ପୁରୀ ୨୩।୩: ବୁଧବାରଠୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ । ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିର ଭିତରେ ପ୍ରବେଶ କଲେ ଟିମ୍ । ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି । ଏହି ସ୍ବତନ୍ତ୍ର ପ୍ରତିନିଧି ଦଳରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଦେଉଳକରଣ, ତଢଉକରଣ, ଭଣ୍ଡାର ମେକାପ ସାମିଲ ଅଛନ୍ତି । ଜିଓଲୋଜିଷ୍ଟ, ସ୍ବର୍ଣ୍ଣକାର, ଆରବିଆଇ ଅଧିକାରୀ ମଧ୍ୟ ଟିମ୍‌ରେ ସାମିଲ ଅଛନ୍ତ । ୧୨ଟା ୯ରୁ ୧ଟା ୪୫ ମିନିଟ୍ ରହିଛି ଶୁଭ ମୁହୂର୍ତ୍ତ । ଯଥେଷ୍ଟ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଛି ଟିମ୍ । ଗଣତି ମଣତିର ସମ୍ପୂର୍ଣ୍ଣ ପ୍ରକ୍ରିୟାର ଭିଡିଓଗ୍ରାଫି, ଫଟୋଗ୍ରାଫି ଓ ଥ୍ରୀଡି ମ୍ୟାପିଂ କରାଯିବ । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଳଙ୍କାର ଗଣତି ମଣତି ହେବ । ଏହି ସମୟରେ ବାହାର କାଠରୁ ଦର୍ଶନ କରିବେ ଭକ୍ତ । ପୁରା SOPରେ ହେବ ଅଳଙ୍କାର ଚିହ୍ନଟ ସହ ଓଜନ । ୧୯୭୮ ମସିହା ତାଲିକା ସହ ମେଳ କରି ଲଗାଯିବ ୨୦୨୬ର ଟ୍ୟାଗ୍ ।

ଭିଡିଓଗ୍ରାଫି ଓ ଫଟୋଗ୍ରାଫି ହେବ

​​​​​​​​​​​​​​ଚୈତ୍ର ଶୁକ୍ଳ ସପ୍ତମୀ ତିଥି ଅବସରରେ ରତ୍ନଭଣ୍ଡାରର ଅଳଙ୍କାର ଗଣତି ମଣତି ହେଉଛି । ଏହି ଶୁଭ କାର୍ଯ୍ୟ ପାଇଁ ମଧ୍ୟାହ୍ନ ୧୨ଟା ୦୯ମିନିଟ୍‌ରୁ ଅପରାହ୍ନ ୧ଟା ୪୫ମିନିଟ୍‌ ପର୍ଯ୍ୟନ୍ତ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ କରାଯାଇଛି । କଡ଼ା ସୁରକ୍ଷା ବଳୟ ଓ ସମ୍ପୂର୍ଣ୍ଣ ସ୍ୱଚ୍ଛତା ମଧ୍ୟରେ ଏହି ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୩ଡି ମ୍ୟାପିଂ, ଭିଡିଓଗ୍ରାଫି ଓ ଫଟୋଗ୍ରାଫିର ମଧ୍ୟ ସହାୟତା ନିଆଯିବ । ଗଣତି ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ପ୍ରଥମଟି ହେଉଛି ସୁପରଭାଇଜିଂ ଟିମ୍ ଏବଂ ଦ୍ୱିତୀୟଟି ହ୍ୟାଣ୍ଡେଲିଂ ଟିମ୍ ।

ସୁନାର ଶୁଦ୍ଧତା ଓ ଗୁଣବତ୍ତା ଯାଞ୍ଚ​​​​​​​​​​​​​​​​​​​​​

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜଣେ ଅଧିକାରୀ ମଧ୍ୟ ରହିବେ ଉପସ୍ଥିତ । ଖାଲି ସେତିକି ନୁହେଁ, ପାରମ୍ପରିକ ବସ୍ତ୍ର ପରିଧାନ କରି ଭଣ୍ଡାର ଘରେ ପ୍ରବେଶ କରିବେ ସମସ୍ତ ସଦସ୍ୟ । ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର ଓ ପରେ ଭିତର ଭଣ୍ଡାରର ଅଳଙ୍କାର ଗଣାଯିବ । ସୁନା, ରୁପା, ହୀରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଗହଣାକୁ ଅଲଗା ଶ୍ରେଣୀଭୁକ୍ତ କରାଯିବ । ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ହେବ ପ୍ରତ୍ୟେକ ଅଳଙ୍କାରର ଓଜନ । ଅଭିଜ୍ଞ ସ୍ୱର୍ଣ୍ଣକାର କରିବେ ସୁନାର ଶୁଦ୍ଧତା ଓ ମୂଲ୍ୟବାନ ପଥରର ଗୁଣବତ୍ତା ଯାଞ୍ଚ ।

Also Read:- Ratnabhandar Open: ମହାପ୍ରଭୁଙ୍କ କେତେ ଅଳଙ୍କାର ରହିଛି ? ୪୮ ବର୍ଷ ପରେ ହେବ ଗଣନା

୧୯୭୮ ମସିହାରେ ହୋଇଥିବା ପୂର୍ଣ୍ଣାଙ୍ଗ ତାଲିକା ଅନୁଯାୟୀ ହେବ ମେଳକ । ଗହଣାର ହାଇ-ରିଜୋଲ୍ୟୁସନ ଫଟୋ ଓ ଭିଡିଓ ଉଠାଯାଇ ପ୍ରସ୍ତୁତ କରାଯିବ ଡିଜିଟାଲ ଡାଟାବେସ୍ । ମହାପ୍ରଭୁଙ୍କ ଗହଣାକୁ ସଂରକ୍ଷିତ ରଖିବାକୁ ବ୍ୟବହାର ହେବ ୩ ପ୍ରକାରର ରଙ୍ଗର କପଡ଼ା । ହଳଦିଆ ଭେଲଭେଟ୍ କପଡ଼ାରେ ରଖାଯିବ ସୁନା ଅଳଙ୍କାର । ସିଲଭର ରଙ୍ଗର କପଡ଼ାରେ ରହିବ ରୌପ୍ୟ ଅଳଙ୍କାର । ଲାଲ ରଙ୍ଗର ଭେଲଭେଟ୍ କପଡ଼ାରେ ରଖାଯିବ ଅନ୍ୟାନ୍ୟ ଅଳଙ୍କାର । ଗହଣା ସବୁକୁ ସିନ୍ଦୁକରେ ରଖି ସରକାରୀ ମୋହର ମରାଯାଇ ସୁରକ୍ଷିତ ରଖାଯିବ ।