ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନିତା ଆଡଭାନୀ ସ୍ୱର୍ଗତ ଅଭିନେତା ରାଜେଶ ଖନ୍ନାଙ୍କ ସହିତ ତାଙ୍କ କଥିତ ସମ୍ପର୍କକୁ ବିବାହ ମାନ୍ୟତା ଦେବାକୁ ଦାବି କରିଥିଲେ। ତେବେ ସୁପ୍ରିମକୋର୍ଟ ୨୯ ଅକ୍ଟୋବର ଗୁରୁବାର ତାଙ୍କର ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏମ୍.ଏମ୍.ସୁନ୍ଦରେସ ଓ ଜଷ୍ଟିସ୍ ପ୍ରସନ୍ନା ବି.ବରାଳେଙ୍କ ବେଞ୍ଚ କହିଛନ୍ତି ଯେ ଏହି ପିଟିସନ ଉପରେ ଶୁଣାଣି କରିବାକୁ କୌଣସି ଆଧାର ନାହିଁ। କୋର୍ଟ ଏହାକୁ ‘ଲଗଜୁରୀ ଲିଟିଗେସନ’ (ବିଳାଶପୂର୍ଣ୍ଣ ମାମଲା) ବୋଲି କହିଛନ୍ତି।

ତେବେ ସୁପ୍ରିମକୋର୍ଟ ପୂର୍ବରୁ ବମ୍ବେ ହାଇକୋର୍ଟ ଅନିତା ଆଡଭାନୀଙ୍କ ସେହି ଆବେଦନକୁ ଖାରଜ କରିଦେଇଥିଲେ ଯେଉଁଥିରେ ସେ ମୁମ୍ବାଇର ଡିଣ୍ଡୋସୀ ସେସନସ କୋର୍ଟର ୨୦୧୭ର ଏକ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଜୁଲାଇ ୨୦୧୨ରେ ବଲିଉଡ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ପରଲୋକ ପରେ ଅନିତା ଆଡଭାନୀ ତାଙ୍କ ସହ ସମ୍ପର୍କକୁ ବୈବାହିକ ମାନ୍ୟତା ଦେବା ଲାଗି ସେସନସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେସନସ କୋର୍ଟ ସେତେବେଳେ ଅନିତା ଆଡଭାନୀଙ୍କ ଦିବାନୀ ମୋକଦ୍ଦମାକୁ ଖାରଜ କରିଦେଇଥିଲେ।

ଅନିତା ଆଡଭାନୀ ଦାବି କରୁଛନ୍ତି ଯେ ସେ କିଛି ବର୍ଷ ରାଜେଶ ଖନ୍ନାଙ୍କ ସହ ଲିଭ-ଇନ୍ ରିଲେସନସିପ୍ ରେ ଥିଲେ। ୨୦୧୨ ମସିହାରେ ତାଙ୍କୁ ଖନ୍ନାଙ୍କ ବଙ୍ଗଳା ‘ଆଶିର୍ବାଦ’ରୁ ବାହାର କରିଦିଆଯାଇଥିଲା। ଆଡଭାନୀ ଅଭିଯୋଗ କରିଥିଲେ ଯେ ଅଲଗା ରହୁଥିବା ରାଜେଶ ଖନ୍ନାଙ୍କ ପତ୍ନୀ ଡିମ୍ପଲ କପାଡିୟା, ଝିଅ ଟ୍ୱିଙ୍କଲ ଖନ୍ନା ଓ ଜ୍ୱାଇଁ ଅକ୍ଷୟ କୁମାର ତାଙ୍କୁ ରାଜେଶ ଖନ୍ନାଙ୍କ ଘରୁ ବାହାର କରିଦେଇଥିଲେ। ୨୦୧୫ ମସିହାରେ ହାଇକୋର୍ଟ ଆଡଭାନୀଙ୍କ ଅଭିଯୋଗ ରଦ୍ଦ କରିଦେଇଥିଲେ। ଅନ୍ୟପଟେ ଡିମ୍ପଲ କପାଡିଆ ଓ ତାଙ୍କ ପରିବାର ପକ୍ଷରୁ ଏହି ମୋକଦ୍ଦମାକୁ ଖାରଜ କରିବା ପାଇଁ ରୁଜୁ ପିଟିସନକୁ କୋର୍ଟ ସ୍ୱୀକାର କରିନେଇଥିଲେ।

କାର୍ଯ୍ୟାନୁଷ୍ଠାନକୁ ରଦ୍ଦ କରି ହାଇକୋର୍ଟ କହିଥିଲେ ଯେ ରାଜେଶ ଖନ୍ନାଙ୍କ ସହ ଅନିତା ଆଡଭାନୀଙ୍କ ସମ୍ପର୍କ ବିବାହ ଭଳି ନଥିଲା। ଏଣୁ ଘରୋଇ ହିଂସାରୁ ମହିଳାଙ୍କ ସଂରକ୍ଷଣ ଅଧିନିୟମ (ଡିଭିଏ)ର ପ୍ରାବଧାନ ଅନୁସାରେ ଆଶ୍ୱସ୍ତି ଦାବି କରିପାରିବେ ନାହିଁ। କୋର୍ଟ ଏହା ବି କହିଥିଲେ ଯେ ପରଲୋକଗତ ସୁପରଷ୍ଟାରଙ୍କ ପରିବାରର ସବୁ ସଦସ୍ୟଙ୍କୁ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନକୁ ଘୋଷଡା ଯାଇ ପାରିବନି। କାରଣ ଆଡଭାନୀ କେବେବି ତାଙ୍କ ସହ ରହିନଥିଲେ।

ଅନିତା ଆଡଭାନୀ ୨୦୧୩ ମସିହାରେ ଘରୋଇ ହିଂସାରେ ମହିଳାଙ୍କ ସଂରକ୍ଷଣ ଅଧିନିୟମ ୨୦୦୫ରେ ଡିମ୍ପଲ କପାଡିଆ, ତାଙ୍କ ଦୁଇ ଝିଅ ଓ ଜ୍ୱାଇଁଙ୍କ ବିରୋଧରେ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଥିଲେ। ‘ସାଜିସ୍’ ଓ ‘ଦାସୀ’ ଭଳି କିଛି ଚଳଚିତ୍ରରେ କାମ କରିଥିବା ଆଡଭାନୀ ମାସିକ ଭରଣ ପୋଷଣ ଭତ୍ତା ଓ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଏକ ଫ୍ଲାଟ ଦାବି କରୁଛନ୍ତି।