ନୂଆଦିଲ୍ଲୀ: ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ସଫଳତା ସହ ହୋଇଛି ୯ ବର୍ଷର କୁନି ଝିଅ ଲାବଣ୍ୟାର ଜୀବନ ରକ୍ଷାକାରୀ ହୃଦୟ ପ୍ରତିରୋପଣ (Heart Transplant)। ଆଉ ଏହି ଅସାଧାରଣ କାହାଣୀକୁ ଲୋକଲୋଚନକୁ ଆଣିଛନ୍ତି ଶ୍ରୀମତୀ ନୀତା ଅମ୍ବାନୀ। ସେ କହିଛନ୍ତି ପ୍ରତିଟି ଭାରତୀୟଙ୍କ ପାଇଁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବାକୁ ସହଜ ଏବଂ ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା ଦିଗରେ ଏହା ପ୍ରକୃତରେ ଏକ ବଡ଼ ପ୍ରୟାସ।

ସୂଚନା ଅନୁସାରେ, ଲାବଣ୍ୟା ହୃଦଘାତର ଶେଷ ପର୍ଯ୍ୟାୟ ସହ ଲଢୁଥିଲେ। ତାଙ୍କ ହୃଦୟର ଭାଲଭ ଲିକ୍ ଯୋଗୁ ସେ 'ଡାଇଲେଟେଡ୍ କାର୍ଡିଓମାୟୋପାଥି' ରୋଗରେ ପୀଡ଼ିତ ଥିଲେ। କିନ୍ତୁ ଆର୍ଥିକ ଅନଟନ ଏବଂ ପାରିବାରିକ ସମସ୍ୟା ସତ୍ତ୍ୱେ ତାଙ୍କ ମାଆ ଏହି ରୋଗ ଓ ଭୟ ବିରୁଦ୍ଧରେ ଅକ୍ଳାନ୍ତ ସଂଘର୍ଷ କରିଥିଲେ। ଡାକ୍ତର ଅନ୍ୱୟ ମୁଲେଙ୍କ ନେତୃତ୍ୱରେ ବିଶେଷଜ୍ଞ ଡାକ୍ତରୀ ଦଳ ଏହି ଜଟିଳ ଅସ୍ତ୍ରୋପଚାର କରିଥିଲେ।

ତେବେ ରିଲାଏନ୍ସ ଫାଉଣ୍ଡେସନର ସମ୍ପୂର୍ଣ୍ଣ ଆର୍ଥିକ ସହାୟତାରେ ଲାବଣ୍ୟା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ପୁଣିଥରେ ସ୍କୁଲ ଯିବା ସହ ଏକ ସ୍ୱାଭାବିକ ଜୀବନ ବିତାଉଛନ୍ତି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନୀ ଏହି କାହାଣୀ ସେୟାର କରି ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ତାଙ୍କ ସଂଗଠନର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ମୁମ୍ବାଇରେ ଥିବା ସର ଏଚ୍. ଏନ୍. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଶିଶୁମାନଙ୍କ ହୃଦୟ ଚିକିତ୍ସା କ୍ଷେତ୍ରରେ ଭାରତର ଅନ୍ୟତମ ଶ୍ରେଷ୍ଠ ଚିକିତ୍ସାଳୟ ଭାବେ ପରିଗଣିତ ହୋଇଛି।