ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡ଼ିକରେ ଗୁରୁବାର ଶେଷ ହୋଇଛି ଛାତ୍ର ସଂସଦ ନିର୍ବାଚନ । ପ୍ରାୟ ୮ ବର୍ଷ ପରେ ଏହି ନିର୍ବାଚନ ହେଉଥିବାରୁ ପ୍ରାର୍ଥୀଙ୍କ ସମେତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଖୁବ୍ ଉତ୍ସାହ । ଅବଶ୍ୟ ନିର୍ବାଚନୀ ହିଂସା ବି ଦେଖିବାକୁ ମିଳିଛି।

ତେବେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନରେ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଦମଦାର ପ୍ରଦର୍ଶନ କରି ବଡ଼ଧରଣର ବିଜୟ ହାସଲ କରିଛି। ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡ଼ିକରେ ଏବିଭିପି ସମର୍ଥିତ ପ୍ରାର୍ଥୀମାନେ ସଭାପତି, ଉପସଭାପତି ଏବଂ ସାଧାରଣ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ବାଜି ମାରିଛନ୍ତି। ତା’ ପଛକୁ ରହିଛି ବିସିଜେଡି ।

କେଉଁ କଲେଜରେ କାହାର ବାଜିମାତ୍ ?

ଅନୁଗୁଳ ମହିଳା ମହାବିଦ୍ୟାଳୟରେ ଏବିଭିପି ସମସ୍ତ ଆଠଟି ଯାକ ପଦବୀରେ କ୍ଲିନ୍ ସୁଇପ୍ କରିଛି। ରାଜଧାନୀ ଭୁବନେଶ୍ୱରର ବିଜେବି ସ୍ୱୟଂଶାସିତ କଲେଜ, ରାଜଧାନୀ କଲେଜ ଏବଂ ଜୟଦେବ କଲେଜ ସହିତ ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ ଏବଂ ଧାମନଗରର ବିଭିନ୍ନ କଲେଜରେ ମଧ୍ୟ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି ଏବିଭିପି ପ୍ରାର୍ଥୀ। ତାଳଚେର ସ୍ୱୟଂଶାସିତ କଲେଜରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି।

ବିସିଜେଡି ଦେଲା ଟକ୍କର

ସେପଟେ ଏବିଭିପିକୁ ଟକ୍କର ଦେଇ ବିସିଜେଡି ମଧ୍ୟ ନିଜର ପତିଆରା ଦେଖାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ, ଦଶପଲ୍ଲାର ବ୍ରଜବନ୍ଧୁ ସୁବୁଦ୍ଧି ଡିଗ୍ରୀ କଲେଜ, ଝାରସୁଗୁଡ଼ା, ବାସୁଦେବପୁର କଲେଜ ଏବଂ କମଳା ନେହେରୁ କଲେଜ ଭଳି କେତେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିଜର ବିଜୟଧାରା ବଜାୟ ରଖିଛି । ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ବିସିଜେଡି ବିଜୟୀ ହୋଇଛି ।

Also Read: ଚଣ୍ଡିଖୋଲ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିଜୁ ଛାତ୍ର ଜନତା ଦଳର ବାଜିମାତ

କେଉଁ ବିଶ୍ବବିଦ୍ୟାଳୟରେ କିଏ ବିଜୟୀ ?

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏବିଭିପି, ଖଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ସ୍ବାଧୀନ, ରେଭେନ୍ସା ବିଶ୍ବବିଦ୍ୟାଳୟରେ ସଭାପତି ପଦ ବିସିଜେଡି ହାତେଇଥିବା ବେଳେ, ଅନ୍ୟାନ୍ୟ ପଦ ହାତେଇଛି ଏବିଭିପି । ସେହିଭଳି ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟ, ସମ୍ବଲପୁର GM ବିଶ୍ୱବିଦ୍ୟାଳୟ, କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ, ଭବାନୀପାଟଣା ସ୍ଥିତ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ବାଜି ମାରିଛି ଏବିଭିପି । ମୟୂରଭଞ୍ଜ ଏମଏସସିବି ବିଶ୍ୱବିଦ୍ୟାଳୟରେ ବିସିଜେଡି ବିଜୟୀ ହୋଇଥିବା ସୂଚନା ମିଳିଛି ।