ନୂଆଦିଲ୍ଲୀ: ଜିଓ ପ୍ଲାଟଫର୍ମ ଲିମିଟେଡର ଆଇପିଓ ବୁଧବାର ଖୋଲିବା ମାତ୍ରେ ରେକର୍ଡ କରିଛି । ମୁକେଶ ଅମ୍ୱାନୀଙ୍କ କମ୍ପାନି ପ୍ରାୟ ୩୦,୨୧୩ କୋଟି ଟଙ୍କାର ଆଇପିଓ ଖୋଲିବାର ପ୍ରାୟ ୨ ଘଣ୍ଟା ଭିତରେ ହିଁ ପୂରା ସବସ୍କ୍ରାଇବ ହୋଇଛି । ପ୍ରଥମ କିଛି ମିନିଟରେ ହିଁ ଆଇପିଓ ମିଳିଥିବା ପ୍ରତିକ୍ରିୟା ସ୍ପଷ୍ଟ କରିଥିଲା ଯେ ଦେଶର ସବୁଠାରୁ ବଡ଼ ଆଇପିଓକୁ ନିବେଶକ ଉତ୍ସାହ ସହିତ ଅପେକ୍ଷା କରିଥିଲେ ।

୨୧ ଅକ୍ଟୋବର ୨୦୨୬ ସକାଳ ୧୦ଟା ୪୦ ମିନିଟ୍ ସୁଦ୍ଧା ନିବେଶକମାନେ ଅଫରରେ ରଖାଯାଇଥିବା ପ୍ରାୟ ୧୯.୭୫ କୋଟି ସେୟାର ତୁଳନାରେ ଅଧିକ ସେୟାର ପାଇଁ ଆବେଦନ କରିସାରିଥିଲେ । ଏହି ସମୟରେ ସଂସ୍ଥାଗତ ନିବେଶକଙ୍କ ପାଇଁ ସଂରକ୍ଷିତ ଅଂଶ ୩.୨୫ ଗୁଣ ସବସ୍କ୍ରାଇବ୍ ହୋଇଥିବାବେଳେ, ବଡ଼ ଅଣ-ସଂସ୍ଥାଗତ ନିବେଶକଙ୍କ ବର୍ଗରେ ଚାହିଦା ପ୍ରାୟ ୨୬% ଥିଲା । ଖୁଚୁରା ନିବେଶକମାନେ ନିଜ ପାଇଁ ସଂରକ୍ଷିତ ସେୟାରର ପ୍ରାୟ ୨୩% ପାଇଁ ହିଁ ଆବେଦନ କରିଥିଲେ । ବର୍ତ୍ତମାନ କମ୍ପାନି ନିଜର ଆଇପିଓ ଜରିଆରେ ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିବାକୁ ପ୍ରସ୍ତୁତି ଚଳାଇଛି ।

ଜିଓର ଆଇପିଓକୁ ନେଇ ନିବେଶକଙ୍କ ଉତ୍ସାହ ପୂର୍ବରୁ ଆକଳନ କରାଯାଇଥିଲା । ଆଙ୍କର ନିବେଶକଙ୍କ ପାଇଁ ରଖାଯାଇଥିବା ପ୍ରାୟ ୮ ହଜାର ୧୧୦ କୋଟିର ସେୟାର ତୁଳନାରେ ୨.୫ ଲକ୍ଷ କୋଟିରୁ ଅଧିକ ଆବେଦନ ଆସିଥିଲା । ଅର୍ଥାତ୍ ୩୦ ଗୁଣରୁ ଅଧିକ ଡିମାଣ୍ଡ ରହିଥିଲା । ଜିଓ ଆଇପିଓ ଆକାରରେ ମଧ୍ୟ ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଏହାପୂର୍ବରୁ ଦେଶର ସବୁଠୁ ବଡ଼ ଆଇପିଓ ହୁଣ୍ଡାଇ ମୋଟର ଇଣ୍ଡିଆର ଥିଲା, ଯାହାର ପରିମାଣ ୨୭ ହଜାର ୮୭୦ କୋଟି ଟଙ୍କା ଥିଲା ।

