ପୁରୀ: ଧାଡ଼ିକି ଧାଡ଼ି ବ୍ୟାଟେରି ଗାଡ଼ି। କାହାର ଚକା ଚକା ନାହିଁ ତ କାହାର ସିଟ୍ ନାହିଁ। ୩୦ରୁ ଅଧିକ ଏମିତି ବ୍ୟାଟେରି ଅପରେଟେଡ ଭେହିକିଲ ଅଦରକାରୀ ହୋଇପଡ଼ିଛି। ପୁରୀର ବିଭିନ୍ନ ପାର୍କିଂ ସ୍ଥଳରୁ ଶ୍ରଦ୍ଧାଳୁଙ୍କୁ ସମ୍ପୂର୍ଣ୍ଣ ନିଶୁଳ୍କ ଭାବରେ ଶ୍ରୀମନ୍ଦିରକୁ ନେବା ଆଣିବା ପାଇଁ ଏହି ସବୁ ବ୍ୟାଟେରୀ ଭେଇକିଲ କିଣା ଯାଇଥିଲା। ହେଲେ ଦୁର୍ଭାଗ୍ୟର ବିଷୟ ଏହି ବ୍ୟାଟେରୀ ଅପରେଟେଡ ଭେଇକିଲଗୁଡ଼ିକ ଭକ୍ତଙ୍କ ସେବାରେ ନଲାଗି ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସ ପାର୍କିଂ ସ୍ଥଳରେ ପଡ଼ି ରହି ଖତ ଖାଉଛି। 

ସୂଚନା ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନକୁ ଦାନ ସୂତ୍ରରେ ମିଳିଥିବା ଏବଂ ଅବଢ଼ା ଯୋଜନାରେ କିଣା ଯାଇଥିବା ୭୦ଟି ବିଓଭି ମଧ୍ୟରୁ ୩୫ଟି ବ୍ୟାଟେରୀ ଗାଡ଼ି ଏବେ ଖତଗଦାରେ ପଡ଼ିଛି। ଶ୍ରୀମନ୍ଦିର ପ୍ରଶାସନ ଆବଶ୍ୟକ ଯତ୍ନ ଏବଂ ରକ୍ଷଣାବେକ୍ଷଣ ନକରି ଗାଡ଼ିଗୁଡ଼ିକୁ ପକାଇ ରଖିଛି କାହିଁକି। ଶ୍ରୀମନ୍ଦିର ପ୍ରଶାସନର ଖାମଖିଆଲ ମନୋଭାବକୁ କଡ଼ା ସମାଲୋଚନା କରିଛନ୍ତି ଜଗନ୍ନାଥ ପ୍ରେମୀ। ତୁରନ୍ତ ଏଗୁଡ଼ିକୁ ସଜାଡ଼ିବା ପାଇଁ ଦାବି କରିଛନ୍ତି।

Also Read: ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୋହନ ସରକାରଙ୍କ ଭେଟି, ଅନ୍ନପୂର୍ଣ୍ଣା ଯୋଜନାରେ ମିଳିବ ଅଧିକ ଚାଉଳ

ଶ୍ରୀପୁରୁଷୋତ୍ତମ ଭକ୍ତ ନିବାସରେ ପଡ଼ି ରହିଥିବା ପ୍ରତ୍ୟେକ ବିଓଭିର ମୂଲ୍ୟ ୫ରୁ ୧୦ ଲକ୍ଷ ଟଙ୍କା ହେବ। ଅବଢ଼ା ଯୋଜନାରେ ଓବିସିସି ଏହି ଗାଡ଼ି ଗୁଡ଼ିକ କିଣିବା ପରେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଥିଲା । ପ୍ରତିବର୍ଷ ଏହି ବିଓଭି ଗୁଡ଼ିକର ଇନସୁରାନ୍ସ ବାବଦରେ ବି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି। । କିନ୍ତୁ ଦୁର୍ଭାଗ୍ୟର ବିଷୟ ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଏହାକୁ କାର୍ଯ୍ୟକାରୀ ନହୋଇ ପଡ଼ିଛି। ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଜଗନ୍ନାଥ ପ୍ରେମୀ। ଅବଶ୍ୟ ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି ଅଚଳ ହୋଇଥିବା ବିଓଭି ଗୁଡ଼ିକର ଖୁବଶୀଘ୍ର ମରାମତି କରାଯିବ। ରଥଯାତ୍ରା ପୂର୍ବରୁ ସେଗୁଡ଼ିକ ସଚଳ ହେବ ।

ସେପଟେ ଗାଡ଼ିଗୁଡ଼ିକ ସଜାଡ଼ି ପୁଣି ଭକ୍ତଙ୍କ ଉଦ୍ଦେଶ୍ୟରେ ଲଗାଇବା ପାଇଁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାରୁ ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି। ଏଥିସହିତ ଗାଡ଼ିଗୁଡ଼ିକ କେତେଦିନ ଏବଂ କାହିଁକି ପଡ଼ି ରହିଲା ତାହାର ମଧ୍ୟ ତଦନ୍ତ ଜରୁରୀ।