ପଟ୍ଟାଙ୍ଗି : ଶୀତର ଆଗମନ… ଧଳା ଚାଦର ଭିତରେ ହସିଲାଣି ଧରଣୀ ରାଣୀ... କୋରାପୁଟରେ ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ। ପାହାଡ଼, ପର୍ବତ ଆଉ ସବୁଜିମା ଭରା ପ୍ରକୃତି କୋଳରେ ଏବେ ଅଳସି ଫୁଲର ସମ୍ଭାର। ରାସ୍ତାକଡ଼ରେ ଦୋଳି ଖେଳୁଥିବା ଏହି ରଙ୍ଗବେରଙ୍ଗ ଫୁଲ ପର୍ଯ୍ୟଟକଙ୍କ ମନ ମୋହୁଛି। ଯାହାକୁ ଦେଖିବାକୁ ଓ କ୍ୟାମେରାରେ କଏଦ କରିବାକୁ ଜମୁଛି ଭିଡ଼। କିନ୍ତୁ ଏସବୁ ଭିତରେ ଆଉ ଏକ ଦିଗ ଟିଏ ରହିଛି। ଯାହାକୁ ଗଭୀର ଭାବରେ ଭାବିଲେ ବିବ୍ରତ କରିପାରେ। ହଁ ଏହି ସୌନ୍ଦର୍ଯ୍ୟର ଆକର୍ଷଣ କେଉଁଠି ନା କେଉଁଠି ଏବେ ଚାଷୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ ।

ଓଡ଼ିଶାର ଭୂସ୍ୱର୍ଗ କୋରାପୁଟ । ପାହାଡ଼, ପର୍ବତ, ସବୁଜ ବନାନୀ, ଝରଣା ଓ ମନୋରମ ପ୍ରାକୃତିକ ପରିବେଶ ପାଇଁ କୋରାପୁଟ ସବୁବେଳେ ପର୍ଯ୍ୟଟକଙ୍କୁ ଟାଣି ନିଏ ନିଜ ଆଡ଼କୁ । ଏବେ ଶୀତ ଧୀରେ ଧୀରେ କୋରାପୁଟରେ ପ୍ରବେଶ କରୁଥିବା ବେଳେ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକ କୋରାପୁଟ ମୁହାଁ ହେଉଥିବାରୁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଦେଖିବାକୁ ମିଳୁଛି ଚଳଚଞ୍ଚଳତା। ତେବେ ଏଥର କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ରାସ୍ତାକଡ଼ରେ ଥିବା ଅଳସି ଚାଷ। ଶୀତ ଆସିବା ସାଙ୍ଗକୁ ରାସ୍ତାକଡ଼ରେ ଥିବା ବିଭିନ୍ନ ଚାଷଜମିରେ ଏବେ ଅଳସି ଗଛରେ ଫୁଟିବାକୁ ଆରମ୍ଭ କରିଛି ସୁନ୍ଦର ଫୁଲ। ସବୁଜ ଗଛ ମଧ୍ୟରେ ଫୁଟିଥିବା ଅଳସି ଫୁଲ ଦୂରରୁ ଦେଖିଲେ ଧରଣୀ ଏକ ଚାଦର ଘୋଡ଼େଇ ହୋଇଥିବାର ଅନୁଭବ ଦେଉଛି। ରାସ୍ତାରେ ଯାଉଥିବା ଲୋକଙ୍କ ଦୃଷ୍ଟି ମଧ୍ୟ ଅଟକି ଯାଉଛି ଏହି ମନୋରମ ଦୃଶ୍ୟ ଉପରେ। ପର୍ଯ୍ୟଟକମାନେ ମଧ୍ୟ ଏହି ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ଗାଡ଼ି ଅଟକାଇ ଫୁଲର ଦୃଶ୍ୟ ଉପଭୋଗ କରୁଛନ୍ତି। କେହି ମୋବାଇଲରେ ଫଟୋ ଉଠାଉଛନ୍ତି, ଆଉ କେହି ପରିବାର ଓ ସାଙ୍ଗସାଥୀଙ୍କ ସହ ଏହି ସୁନ୍ଦର ମୁହୂର୍ତ୍ତକୁ କ୍ୟାମେରାରେ କଏଦ କରୁଛନ୍ତି।

କିନ୍ତୁ ପ୍ରକୃତିର ଏହି ମନୋରମ ଦୃଶ୍ୟ ମଧ୍ୟରେ ରହିଛି ଚାଷୀଙ୍କ ଚିନ୍ତା। ଅଳସି ଫୁଲ ସହ ଫଟୋ ଉଠାଇବା ପାଇଁ କିଛି ପର୍ଯ୍ୟଟକ ଚାଷଜମି ଭିତରକୁ ପ୍ରବେଶ କରୁଥିବା ଦେଖାଯାଉଛି। ଫଳରେ ଅନେକ ସମୟରେ ଗଛ ଉପରେ ପାଦ ପଡ଼ି ଫସଲ ନଷ୍ଟ ହେଉଛି। ଗୋଟିଏ ଫଟୋ କିମ୍ବା ଗୋଟିଏ ସେଲ୍ଫି ପାଇଁ ଚାଷୀଙ୍କ ମାସ ମାସର ପରିଶ୍ରମ ଓ ଆଶା ନଷ୍ଟ ହୋଇଯିବାର ଆଶଙ୍କା ରହୁଛି। ଚାଷୀ ନିଜ ଜମିରେ ଫସଲ ଉତ୍ପାଦନ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ମଜା ପାଇଁ ଫସଲ ନଷ୍ଟ ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ପ୍ରକୃତିର ଏହି ଅପୂର୍ବ ଦୃଶ୍ୟକୁ ଉପଭୋଗ କରିବା ଏବଂ ତାହାର ଫଟୋ ଉଠାଇବା ଏକ ସୁନ୍ଦର ଅନୁଭୂତି। କିନ୍ତୁ ସେହି ଆନନ୍ଦ ଯେପରି ଚାଷୀଙ୍କ କ୍ଷତିର କାରଣ ନ ହୁଏ, ସେଥିପ୍ରତି ସମସ୍ତଙ୍କୁ ସଚେତନ ହେବା ଆବଶ୍ୟକ।

 Also Read- ରାତି ୭ଟାରୁ ୯ଟା ଯାଏଁ ବାଣ ଫୁଟା, ପ୍ରଦୂଷଣ ବୋର୍ଡର ଗାଇଡଲାଇନ୍ ; ଚୋରା ବାଣ ବିକ୍ରି ଉପରେ ପୋଲିସର ନଜର

କୋରାପୁଟର ଅଳସି ଫୁଲ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ସବୁବେଳେ ଏକ ଆକର୍ଷଣ। ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଯେତିକି ଗୁରୁତ୍ୱ ରଖେ, ଚାଷୀଙ୍କ ପରିଶ୍ରମକୁ ସମ୍ମାନ ଦେବା ମଧ୍ୟ ସେତିକି ଦାୟିତ୍ୱ ନିର୍ବାହର କଥା କୁହେ।