ଆଠଗଡ଼ ୨୩।୩: ଉତ୍ପାତ କରୁଥିଲା, ଯାହାକୁ ଦେଖୁଥିଲା ତାକୁ ଗୋଡ଼ାଉଥିଲା । ଯିଏ ଦେଖୁଥିଲା ଭୟରେ ଦୌଡି ପଳାଉଥିଲା । ଏମିତି କି ମଣିଷ ବି ମାରିଥିଲା । ତାକୁ ଧରିବାକୁ ନାକେଦମ୍ ହୋଇଥିଲା ବନ ବିଭାଗ । ଆଉ ଶେଷରେ ଏବେ ଯନ୍ତାରେ ପଡିଲା ମଣିଷମରା ହନୁ । ୧୮ ଘଣ୍ଟା ପରେ ସଫଳତା ପାଇଛି ବନ ବିଭାଗ ।

ମଣିଷମରା ହନୁ

କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗାଁରେ ଆତଙ୍କ ଖେଳାଇଥିଲା ହନୁ । ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଥିଲା । ମୃତ ମହିଳା ଜଣଙ୍କ ରାଜନଗର ଗାଁର ସୁଲୋଚନା ସାହୁ ବୋଲି ଜଣାପଡ଼ିଥିଲା । ମହିଳା ଜଣଙ୍କ କୌଣସି କାମରେ ଛାତ ଉପରକୁ ଯାଇଥିଲେ । ତାଙ୍କୁ ସେଠାରେ ଏକୁଟିଆ ପାଇ ଗୋଟିଏ ମାଙ୍କଡ଼ ଗୋଡ଼ାଇବାକୁ ଲାଗିଲା । ଏମିତି କି ମହିଳା ଜଣଙ୍କୁ ଆକ୍ରମଣ ବି କଲା । ଜୀବନ ବିକଳରେ ମହିଳା ଜଣଙ୍କ ଦୌଡ଼ିବାକୁ ଲାଗିଥିଲେ । ଫଳରେ ସେ ଭାରସାମ୍ୟ ହରାଇଛାତ ଉପରୁ ତଳକୁ ଖସି ପଡ଼ିଥିଲେପରିବାର ଲୋକ ଏବଂ ଗ୍ରାମବାସୀ ତଳେ ରହି ସବୁକିଛି ଦେଖୁଥିଲେ ହେଲେ କିଛି କରିପାରିନଥିଲେ । ମହିଳା ଜଣଙ୍କ ତଳେପଡ଼ି ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ ।ତୁରନ୍ତ ତାଙ୍କୁ ପରିବାର ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ମହିଳାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହିଳାଙ୍କ ଏଭଳି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।

Also Read:- ଶ୍ରୀମନ୍ଦିରରେ ପ୍ରବେଶ କଲେ ସ୍ୱତନ୍ତ୍ର ପ୍ରତିନିଧି ଦଳ, ଗଣତି ମଣତି କରିବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର

ଏହାପରେ ମଣିଷମରା ମାଙ୍କଡକୁ କାବୁ କରିବା ପାଇଁ ବନ ବିଭାଗ ତତ୍ପରତା ପ୍ରକାଶ ପାଇଥିଲା । ରାଜନଗର ଗାଁରେ ଆଠଗଡ଼ ବନ ବିଭାଗର ଗୋଟିଏ ଟିମ୍ ସହ କପିଳାସର ଗୋଟିଏ ଟ୍ରାଙ୍କୁଲାଇଜର ଟିମ୍ ରାଜନଗର ପହଞ୍ଚିଥିଲା । ଦୀର୍ଘ ୧୮ଘଣ୍ଟା ପରେ ମଣିଷମରା ମାଙ୍କଡକୁ କାବୁ କରିବାରେ ସଫଳ ହୋଇଛି ବନ ବିଭାଗ । ମାଙ୍କଡ଼ର ଚିକିତ୍ସା ପରେ କପିଳାସ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।