ନୂଆଦିଲ୍ଲୀ: ଗଣମାଧ୍ୟମ ବ୍ୟବସାୟୀ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଲଣ୍ଡ୍ରିଂ ମାମଲା ରୁଜୁ କରିଛି। ଅଧିକାରୀମାନେ ସୋମବାର ଏହି ସୂଚନା ଦେଇଛନ୍ତି। ମାମଲା ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ ହାଉସିଂ ଫାଇନାନ୍ସ ଲିମିଟେଡ (ଏଲଆଇସିଏଚଏଫଏଲ)କୁ ୧,୩୨୨ କୋଟି ଟଙ୍କା କ୍ଷତିରେ ପକାଉଥିବା କଥିତ ଋଣ ଠକେଇ ସମ୍ପର୍କିତ। ଏଲଆଇସିଏଚଏଫଏଲରୁ ଋଣ ନେବା ପାଇଁ ସୁଭାଷ ନିଜ ସମ୍ପତ୍ତି ମୂଲ୍ୟ ବଢେଇଚଢେଇ ଉପସ୍ଥାପନ କରିଥିଲେ ଓ ପରେ ଋଣ ପରିଷୋଧ କରିବାରେ ବିଫଳ ହୋଇଥିଲେ ବୋଲି ଅଭିଯୋଗ ହୋଇଛି।

ଅଧିକାରୀମାନେ କହିଛନ୍ତି ଯେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ଏଫଆଇଆର ଆଧାରରେ ମନିଲଣ୍ଡ୍ରିଂ ନିବାରଣ ଅଧିନିୟମ (ପିଏମଏଲଏ) ଅନୁସାରେ ଏହି ମୋକଦ୍ଦମା ରୁଜୁ ହୋଇଛି। ପୂର୍ବରୁ ସିବିଆଇ ଏଲଆଇସିଏଚଏଫଏଲ ଅଭିଯୋଗ ଆଧାରରେ ଅଭିଯୋଗ ରୁଜୁ କରିଥିଲା। ଏବେ ଇଡି ଏହି ଆଧାରରେ ଚନ୍ଦ୍ରାଙ୍କ ବିରୋଧରେ ପିଏମଏଲଏ ମୋକଦ୍ଦମା ରୁଜୁ କରିଛି। ସିବିଆଇ ଏତଲାରେ ଏଲଆଇସିଏଚଏଫଏଲ ଅଭିଯୋଗ କରିଥିଲା ଯେ ଚନ୍ଦ୍ରା ୨ଟି ଋଣ ମଞ୍ଜୁରୀ ନିମନ୍ତେ ତାଙ୍କ ସମ୍ପତ୍ତି ସମ୍ପର୍କିତ ପ୍ରମାଣପତ୍ର ପ୍ରସ୍ତୁତ କରିଥିଲେ, ଯାହାର ମୋଟ ରାଶି ୯୮୦ କୋଟି ଟଙ୍କା ଥିଲା।

ଏଲଆଇସିଏଚଏଫଏଲ ଗତ ଅଗଷ୍ଟରେ କରିଥିବା ଅଭିଯୋଗରେ କହିଥିଲା ଯେ ଏହି ଋଣ ପୈଠ ନ ହେବା ଯୋଗୁ ତାର ୧,୩୨୨ କୋଟି ଟଙ୍କା କ୍ଷତି ହୋଇଛି। ଏଲଆଇସିଏଚଏଫଏଲ ମଧ୍ୟ ସେହି ଋଣଦାତାଙ୍କ ମଧ୍ୟରେ ଥିଲେ ଯେଉଁମାନେ ଜାତୀୟ କମ୍ପାନୀ ଆଇନଆପିଲେଟ୍ ଟ୍ରିବ୍ୟୁନାଲ (ଏନସିଏଲଏଟି) କୁ ଯାଇଥିଲେ, ଯେଉଁଥିରେ ଚନ୍ଦ୍ରାଙ୍କ ବ୍ୟକ୍ତିଗତ ସମ୍ପତ୍ତି ସମ୍ପର୍କିତ ୨୨,୦୦୬ କୋଟି ଟଙ୍କା ଦାବିରୁ ମାତ୍ରା ୬.୫ କୋଟି ଟଙ୍କା ମିଳି ପାରିବ। ଅଭିଯୋଗରେ ୫୦୦ କୋଟି ଟଙ୍କାର ଋଣ ସୁବିଧାର ଉଲ୍ଲେଖ ରହିଛି, ଯାହାକୁ ବସନ୍ତ ସାଗର ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଛି।

