ଭୁବନେଶ୍ବର: ଦେଶର ସୁନାମଧନ୍ୟ ସ୍ନାୟୁ ଶଲ୍ୟ ଚିକିତ୍ସକ ତଥା ବରିଷ୍ଠ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ସେ ବର୍ତ୍ତମାନ ନୂଆଦିଲ୍ଲୀସ୍ଥିତ ଏମ୍ସ (AIIMS)ରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ, ବ୍ରେନ୍ ଟ୍ୟୁମରରେ ପୀଡ଼ିତ ହେବା ପରେ ଡାକ୍ତର ମହାପାତ୍ରଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଗତ ସେପ୍ଟେମ୍ବର ୨୭ ତାରିଖରୁ ସେ ଏମ୍ସର ନ୍ୟୁରୋ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି। ବରିଷ୍ଠ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ଆଶିଷ ସୁରୀଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି।

ସ୍ନାୟୁ ଶଲ୍ୟ ଚିକିତ୍ସା କ୍ଷେତ୍ରରେ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କର ଦେଶବ୍ୟାପୀ ସୁନାମ ରହିଛି । ତାଙ୍କର ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ ଚିକିତ୍ସା ଜଗତ ଓ ଶୁଭେଚ୍ଛୁ ମହଲରେ ଉଦବେଗ ପ୍ରକାଶ ପାଇଛି । ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ଶୁଭେଚ୍ଛୁ ।