ପୁରୀ ୦୪।୦୪ : ପୁରୀବାସୀଙ୍କ ପାଇଁ ଖୁସି ଖବର । ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ଆଉ ପାଦେ ଆଗେଇଲା । ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରିଛି ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ । ଓଡ଼ିଶାର ପୁରୀରେ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ନୀତିଗତ (ଷ୍ଟେଜ୍-୧) ଜଙ୍ଗଲ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର କିଛି ବର୍ଷ ତଳେ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ । କିଛି ଦିନ ଧରି ଏଠାରେ ନିର୍ମାଣ ହେବା କିମ୍ବା ନହେବା ନେଇ ରାଜନୀତି ଜୋର ଧରିଥିଲା । ଏହାପରେ ରାଜ୍ୟରେ ସରକାର ପରିବର୍ତ୍ତନ ହେଲା, ନୂଆ ସରକାର କ୍ଷମତାକୁ ଆସିଲେ । ନୂଆ ସରକାର ପୁରୀରେ ବିମାନବନ୍ଦର ନିର୍ମାଣ କରିବା ସପକ୍ଷରେ ମଧ୍ୟ କାମ ଆରମ୍ଭ କରିଥିଲେ । ଏହିକ୍ରମରେ କିଛି ଦିନ ତଳେ ମାନେ ୨୦୨୫ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପୁରୀରେ ବିମାନବନ୍ଦର ନିର୍ମାଣ କରିବାକୁ ଗ୍ରୀନ୍ ସିଗ୍ନାଲ ଦେଇଥିଲା । ଯାହାଫଳରେ ବିମାନବନ୍ଦର ନିର୍ମାଣ ପାଇଁ ବାଟ ଫିଟିଥିଲା । ଆଉ ଏବେ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି ।

Also Read:-Entrance ceremony: ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ, ରାଜଭବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ

ସୂଚନାଯୋଗ୍ୟ ଯେ, ୧୧୬୪ ଏକର ଜମି ଉପରେ ନିର୍ମାଣ ହେବ ପ୍ରସ୍ତାବିତ ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର । ସେଥିମଧ୍ୟରୁ ୯୪୩ ଏକର ସରକାରୀ ଜମି ଥିବା ବେଳେ ୨୨୧ ଏକର ଘରୋଇ ଜମି ରହିଛି । ଏହି ବିମାନବନ୍ଦର ନିର୍ମାଣ ହେବା ଦ୍ୱାରା ପୁରୀକୁ ଗମନାଗମନରେ ସୁବିଧା ହେବ । ଦୂରରୁ ଆସୁଥିବା ପର୍ଯ୍ୟଟକମାନେ ଏଣିକି ଭୁବନେଶ୍ୱର ପରିବର୍ତ୍ତେ ପୁରୀରେ ଓହ୍ଲାଇ ପାରିବେ ।