ମୁମ୍ବାଇ,୧୭।୦୪ବିଶ୍ୱର ଅନ୍ୟତମ ଟପ୍ ବୋଲର । ସାମ୍ନା କରିବାକୁ ଭୟ କରନ୍ତି ବଡ ବଡ ବ୍ୟାଟସମ୍ୟାନ୍ । ତାଙ୍କ ୟର୍କରରେ ବ୍ୟାଟର ବୋଲ୍ଡ ହେବାର ସମ୍ଭାବନା ଅଧିକ । କିନ୍ତୁ ଚଳିତ ଆଇପିଏଲରେ ଓ୍ୱିକେଟ୍ ଲେସ୍ ଅଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଜସପ୍ରିତ୍ ବୁମରା । ଯାହା ଦଳକୁ ଦେଇଛି ଟେନସନ୍ । ଫଳରେ ଟିମ୍ ଲଗାତାର ଚତୁର୍ଥ ପରାଜୟର ସାମ୍ନା କରିଛି ।

ଆଇପିଏଲରେ ଏବେସୁଦ୍ଧା ମୁମ୍ବାଇ ୫ଟି ମ୍ୟାଚ୍ ଖେଳିଛି । ଏହାମଧ୍ୟରୁ କେବଳ ଗୋଟିଏରେ ଦଳ ଜିତିଛି । ଅନ୍ୟ ଚାରୋଟି ମ୍ୟାଚରେ ମୁମ୍ବାଇ ପରାସ୍ତ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ବୁମରା ଗୋଟିଏ ହେଲେ ଓ୍ୱିକେଟ୍ ନେଇ ନାହାଁନ୍ତି । ଯାହା ଦଳର ପରାଜୟ ପାଇଁ ଅନେକ ମାତ୍ରାରେ ଦାୟୀ ।

ଏହାକୁ ନେଇ ଏମଆଇ କୋଚ୍ ମହେଲା ଜୟବର୍ଦ୍ଧନେ କହିଛନ୍ତି ଯେ, ବୁମରା ଖରାପ ଫର୍ମରେ ନାହାଁନ୍ତି। ବରଂ ଦଳର ବୋଲର ପାଓ୍ୱାର ପ୍ଲେରେ ବିପକ୍ଷ ବ୍ୟାଟରଙ୍କ ଉପରେ ଚାପ ପକାଇ ପାରୁ ନାହାଁନ୍ତି । ତେଣୁ ବୁମରା ଆଉଟ୍ କରିବାରେ ବିଫଳ ହେଉଛନ୍ତି । ବୁମରା ଭଲ ବୋଲିଂ କରୁଛନ୍ତି । ବିପକ୍ଷ ବ୍ୟାଟର ବୁମରାଙ୍କ ବିରୋଧରେ ରିସ୍କ ନେବାକୁ ଚାହୁଁ ନାହାଁନ୍ତି । ଅପୋଜିସନ୍ ଟିମର ଖେଳାଳି ଦମଦାର୍ ବ୍ୟାଟିଂ କରୁଛନ୍ତି ।ଜସପ୍ରିତ୍ ଏକା ଓ୍ୱିକେଟ୍ ନେଉ ନାହାଁନ୍ତି । ଏହା କିଛି ବଡ କଥା ନୁହେଁ । ବରଂ ଦଳର ବୋଲର ଚାପ ପକାଇବାରେ ସଫଳ ହେଉ ନାହାଁନ୍ତି । ଏଦିଗର କାମ କରିବାକୁ ହେବ ବୋଲି ମହେଲା କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବୁମରା ଏବେ ଶିକାର କରୁ ନାହାଁନ୍ତି । କିନ୍ତୁ ଥରେ ସେ ଓ୍ୱିକେଟ୍ ନେବା ଆରମ୍ଭ କଲେ ଅଟକିବେ ନାହିଁ। ଦଳରେ ଅନ୍ୟ ବୋଲର ମଧ୍ୟ ରହିଛନ୍ତି । ସେମାନେ ସମାନ ଭାବେ ଦାୟିତ୍ୱ ନେବା ଦରକାର । କିଛି ଖେଳାଳି ଆହତଜନିତ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ସମସ୍ତ ବୋଲର ପ୍ରଭାବୀ ପ୍ରଦର୍ଶନ କରିପାରୁ ନାହାଁନ୍ତି । କିନ୍ତୁ ଥରେ ସେମାନେ ଫର୍ମକୁ ଆସିଲେ ଅଟକାଇବା ସହଜ ନୁହେଁ ବୋଲି ମୁମ୍ବାଇ କୋଚ୍ କହିଛନ୍ତି ।