ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷର ଲମ୍ବା ଅପେକ୍ଷା ପରେ ଶେଷରେ ଭାରତୀୟ ଟି-୨୦ ଅନ୍ତର୍ଜାତୀୟ ଦଳକୁ ଫେରିଛନ୍ତି ଭୁବନେଶ୍ଵର କୁମାର। ତାଙ୍କର ପ୍ରତ୍ୟାବର୍ତ୍ତନକୁ କ୍ରିକେଟ୍ ମହଲରେ ବେଶ ପ୍ରଶଂସା କରାଯାଇଛି। ହେଲେ ଅନ୍ୟପଟେ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ପାଇଁ ଏ ପର୍ଯ୍ୟନ୍ତ ଭାରତୀୟ ଦଳର ଦ୍ଵାର ଖୋଲି ପାରିନି।

ଭୁବନେଶ୍ଵରଙ୍କ ପ୍ରତ୍ୟାବର୍ତ୍ତନ ଏବଂ ନିଜକୁ ଲଗାତାର କରାଯାଉଥିବା ଅଣଦେଖାକୁ ନେଇ ମହମ୍ମଦ ଶାମି ନିଜର ଅସନ୍ତୋଷ ଜାହିର କରିଛନ୍ତି। ନିଜର ନିର୍ଭୀକ ବୟାନ ପାଇଁ ପରିଚିତ ଶାମି ରେଭସ୍ପୋର୍ଟ୍ସ ସହ ଆଲୋଚନା ବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା, ଭୁବନେଶ୍ଵର କୁମାରଙ୍କ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। କିନ୍ତୁ ଆପଣଙ୍କର ହୋଇନି। ଏହା ଉପରେ ସ୍ପଷ୍ଟ ଶବ୍ଦରେ ଶାମି କହିଛନ୍ତି ଯେ, ଭୁବନେଶ୍ଵର କୁମାରଙ୍କୁ ଭାରତ ପାଇଁ ଖେଳିବାର ସୁଯୋଗ ମିଳିବା ଭଲ କଥା। କିନ୍ତୁ ତାଙ୍କ ଚୟନ ସହିତ ମୋର କୌଣସି ସଂପର୍କ ନାହିଁ। ମୋତେ ଯେଉଁଠି ବି ଖେଳିବାର ସୁଯୋଗ ମିଳିବ ଶତ ପ୍ରତିଶତ ଦେବାକୁ ସର୍ବଦା ଚେଷ୍ଟା କରିବି।

Also Read: ୨୫୦ ରନର ବିଶାଳ ଟାର୍ଗେଟ୍ ଡିଫେଣ୍ଡ କରିପାରିଲାନି ଇଣ୍ଡିଆ, ରାଞ୍ଚିରେ ସିରିଜ୍ ବରାବର କଲା ୱେଷ୍ଟଇଣ୍ଡିଜ୍

ବର୍ତ୍ତମାନ ମୋର ଫୋକସ ରଣଜୀ କ୍ରିକେଟ୍ ଉପରେ ରହିଛି। ଏହା ପରେ ଶାମି ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକଙ୍କ ଉପରେ କଟାକ୍ଷ କରି କହିଛନ୍ତି, ଗତ ଦୁଇ ତିନି ବର୍ଷ ଧରି ମୋ ସହ ଏମିତି ହୋଇ ଚାଲିଛି। ସେ ଏହା ମଧ୍ୟ କହିଛନ୍ତି, ମୁଁ ଲଗାତାର ପ୍ରଦର୍ଶନ କରି ସାରିଛି ଏବଂ ପଶ୍ଚିମବଙ୍ଗ ପାଇଁ ରଣଜୀ ଖେଳି ଫିଟନେସ୍ ସାବ୍ୟସ୍ତ କରି ସାରିଛି। ଏହା ସତ୍ତ୍ଵେ ବି ଯଦି ମୋତେ ପୁନର୍ବାର ଟିମ୍ ଇଣ୍ଡିଆ ପାଇଁ ଖେଳିବାର ସୁଯୋଗ ମିଳୁନି ତାହା ମୋ ପାଇଁ କ୍ଷତି ନୁହେଁ।

କାହିଁକି ହେଉଛି ଶାମି ଏବଂ ଭୁବନେଶ୍ଵରଙ୍କ ଚର୍ଚ୍ଚା

୩୬ ବର୍ଷୀୟ ମହମ୍ମଦ ଶାମି ଭାରତ ପାଇଁ ନିଜର ଶେଷ ମ୍ୟାଚ୍ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଖେଳିଥିଲେ। ଏହା ପରେ ଫିଟନେସ୍ ସମସ୍ୟା ଏବଂ ଚୟନକର୍ତ୍ତାଙ୍କ ଦ୍ଵାରା ଯୁବ ଖେଳାଳିଙ୍କୁ ଗୁରୁତ୍ଵ ଦେବା କାରଣରୁ ଶାମି ଲଗାତାର ଦଳରୁ ବାହାରେ ଅଛନ୍ତି। ଅନ୍ୟପଟେ ବିଗତ ୨୦୨୫ ଏବଂ ୨୦୨୬ ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ଭୁବନେଶ୍ଵର କୁମାରଙ୍କୁ ପୁରସ୍କାର ମିଳିଛି। ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଦଳରେ ଚୟନ କରାଯାଇଛି।