ନୂଆଦିଲ୍ଲୀ: ଦେଶକୁ ମୌସୁମୀର ଆଗମନ ହୋଇସାରିଲାଣି। ତେବେ ଅନ୍ୟବର୍ଷମାନଙ୍କ ତୁଳନାରେ ଚଳିତବର୍ଷ ମୌସୁମୀର ବେଗ୍ ଧିମା ରହିଛି। ପାଣିପାଗ ବିଭାଗ (ଆଇଏମଡି)ର ଜନୈକ ବରିଷ୍ଠ ଅଧିକାରୀ ଗୁରୁବାର କହିଛନ୍ତି ଯେ ଆଗାମୀ ଦୁଇ ସପ୍ତାହରେ ଭାରତରେ ଖାସ କରି ମଧ୍ୟ ଓ ଉତ୍ତରାଞ୍ଚଳରେ ହାରାହାରିରୁ କମ୍ ବର୍ଷା ହୋଇପାରେ। ଜୁନ-ସେପ୍ଟେମ୍ବର ମୌସୁମୀ ସାଧାରଣତଃ ଜୁନ୧ ବେଳକୁ ଦକ୍ଷିଣ ରାଜ୍ୟ କେରଳକୁ ପ୍ରବେଶ କରିଥାଏ ଓ ଜୁଲାଇ ମଝି ସପ୍ତାହ ବେଳକୁ ଦେଶର ସବୁ ଅଞ୍ଚଳକୁ ପହଞ୍ଚି ସାରିଥାଏ। ହେଲେ ଚଳିତବର୍ଷ କେରଳକୁ ମୌସୁମୀ ପହଞ୍ଚିବାରେ ୩ ଦିନ ବିଳମ୍ବ ହୋଇଛି।

ଚଳିତବର୍ଷ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ମୌସୁମୀର ବେଗକୁ ଧିମେଇ ଦେଇଛି। ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଭୂମଧ୍ୟ ସାଗରରୁ ଆସୁଥିବା ଏକ ପ୍ରାକୃତିକ ପାଗ। ଏହା ଉତ୍ତରଭାରତରେ ବର୍ଷା ଓ ହୀମପାତର କାରଣ ହୋଇଥାଏ ଓ କେବେ କେବେ ମୌସୁମୀକୁ ଆଗକୁ ବଢିବାରେ ବାଧକ ମଧ୍ୟ ହୋଇଥାଏ। ଦେଶରେ ବାର୍ଷିକ ବର୍ଷାର ପାଖାପାଖି ୭୦% ମୌସୁମୀରୁ ମିଳିଥାଏ। ଏଥିରେ ଦେଶର ଗୁରୁତ୍ୱପୂର୍ଣ୍ଣ ଜଳ ଉତ୍ସର ଆବଶ୍ୟକତା ପୂରଣ ହୋଇଥାଏ। ଭାରତର ସବୁ କୃଷି ଜମି ଜଳ ସେଚିତ ନୁହେଁ। ଏଥିରେ ଅଧାରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ।

ଚଳିତବର୍ଷ ଜୁନ ପ୍ରଥମ ୧୦ ଦିନରେ ଭାରତରେ ସ୍ୱଭାବିକରୁ ୨୬.୫% ବର୍ଷା କମ୍ ହୋଇଛି। ପାଣିପାଗ ବିଭାଗ ଗତମାସରେ ଅନୁମାନ କରିଥିଲେ ଯେ ୪ ମାସିଆ ମୌସୁମୀ ଋତୁରେ ଭାରତରେ ଲଙ୍ଗ ପିରିୟଡ ଏଭରେଜ (ଏଲପିଏ) ୯୦% ବର୍ଷା ହେବାର ସମ୍ଭାବନା ରହିଛି। ଏଥିରେ ଅଲ ନିନୋ ପ୍ରଭାବରେ ଜୁନରେ ଏଲପିଏର ୯୨% ବର୍ଷା ହେବ ବୋଲି ଆଶା କରାଯାଉଥିଲା। ଭାରତର ମଧ୍ୟ ଓ ଉତ୍ତରାଞ୍ଚଳ ରାଜ୍ୟମାନଙ୍କରେ ସ୍ୱଳ୍ପ ବର୍ଷା ଯୋଗୁ ଧାନ, କପା, ସୋୟାବିନ ଓ ଡାଲି ଭଳି ଫସଲ ବୁଣା କାର୍ଯ୍ୟରେ ବିଳମ୍ବ ହୋଇପାରେ। ତେବେ ଜୁନ ଶେଷ ସପ୍ତାହ ବେଳକୁ ଦେଶରେ ମୌସୁମୀର ଗତି ବଢିପାରେ। ଏହି ସମୟରେ ଅଧିକାଂଶ ରାଜ୍ୟରେ ଭଲ ବର୍ଷା ହେବାର ଆଶଙ୍କା କରାଯାଉଛି।