ପ୍ୟାନ ଇଣ୍ଡିଆ ଇନଫ୍ରାପ୍ରୋଜେକ୍ଚସ୍ ପ୍ରାଇଭେଟ ଲିମିଟେଡ ଏହି ଋଣର ସହ ଗ୍ରହୀତା ଥିଲେ। ଏାହଛଡା ଡିଜିଟାଲ ସବସ୍କ୍ରାଇବର ମ୍ୟାନେଜମେଣ୍ଟ ଆଣ୍ଡ କନସଲ୍ଟାନ୍ସୀ ସର୍ଭିସେସ ପ୍ରାଇଭେଟ ଲିମିଟେଡକୁ ଦିଆଯାଇଥିବା ୪୮୦ କୋଟି ଟଙ୍କା ଋଣ ସୁବିଧା ମଧ୍ୟ ଏହି ଅଭିଯୋଗରେ ରହିଛି। ଅଭିଯୋଗ ଅନୁସାରେ ବସନ୍ତ ସାଗରକୁ ଦିଆଯାଇଥିବା ୫୦୦ କୋଟି ଟଙ୍କା ଋଣ କମ୍ପାନୀ ଅଧିଗ୍ରହଣ, ଅତିରିକ୍ତ ଋଣ ଓ ବ୍ୟବସାୟ ବିସ୍ତାର ଲାଗି ମଞ୍ଜୁର କରାଯାଇଥିଲା। ଏଥିଲାଗି ୨୮ ମାର୍ଚ୍ଚ ୨୦୧୮ରେ ଚନ୍ଦ୍ରାଙ୍କ ଦ୍ୱାରା ଜାରି ଗ୍ୟାରେଣ୍ଟିକୁ ସୁରକ୍ଷା ଭାବେ ଗ୍ରହଣ କରାଯାଇଥିଲା।

ଏଫଆଇଆରରେ ଅଭିଯୋଗ କରାଯାଇଛି ଯେ ୪୮୦ କୋଟି ଟଙ୍କାର ଡିଜିଟାଲ ଋଣ ଭଡାରୁ ହେବାକୁ ଥିବା ଭବିଷ୍ୟତର ଆୟକୁ ଆଧାର କରି ମଞ୍ଜୁର କରାଯାଇଥିଲା। ଏଥି ପାଇଁ ମଧ୍ୟ ଚନ୍ଦ୍ରା ଗ୍ୟାରେଣ୍ଟି ଦେଇଥିଲେ। ଋଣଦାତାଙ୍କ ଅନୁସାରେ ଚନ୍ଦ୍ରା ତାଙ୍କ ମୋଟ ସମ୍ପତ୍ତିର ଯେଉଁ ପ୍ରମାଣପତ୍ର ଦେଇଥିଲେ ତାକୁ ଡିଜେଏମ ଆଣ୍ଡ କମ୍ପାନୀ ୬ ଜୁଲାଇ ୨୦୧୮ରେ ଜାରି କରିଥିଲେ। ଏଥିରେ ଚନ୍ଦ୍ରାଙ୍କ ମୋଟ ସମ୍ପତ୍ତି ୪୦,୫୬୨ କୋଟି ଟଙ୍କା ବୋଲି କୁହାଯାଇଥିଲା। ଏଲଆଇସିଏଚଏଫଏଲ ଅନୁସାରେ ପରେ ଉଭୟ ଋଣ ପୈଠ ହୋଇନଥିଲା।

ସିବିଆଇ ଅଭିଯୋଗରେ କୁହାଯାଇଛି ଯେ ପରେ ଚନ୍ଦ୍ରା ତାଙ୍କ ମୋଟ ସମ୍ପତ୍ତି ଦାବିକୁ ଅସ୍ୱୀକାର କରିଥିଲେ। ଏଫଆଇଆରରେ ଅଭିଯୋଗ କରାଯାଇଛି ଯେ ସୁଭାଷ ଚନ୍ଦ୍ରା ଋଣଗ୍ରହୀତା କମ୍ପାନୀ ବସନ୍ତ ସାଗର ପ୍ରପର୍ଟିଜ୍ ପ୍ରାଇଭେଟ ଲିମିଟେଡ, ପ୍ୟାନ ଇଣ୍ଡିଆ ଇନଫ୍ରା ପ୍ରୋଜେକ୍ଟସ୍ ପ୍ରାଇଭେଟ ଲିମିଟେଡ, ଡିଜିଟାଲ ସବସ୍କ୍ରାଇବର ମ୍ୟାନେଜମେଣ୍ଟ ଆଣ୍ଡ କନସଲ୍ଟାନ୍ସୀ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଓ ସ୍ପିରିଟ ଇନଫ୍ରାପାୱାର ଆଣ୍ଡ ମଲ୍ଟି ଭେଞ୍ଚର୍ସ ପ୍ରାଇଭେଟ ଲିମିଟେଡ ଆଦିଙ୍କ ଅଧିକାରୀ ଓ ନିର୍ଦ୍ଦେଶକମାନଙ୍କ ସହ ମିଶି ଏଲଆଇସିଏଚଏଫଏଲକୁ ଠକି ଋଣ ନେଇଥିଲେ। ପରବର୍ତ୍ତି ସମୟରେ ଏହି କମ୍ପାନୀମାନେ ଋଣ ରାଶିକୁ ଆତ୍ମସାତ କରିଥିଲେ।