ଏହି ଆଇପିଓରେ କମ୍ପାନି ୨୭୦ ନିୟୁତ ସେୟାର ଜାରି କରୁଛି, ଯାହା ଦ୍ୱାରା କମ୍ପାନି ବଜାରରୁ ୩୦,୧୮୮ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ।ତାଲିକାଭୁକ୍ତ ହେବା ପରେ, ଏହାର ବଜାର ପୁଞ୍ଜି ୧୦.୩୦ ଲକ୍ଷ କୋଟିରେ ପହଞ୍ଚିପାରେ । ପ୍ରତି ସେୟାରର ମୂଲ୍ୟ ବ୍ୟାଣ୍ଡ ୧,୦୬୫ରୁ ୧,୧୧୯ ଟଙ୍କା ରହିଛି । ସେୟାର ହାସଲ କରିବା ପାଇଁ, ଜଣେ ସାଧାରଣ ନିବେଶକଙ୍କୁ ସର୍ବନିମ୍ନ ୧୩ ହଜାର ୪୨୮ ଟଙ୍କା ନିବେଶ କରିବାକୁ ପଡିବ । ସର୍ବାଧିକ ୧୪ ଲଟ୍ କିମ୍ବା ୧୬୮ ସେୟାର ପାଇଁ ଆବେଦନ କରାଯାଇପାରିବ । ଏହାର ମୂଲ୍ୟ ୧.୮୭ ଲକ୍ଷ ହେବ । ଗ୍ରେ ମାର୍କେଟ୍ ଅନୁଯାୟୀ, ତାଲିକାଭୁକ୍ତ ହେବା ଦ୍ୱାରା ୨୨ ପ୍ରତିଶତ ଯାଏଁ ରିଟର୍ଣ୍ଣ ମିଳିପାରେ । ଏହି ଆଇପିଓ ଅକ୍ଟୋବର ୨୩ ପର୍ଯ୍ୟନ୍ତ ଖୋଲା ରହିବ।

ବ୍ଲାକ୍ ରକ୍ ଇଙ୍କ୍, ଫିଡେଲିଟି ମ୍ୟାନେଜମେଣ୍ଟ ଆଣ୍ଡ ରିସର୍ଚ୍ଚ, କ୍ୟାପିଟାଲ ଗ୍ରୁପ୍ ଏବଂ ଆଲିଆଞ୍ଜ ଏସଇ ଭଳି ଆଙ୍କର ନିବେଶକମାନେ ସ୍ଥିର କରାଯାଇଥିବା ପ୍ରାଇସ୍ ରେଞ୍ଜର ଉପର ସ୍ତରରେ ମୋଟ ୮୫.୪ କୋଟି ଡଲାରର ସେୟାର କିଣିଛନ୍ତି । ଜିଓର ୩.୧ ବିଲିୟନ ଡଲାରର ସେୟାର ବିକ୍ରିରେ, ୧,୦୬୫ ଟଙ୍କାରୁ ୧,୧୧୯ ଟଙ୍କା ପ୍ରତି ସେୟାରର ସ୍ଥିର ମୂଲ୍ୟର ଉପର ସ୍ତରରେ କମ୍ପାନିର ଭାଲ୍ୟୁ ୧୦୭ ବିଲିୟନ ଡଲାର ଅଟେ । ସେହିପରି, ବିଲିୟନେୟାର ସୁନୀଲ ଭାରତୀ ମିତ୍ତଲଙ୍କ ୱାୟରଲେସ୍ ଅପରେଟର କମ୍ପାନିର ଭାଲ୍ୟୁ ୧୨୩ ବିଲିୟନ ଡଲାର ରହିଛି ।

ଜିଓ ଏହାର ଆଇପିଓ ଜରିଆରେ ମୋଟ ୩୦,୨୧୩ କୋଟି ଟଙ୍କା ସଂଗ୍ରହ କରିବାର ଯୋଜନା ରଖିଛି । ଏଥିରେ ସମ୍ପୂର୍ଣ୍ଣ ଭାବରେ ୨୭ କୋଟି ନୂତନ ଇକ୍ୱିଟି ସେୟାରର ବିକ୍ରି ସାମିଲ ରହିଛି । ଏଥିରେ 'ଅଫର-ଫର୍-ସେଲ୍'ର କୌଣସି ଅଂଶ ନାହିଁ । ଅର୍ଥାତ୍ ଇସୁରୁ ମିଳୁଥିବା ଅର୍ଥକୁ କମ୍ପାନି ନିଜର ସବସିଡାଏରୀ, ରିଲାଏନ୍ସ ଜିଓ ଇନଫୋକମରେ କିଛି ଋଣ ପରିଶୋଧ କରିବା ଏବଂ କର୍ପୋରେଟ୍ କାର୍ଯ୍ୟଗୁଡ଼ିକ ପାଇଁ ବ୍ୟବହାର କରିବ ।