ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତର ଅଭିବୃଦ୍ଧି ଧାରାକୁ ପ୍ରଭାବିତ କରିବ । ଏହାସହିତ ମୁଦ୍ରାସ୍ଫୀତିଜନିତ ରିସ୍କ ବଢ଼ିବ । ରେଟିଙ୍ଗ୍‌ ଏଜେନ୍ସି ମୁଡିସ୍‌ ଏହା ପ୍ରକାଶ କରିଛି । ଏଥିସହିତ ଭାରତର ଅଭିବୃଦ୍ଧି ଅନୁମାନକୁ ଖସାଇଦେଇଛି ମୁଡିସ୍‌ । ଚଳିତ ଆର୍ଥିକ ବର୍ଷ ଭାରତର ଅଭିବୃଦ୍ଧି ୬% ରହିବ ବୋଲି ଏହା ପୂର୍ବାନୁମାନ କରିଛି । ପୂର୍ବ ଆକଳନ ଥିଲା ୬.୮% ।

ମୁଡିସ୍‌ ରିପୋର୍ଟରେ କଣ ଉଲ୍ଲେଖ?

ମୁଡିସ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଲମ୍ବା ସମୟ ଧରି ଯୁଦ୍ଧ ଲାଗି ରହିଲେ ସ୍ଥିତି ଖରାପ ହୋଇଯିବ । ଏଲ୍‌ପିଜି ଯୋଗାଣ ବ୍ୟାହତ ହେବା ଫଳରେ ଅର୍ଥନୈତିକ କାର୍ଯ୍ୟକଳାପ ସଂକୁଚିତ ହେବ । ଏହା ଅର୍ଥବ୍ୟବସ୍ଥାର ଗତିକୁ ମନ୍ଥର କରିଦେବ । ପାରିବାରିକ ଖର୍ଚ୍ଚ ବଢ଼ିବ । ଇନ୍ଧନ ଏବଂ ପରିବହନ ଖର୍ଚ୍ଚ ବଢ଼ିବା ଦ୍ୱାରା ମୁଦ୍ରାସ୍ଫୀତି ରିସ୍କ ତେଜିବ । ସାର ପାଇଁ ଭାରତ ଆମଦାନି ଉପରେ ବଡ଼ ଆକାରରେ ନିର୍ଭରଶୀଳ । ହୋର୍ମୁଜ ବନ୍ଦ ହେବା ଫଳରେ ଏହାର ଯୋଗାଣ ବାଧାପ୍ରାପ୍ତ ହୋଇଛି ।

ଖାଦ୍ୟ ଉତ୍ପାଦନ କମିବ

ଶସ୍ୟ ବୁଣା ସମୟରେ ସାର ଅଭାବ ଦେଖାଦେବା ଦ୍ୱାରା ଖାଦ୍ୟ ଉତ୍ପାଦନ କମିବ । ଏହାଦ୍ୱାରା ଦେଶରେ ଖାଦ୍ୟ ଦର ବଡ଼ ଆକାରରେ ବଢ଼ିଯିବ ବୋଲି ମୁଡିସ ପ୍ରକାଶ କରିଛି । ବର୍ତ୍ତମାନ ପାଇଁ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରହିଛି । କିନ୍ତୁ ଭୁ-ରାଜନୈତିକ ସ୍ଥିତି ଯୋଗୁ ଆଗକୁ ଏହା ଊଦ୍ଧ୍ୱର୍ମୁଖୀ ହେବ । ମୁଡିସ୍‌ ଆକଳନ ଅନୁସାରେ, ୨୦୨୬-୨୭ରେ ଏହା ହାରାହାରି ୪.୮% ରହିପାରେ, ଯାହାକି ୨୦୨୫-୨୬ର ୨.୪% ତୁଳନାରେ ଅଧିକ ।

କେମିତି ରହିବ ଜିଡିପି?

ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖିଲେ ୨୦୨୬-୨୭ରେ ସୁଧ ହାର ସ୍ଥିର ରହିପାରେ କିମ୍ବା ଧୀରେ ଧୀରେ ବଢ଼ିପାରେ ବୋଲି ମୁଡିସ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି । ଯୁଦ୍ଧ କେତେ ଦିନ ଚାଲିବ ତାହା ଉପରେ ଏହା ନିର୍ଭର କରିବ । ଗତ ମାସ ଅର୍ଥନୈତିକ ସମନ୍ୱୟ ଏବଂ ବିକାଶ ସଂଗଠନ(ଓଇସିଡି)
ଆକଳନ କରିଥିଲା ଯେ, ଚଳିତ ଆର୍ଥିକ ବର୍ଷ ଭାରତର ଜିଡିପି ଅଭିବୃଦ୍ଧି ୬.୧% ରହିପାରେ, ଯାହାକି ୨୦୨୫-୨୬ରେ ୭.୬% ଥିଲା ।
​​​​​​​Also Read...୧ଲକ୍ଷ କୋଟି ଟଙ୍କାର ବ୍ରାଣ୍ଡ ହେଲା Amul, ଦେଶରେ ବଢୁଛି ଡାୟରୀ ଡିମାଣ୍ଡ

ଅର୍ଣ୍ଣଷ୍ଟ ଆଣ୍ଡ୍‌ ୟଙ୍ଗ୍‌(ଇୱାଇ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ଯେ, ୨୦୨୬-୨୭ ଆର୍ଥିକବର୍ଷରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ଧାର୍ଯ୍ୟ ଲକ୍ଷ୍ୟ ତୁଳନାରେ ପ୍ରାୟ ୧% ଖସିପାରେ । ଅନ୍ୟପକ୍ଷରେ, ଖୁଚୁରା ମୁଦ୍ରାସ୍ଫୀତି ପ୍ରାୟ ୧.୫% ବଢ଼ିପାରେ ।