ମାଥିଲି : ମାଆ ଅଛି ଯାହାର, ଭୟ ନାହିଁ ତାହାର। ମାଆ ପାଖରେ ତା ଛୁଆ ସବୁଠୁ ସୁରକ୍ଷିତ ବୋଲି କହିପାରିବା ନିଶ୍ଚୟ । ମାଆର ପଣତକାନି ସବୁ ଦୁଃଖ କଷ୍ଟକୁ କରିଦିଏ ଲାଘବ। ମାଆ ତା ପିଲା ପାଇଁ ଯେକୌଣସି ପରିସ୍ଥିତିରେ ବି ଲଢ଼ିବାକୁ ପ୍ରସ୍ତୁତ। ଦରକାର ପଡ଼ିଲେ ମରଣ ମୁହଁରୁ ବା ଯମ କବଳରୁ ତା ପିଲାକୁ ଫେରାଇ ଆଣିପାରେ ଏଥିରେ କୌଣସି ସନ୍ଦେହ ନାହିଁ। ଏତେ ସବୁ କଥା ସେହି ମମତାମୟୀ ମାଆ ପାଇଁ। କିନ୍ତୁ ଆଜି ପୁଣି ଏ ସବୁ କୁ ମନେ ପକାଇ ଦେଇଛି ଏକ ଘଟଣା, ଯାହା ଛୁଁଇଛି ଅନେକଙ୍କୁ।

ମା’ର ମମତା ଯେତେବେଳେ ସାହସର ରୂପ ନିଏ, ସେତେବେଳେ ସବୁ ବିପଦ ହାର ମାନିବାକୁ ବାଧ୍ୟ ହୁଏ। ଏ ଘଟଣା ତାର ଜ୍ୱଳନ୍ତ ଉଦାହରଣ। ଘର ବାରଣ୍ଡାରେ ଶୋଇଥିଲା ୪ ବର୍ଷର ଶିଶୁ କନ୍ୟାଟିଏ । ହଠାତ୍ ଜଙ୍ଗଲରୁ ଚାଲି ଆସିଥିଲା ଏକ ହେଟାବାଘ। ସେ ପିଲାଟିକୁ ଟାଣିନେବାକୁ ଉଦ୍ୟମ କରିଥିଲା। ଏହି ସମୟରେ ନିଜର ଉପସ୍ଥିତ ବୁଦ୍ଧି ଓ ସାହାସ ଦେଖାଇ ନିଜ ଜୀବନକୁ ବିପଦରେ ପକାଇ ମା’ ହେଟାବାଘକୁ ପ୍ରତିରୋଧ କରିଥିଲେ। ଶେଷରେ ନିଜ କୁନି ଝିଅକୁ ବାଘ କବଳରୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଟେମରୁପାଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଜନ୍ଦ୍ରାଗୁଡ଼ା ଗାଁର ମେକେ ମାଡକାମୀଙ୍କ ଏହି ସାହସ ସମସ୍ତଙ୍କୁ କରିଛି ଚକିତ।

ମାଆ ମେକେ ତାଙ୍କ କୁନି ଝିଅ ସରୋଜିନୀକୁ ମରଣ ମୁହଁରୁ ଛଡ଼େଇ ଆଣିଛନ୍ତି ସତ , କିନ୍ତୁ ବାଘ ଆକ୍ରମଣରେ ଶିଶୁଟିର ଶରୀରର ବିଭିନ୍ନ ସ୍ଥାନରେ ଲାଗିଛି ଆଘାତ। ତାଙ୍କୁ ତୁରନ୍ତ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଝିଅଟି ଶୀଘ୍ର ସୁସ୍ଥ ହୋଇ ଯିବ ବୋଲି କହିଛନ୍ତି ଡାକ୍ତର। ସେପଟେ ଘଟଣାର ଖବର ପାଇ ମେଡିକାଲରେ ପହଞ୍ଚିଥିଲେ ବନବିଭାଗର ଅଧିକାରୀମାନେ । ସେମାନେ ମେକେ ମାଡକାମୀଙ୍କ ଠାରୁ ପୂରା ଘଟଣା ସମ୍ପର୍କରେ ବୁଝିଛନ୍ତି। ହେଟାବାଘଟି କେଉଁଠାରୁ ଆସିଥିଲା ଏବଂ ଏହାର ଗତିବିଧି କ’ଣ ରହିଛି, ସେନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

Also Read- ବ୍ୟବସାୟୀ ଅପହରଣ ମାମଲାରେ ନୂଆ ଟ୍ୱିଷ୍ଟ : SI ସ୍ନେହାମଞ୍ଜରୀଙ୍କୁ ଜେରା, ଜଣେ ସାମ୍ବାଦିକ ଅଟକ

ମାଆ ତ ମାଆ। ପିଲା ପାଇଁ ସେ କିଛି ବି କରିପାରେ। ଏଠି ସେମିତି ଜଣେ ମାଆ ନିଜ ପିଲାକୁ ହେଟାବାଘ କବଳରୁ ଫେରାଇ ଆଣିଛି। ଏହି ଘଟଣା ପୁଣିଥରେ ପ୍ରମାଣ କରିଛି, ସନ୍ତାନ ପାଇଁ ମାଆ କେତେ ଦୂର ଯାଇପାରେ। ନିଜ ଜୀବନକୁ ଖାତିର ନକରି ହିଂସ୍ର ଜନ୍ତୁ ସହ ଲଢ଼ି ୪ ବର୍ଷର ଝିଅକୁ ବଞ୍ଚାଇଥିବା ମାଆର ସାହସ ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମା’ର ମମତା ଓ ସାହସର ଏହି ଦୁର୍ଲଭ ଚିତ୍ର ନିଶ୍ଚିତ ଭାବେ ହୃଦୟକୁ ଛୁଇଁଯିବା ଭଳି।