ଭୁବନେଶ୍ବର: ରାଜ୍ୟରେ ବିଜେପି ସରକାରକୁ ପୂରିଛି ୨ ବର୍ଷ। ଏହି ଅବସରରେ ସରକାର ୨ ବର୍ଷର ଉପଲବ୍ଧି ବିଷୟରେ କହିଥିବା ବେଳେ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା କରିଛନ୍ତି।

ଏକକାଳୀନ ମିଳିବ ତିନି ମାସର ଚାଉଳ

ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଭୟ ଜାତୀୟ ଓ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫ କେଜି ଚାଉଳ ମିଳୁଥିବା ବେଳେ ଏଣିକି ଅତିରିକ୍ତ ୫ କେଜି ଅର୍ଥାତ୍ ମୁଣ୍ଡ ପିଛା ୧୦ କେଜି ଚାଉଳ ମିଳିବ । ଆରମ୍ଭରୁ ଏକକାଳୀନ ତିନି ମାସର ଚାଉଳ ମିଳିବ । ରାଜ୍ୟର ପ୍ରାୟ ୧ କୋଟି ୯୬ ଲକ୍ଷ ପରିବାରର ୩ କୋଟି ୨୮ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ସହାୟତା ପାଇବେ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୮ ହଜାର ୮୧୩ କୋଟି ଟଙ୍କା ଖର୍ଚ୍ଚ କରିବେ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଅନ୍ନପୂର୍ଣ୍ଣା ଯୋଜନା ଭାତ ଥାଳିକୁ ସୁରକ୍ଷିତ କରିବାର ଐତିହାସିକ ସଂକଳ୍ପ । ବିଭିନ୍ନ ସର୍ଭେ ଆଧାରରେ ଜଣା ପଡ଼ିଲା କି ଜଣେ ବୟସ୍କ ଲୋକ ପାଇଁ ମାସକୁ ୮ କେଜି ଶସ୍ୟ ଆବଶ୍ୟକ । ଅଧିକ ଚାଉଳ ପାଇଁ ବି ବିଭିନ୍ନ ସମୟରେ ଲୋକଙ୍କ ପାଖରୁ ଆବେଦନ ଆସିଥିଲା। ତାକୁ ଆଧାର କରି ଏଭଳି ନିଷ୍ପତ୍ତି ନିଆଯାଇଛି । ଧାନ ଚାଷ ପାଇଁ ସରକାର ସବୁ ସହାୟତା ଯୋଗାଇ ଦିଆଯାଉଛି। ବର୍ଷକୁ ପିଏମ କିସାନ ଓ ସିଏମ କିସାନ ଯୋଜନାରେ ୧୦ ହଜାର ଟଙ୍କା ଦିଆଯାଉଛି ।

ପୂର୍ବତନ ମୁଖ୍ୟମନ୍ତ୍ରୀ ଗରିବ ଚାଷୀଙ୍କୁ ଚିହ୍ନିଲେ ନାହିଁ, ସେମାନଙ୍କ ଦୁଃଖ ବୁଝିଲେନି,ଚାଷୀ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଲା । ଧାନ ଉତ୍ପାଦନ ବଢ଼ିଛି,ସରକାରଙ୍କ ପାଖରେ ଚାଉଳ ଅଭାବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।