ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟୀଙ୍କୁ ଲୋକସେବା ଭବନ ପକ୍ଷରୁ ଏକ ଭାବବିହ୍ବଳପୂର୍ଣ୍ଣ ପରିବେଶରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଗୁରୁବାର ନୂତନ ଅଭିଷେକ ହଲ୍ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳଙ୍କ ସହ ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଲୋକସେବା ଭବନର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟପାଳଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ତାଙ୍କର ଆଗାମୀ ଭବିଷ୍ୟତର ସଫଳତା କାମନା କରିଛନ୍ତି।

ସମ୍ବର୍ଦ୍ଧନା ସଭାକୁ ସମ୍ବୋଧିତ କରି ରାଜ୍ୟପାଳ ଡକ୍ଟର କମ୍ଭମପାଟୀ ନିଜର ପ୍ରାୟ ୧ ବର୍ଷ ୯ ମାସର କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ଅକୁଣ୍ଠ ସହଯୋଗ ଓ ସମନ୍ୱୟ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଓଡ଼ିଶାରେ ବିତାଇଥିବା ସମୟ ତାଙ୍କ ଜୀବନର ଏକ ‘ଅଭୁଲା ସ୍ମୃତି’ ହୋଇ ରହିବ ଏବଂ ଏହା ତାଙ୍କ ହୃଦୟରେ ସଦାସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ସେ ଆବେଗଭରା କଣ୍ଠରେ ପ୍ରକାଶ କରିଛନ୍ତି। ରାଜଭବନ ତଥା ପ୍ରଶାସନିକ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବାରେ ଲୋକସେବା ଭବନର ସମସ୍ତ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି।

Also Read: ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ଖୁସିଖବର: ତିଆରି ହେବ ୧୪୪ଟି ନୂଆ ସରକାରୀ ଆବାସ, ଶିଳାନ୍ୟାସ କଲେ ରାଜ୍ୟପାଳ

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସଚିବ ଡକ୍ଟର ରୂପା ରୋଶନ ସାହୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ରାଜ୍ୟପାଳଙ୍କ ମାର୍ଗଦର୍ଶନରେ କାର୍ଯ୍ୟ କରିବାର ଅନୁଭୂତି ବାଣ୍ଟିଥିଲେ। କର୍ମଚାରୀମାନେ ରାଜ୍ୟପାଳଙ୍କ ସହ ବିତାଇଥିବା ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଓ ମଧୁର ସ୍ମୃତି ଚାରଣ କରି ସେମାନଙ୍କର ଗଭୀର ସମ୍ମାନ ଜଣାଇଥିଲେ। ଶେଷରେ ସମଗ୍ର ଲୋକସେବା ଭବନ ପରିବାର ପକ୍ଷରୁ ବିଦାୟୀ ରାଜ୍ୟପାଳ ଦମ୍ପତିଙ୍କୁ ଶୁଭେଚ୍ଛା ସହ ବିଦାୟ ଦିଆଯାଇଥିଲା।