଳିତ ଏହି ଅଧ୍ୟୟନ କରିଛନ୍ତି। ଅଧ୍ୟୟନରେ ଆଣ୍ଟାର୍କଟିକ୍ ଇଣ୍ଟରମିଡିଏଟ ୱାଟର (ଏଏଆଇଡବ୍ଲୁ)ରେ ହୋଇଥିବା ପରିବର୍ତ୍ତନର ଯାଞ୍ଚ କରାଯାଇଛି। ଏହି ଜଳ ଦକ୍ଷିଣ ମହାସାଗରରେ ଉତ୍ପନ୍ନ ହୁଏ ଓ ସମୁଦ୍ର ପୃଷ୍ଠରୁ ଶହଶହ ମିଟର ତଳେ ପ୍ରବାହିତ ହେବା ସହ ଉତ୍ତର ଆଟଲାଣ୍ଟିକ୍, ହିନ୍ଦ ଓ ପ୍ରଶାନ୍ତ ମହାସାଗରୁ ବ୍ୟାପିଥାଏ।

ଆଇଆଇଏସସିର ସେଣ୍ଟର ଫର ଆଟମସଫେରିକ ଆଣ୍ଡ ଓସନ ସାଇନ୍ସେସ୍ (ସିଏଓଏସ)ର ଗବେଷଣା ଛାତ୍ର ତଥା ଏହି ଅଧ୍ୟୟନର ମୁଖ୍ୟ ଲେଖକ କୌଶିକ ମିଶ୍ର କହିଛନ୍ତି ଯେ ନିକଟରେ ହେଉଥିବା ପରିବର୍ତ୍ତନର ପ୍ରଭାବ ବହୁଦୂରରେ ଅର୍ଥାତ ମେରୁ ବାହାରେ ମଧ୍ୟ ଅନୁଭୂତ ହୋଇପାରେ। ମହାସାଗରର ଏହି ପ୍ରକ୍ରିୟା ପଛରେ ସାମୁଦ୍ରିକ ବରଫ ଓ ମିଠା ପାଣିର ଚକ୍ର ଜଡିତ। ଏ କଥାକୁ ଏପରି ବୁଝା ଯାଇ ପାରେ ଯେ ପ୍ରତିବର୍ଷ ଆଣ୍ଟାର୍କଟିକାରେ ଶୀତ ଋତୁ (ମଇ-ଜୁଲାଇ)ରେ ବିପୁଳ ପରିମାଣରେ ସାମୁଦ୍ରିକ ବରଫ ସୃଷ୍ଟି ହୋଇଥାଏ। ପରେ ଯେପରି ତାପମାତ୍ରା ବୃଦ୍ଧି ହୁଏ ବରଫ ତରଳେ ଓ ମିଠା ପାଣି ସମୁଦ୍ରରେ ମିଶେ। ଏଣୁ ସମୁଦ୍ର ପୃଷ୍ଠରେ ଶୀତଳ ତଥା ମିଠା ପାଣିର ପରସ୍ତ ରହିଥାଏ।

ଏବେ ସମୁଦ୍ରରେ ବରଫ କମ ଜମୁଥିବାରୁ ତିଆରି ହେଉଥିବା ମିଠାପାଣିର ସ୍ରୋତ ହ୍ରାସ ହେବାରେ ଲାଗିଛି। ଏହା ସହିତ ସାଗରର ଅତଳ ଗଭିରରୁ ଗରମ ଓ ଲବଣାକ୍ତ ପାଣି ଉପରକୁ ଆସିବାରେ ଲାଗିଛି। ଏଣୁ ଉଭୟ କାରଣରୁ ଆଣ୍ଟାର୍କଟିକ୍ ଇଣ୍ଟରମିଡିଏଟ ୱାଟର (ଏଏଆଇଡବ୍ଲୁ) କୁ ଯାଉଥିବା ପାଣି ଅଧିକ ଲବଣାକ୍ତ ଓ ଭାରି ହେବାରେ ଲାଗିଛି। ଗବେଷକ ଟିମ୍ ପ୍ରାରମ୍ଭରେ ହୀନ୍ଦ ମହାସାଗର କ୍ଷେତ୍ରର ମଧ୍ୟମ ଗଭୀରତାରେ ପାଣିର ପ୍ରବାହ ଓ ଏହାର ମିଶ୍ରଣର ଅଧ୍ୟୟନ କରି ଥିଲେ। ହେଲେ ଯେବେ ସେମାନେ ତଥ୍ୟକୁ ଯାଞ୍ଚ କଲେ ସେତେବେଳେ ସେମାନଙ୍କୁ ଆଣ୍ଟାର୍କଟିକାର ବରଫ ଓ ଏହି ପାଣିରେ ହେଉଥିବା ପରିବର୍ତ୍ତନର ଗଭୀର ସମ୍ପର୍କ ଜାଣିବାକୁ ପାଇଛନ୍ତି।