ଭୁବନେଶ୍ୱର: ଲୋକସେବା ଭବନରେ କାର୍ଯ୍ୟ କରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ବାସଗୃହ ସମସ୍ୟାର ସମାଧାନ ପାଇଁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟୀ ଲୋକସେବା ଭବନ ପରିସରରେ ୧୪୪ଟି ନୂଆ ଆବାସିକ କ୍ୱାର୍ଟର୍ସର ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ସରକାରୀ କର୍ମଚାରୀଙ୍କ ଦୀର୍ଘ ଦିନର ବାସଗୃହ ସମସ୍ୟାକୁ ଦୂର କରିବାରେ ସହାୟକ ହେବ ।

ଏହି ନୂତନ ଆବାସିକ ପ୍ରକଳ୍ପରେ ଆଧୁନିକ ସୁବିଧା ସୁଯୋଗ ସହ ୬ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ କରାଯିବ । ଏଥିମଧ୍ୟରେ ୪ଟି ବ୍ଲକରେ ୯୬ଟି 'ଇ-ଟାଇପ୍' ଏବଂ ୨ଟି ବ୍ଲକରେ ୪୮ଟି 'ଏଫ୍-ଟାଇପ୍' କ୍ୱାର୍ଟର୍ସ ରହିବ । ଏହି ପୂରା ପ୍ରକଳ୍ପଟି 'ଟର୍ନକି' (Turnkey) ଭିତ୍ତିରେ କରାଯାଉଥିବା ବେଳେ, ୨୦୨୮ ମେ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Also Read: ଗରିବ ପରିବାରଙ୍କ ପାଇଁ ଖୁସି ଖବର, ଅନ୍ତ୍ୟୋଦୟ ଗୃହ ଯୋଜନାରେ ନିର୍ମାଣ ହେବ ନୂଆ ଘର

ବଢ଼ିବ କାର୍ଯ୍ୟଦକ୍ଷତା

କର୍ମଚାରୀମାନଙ୍କୁ ଏକ ଭଲ ଏବଂ ସୁବିଧାଜନକ ରହିବା ପରିବେଶ ମିଳିଲେ, ସେମାନଙ୍କର ପ୍ରଶାସନିକ କାର୍ଯ୍ୟଦକ୍ଷତା ଏବଂ କାର୍ଯ୍ୟ ସଂସ୍କୃତିରେ ଉନ୍ନତି ଆସିବ ବୋଲି ରାଜ୍ୟପାଳ ଆଶା ପ୍ରକଟ କରିଛନ୍ତି । ଏହି ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ରାଜ୍ୟପାଳଙ୍କ କମିଶନର-ତଥା-ସଚିବ ଡ. ରୂପା ରୋଶନ ସାହୁ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।