ଭୁବନେଶ୍ଵର: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରଠୁ ରାଜ୍ୟ କଂଗ୍ରେସରେ ତୁମ୍ବି ତୋଫାନ ଜାରି ରହିଛି। ଅନେକ ବରିଷ୍ଠ ନେତା ମୋକିମଙ୍କୁ ବହିଷ୍କାର କରାଯିବା ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି।  ଏହାକୁ ନେଇ ନେତାଙ୍କ ମଧ୍ୟରେ ବୟାନ ବାଜି ଜାରି ରହିଛି। ଏହା ମଧ୍ୟରେ ଖୋଦ୍ ମହମ୍ମଦ ମୋକିମ ଗୁରୁବାର ସୋନିଆଙ୍କୁ ଲେଖିଥିବା ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ପାଣିପାଗ ଦେଖି ନିଷ୍ପତ୍ତି ନେବି। ମୁଁ ରାଜନୀତି ଛାଡୁନାହିଁ। ରାଜନୀତି କରିବି ଏବଂ ଆଗାମୀ ତିନି ଚାରି ଦିନ ଭିତରେ ଓଡ଼ିଶା ବୁଲିବି। ତା ପରେ ପରବର୍ତ୍ତୀ ପଦକ୍ଷେପ ନେବି । ସୋନିଆଙ୍କୁ ଚିଠି ମାଧ୍ୟମରେ ଅନେକ ଅକୁହା କଥା କୁହାଯାଇଛି। ଆଶା କରୁଛି କଂଗ୍ରେସରେ ନିଶ୍ଚିତ ସୁଧାର ଆସିବ। ପିସିସି ସଭାପତିଙ୍କ ଉଦ୍ଦେଶ୍ୟରେ କିଛି କହିବିନି। ଏଆଇସିସିର କିଛି ବରିଷ୍ଠ ନେତା ତାଙ୍କ ସହ ଯୋଗାଯୋଗ କରିଛନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। ତେବେ ସେ ଯେଉଁ ଚିଠି ଲେଖିଥିଲେ ତାର ପ୍ରଭାବ ନିଶ୍ଚୟ ପଡିବ। କଂଗ୍ରେସର ବିଚାର ସହିତ ଅଛି ହେଲେ ଏବେ ମୁଁ ଦଳରେ ନାହିଁ। ମୋ ଚିଠିର ପ୍ରଭାବ ପଡ଼ିଛି ବୋଲି କହିଛନ୍ତି ମହମ୍ମଦ ମୋକିମ।

ଏହା ପୂର୍ବରୁ ସୋଫିଆ କହିଛନ୍ତି କଟକରେ ଯେମିତି ଚାଲିଥିଲା ଦଳ ସେମିତି ଚାଲିବ । ବିଧାୟିକା ହିସାବରେ ଲୋକଙ୍କର ସେବା କରିବା ପାଇଁ ଆମେ ଅଛୁ । ଆଗକୁ ବି ପ୍ରସ୍ତୁତ ରହିବୁ। ସେପଟେ ମୋକିମଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନୃରସିଂହ ମିଶ୍ର । କହିଛନ୍ତି ମୋକିମଙ୍କୁ କଂଗ୍ରେସରୁବିହିଷ୍କାର କରିବା ଦଳ ପାଇଁ କ୍ଷତିକାରକ । ଏପରି କି ମୋକିମ କିଏ ବୋଲି ଭକ୍ତ ଦାସ କରିଥିବା ପ୍ରଶ୍ନକୁ ମଧ୍ୟ ସେ ସମାଲୋଚନା କରିଛନ୍ତି । କହିଛନ୍ତି ଏଭଳି ମନ୍ତବ୍ୟ ଦେବା ଦେବା ଉଚିତ ନୁହେଁ । ମୋକିମଙ୍କୁ କଂଗ୍ରେସରୁ ବହିସ୍କୃତ କରିବା କଂଗ୍ରେସ ପାଇଁ କ୍ଷତି କାରକ ବୋଲି କହିଛନ୍ତି ନରସିଂହ ମିଶ୍ର ।

ସେପଟେ ସବୁ ନେତାଙ୍କୁ ହାତ ଯୋଡ଼ି ପିସିସି ସଭାପତି ଭକ୍ତ ଦାସ ଅନୁରୋଧ କରିଛନ୍ତି ଯେ, ଦଳରେ ଯେଉଁମାନେ ଅଛନ୍ତି ସମସ୍ତେ ଦଳକୁ ଆଗେଇ ନିଅନ୍ତୁ। ଦଳର କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ । ଦଳକୁ ଆଗକୁ ନେବା ସହିତ ସେମାନେ ଆଗକୁ ବଢନ୍ତୁ । କାହା ପ୍ରରୋଚନାରେ ପଡ଼ି ଦଳରେ ବିଶୃଙ୍ଖଳା କରନ୍ତୁ ନାହିଁ। ସେପଟେ ମୋକିମଙ୍କୁ ମନେଇବା ପାଇଁ  ଦିଲ୍ଲୀରୁ ଏକାଧିକ କଂଗ୍ରେସ ନେତାଙ୍କ ଫୋନ୍ ଆସିଥିବା ଚର୍ଚ୍ଚା ହେଉଛି ।